କରୋନା ମୁକାବିଲା : ୨୨ ମାର୍ଚ୍ଚରୁ ଭାରତରେ ଓହ୍ଲାଇ ପାରିବନି ଅନ୍ତର୍ଜାତୀୟ ବିମାନ, ୭ ଦିନ ପର୍ଯ୍ୟନ୍ତ କଟକଣା ଲଗାଇଲେ ସରକାର ।

906

କନକ ବ୍ୟୁରୋ : ଦେଶରେ ୪ର୍ଥ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବା ବେଳେ ତତ୍ପର ହୋଇଉଠିଛନ୍ତି ସରକାର । କରୋନାକୁ ମୁକାବିଲା କରିବାକୁ ଅନେକ ଗୁଡିଏ ପଦକ୍ଷେପ ନେଉଛନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର । ତେବେ ଏସବୁ ଭିତରେ ବିଶ୍ୱରେ କରୋନାର ପ୍ରଭାବକୁ ଦୃଷ୍ଟିରେ ରଖି ଏକ ବଡ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର । ଆସନ୍ତା ମାର୍ଚ୍ଚ ୨୨ରୁ ବିଦେଶରୁ ଆସୁଥିବା ଅର୍ନ୍ତଜାତୀୟ ବିମାନ ଗୁଡିକ ଭାରତରେ ଅବତରଣ କରିବା ଉପରେ ରୋକ ଲଗାଇଛନ୍ତି କେନ୍ଦ୍ର ସରକାର । ଏହି କଟକଣା ମାର୍ଚ୍ଚ ୨୨ରୁ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ ।

ଭାରତରେ ଏବେ କରୋନା ୪ର୍ଥ ସପ୍ତାହରେ ପହଞ୍ଚିଛି । ତେଣୁ ସତର୍କ ଓ ସଚେତନ ରହିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । କାରଣ ଇଟାଲି ଓ ଚୀନରେ ୪ର୍ଥ ଓ ୫ମ ସପ୍ତାହରେ କରୋନାର ପ୍ରଭାବ ଅଧିକ ଦେଖିବାକୁ ମିଳିଛି । ତେଣୁ ଦେଶରେ କରୋନା ଭାଇରସରେ ଅଧିକ ସଂକ୍ରମିତ ହେବା ପୂର୍ବରୁ ଏଭଳି ପଦକ୍ଷେପ ନେଉଛନ୍ତି ସରକାର । ଏପରିକି ବିଭିନ୍ନ ରାଜ୍ୟ ସରକାର କରୋନା ମୁକାବିଲା ପାଇଁ କଡା ପଦକ୍ଷେପ ନେଉଛନ୍ତି । ସଙ୍ଗରୋଧ ପାଇଁ ଅପିଲ କରିବା ସହ ବିଭିନ୍ନ ପ୍ରକାର କଟକଣା ଲଗା ଯାଇଛି । ଏପରିକି ବିଭିନ୍ନ ଶିକ୍ଷାନୁଷ୍ଠାନ, ପରୀକ୍ଷା, ମୂଲ୍ୟାଙ୍କନକୁ ମଧ୍ୟ ସ୍ଥଗିତ କରାଯାଇଛି ।