୨ବର୍ଷ ହେଲା ଦେଶରେ ଛପା ଯାଉ ନାହିଁ ୨ହଜାର ଟଙ୍କିଆ ନୋଟ : ଲୋକସଭାରେ ପ୍ରଶ୍ନର ଉତ୍ତର ଦେଲେ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର

୨୦୧୯ ଏପ୍ରିଲରେ ଶେଷ ଥର ପାଇଁ ଛପା ଯାଇଥିଲା ୨ହଜାର ଟଙ୍କିଆ ନୋଟ

215

କନକ ବ୍ୟୁରୋ : ୨ ବର୍ଷ ହେଲା ଦେଶରେ ୨ହଜାର ଟଙ୍କିଆ ନୋଟ୍ ଛପାଯାଇ ନାହିଁ । ୨୦୧୮ ମାର୍ଚ୍ଚ ୩୦ ସୁଦ୍ଧା ୩ ହଜାର ୩୬୨ ନିୟୁତ ୨ହଜାର ଟଙ୍କିଆ ନୋଟ ଉପଲବ୍ଧ ଥିଲା । ଦେଶରେ ପ୍ରଚଳିତ ମୋଟ ବ୍ୟାଙ୍କ ନୋଟ ମୂଲ୍ୟର ଏହା ୩୭ ଦଶମିକ ୨୬ ପ୍ରତିଶତ ହେବ । ୨୦୨୧ରେ ଏହି ନୋଟ୍ ସଂଖ୍ୟା ୮୬୩ ନିୟୁତ ଖଣ୍ଡ କମିଛି । ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ସୋମବାର ଦିନ ଏହି ସୂଚନା ଦେଇଛନ୍ତି ।

ଲୋକସଭାରେ ଅନୁରାଗ ଠାକୁର କହିଛନ୍ତି, ଏକ ନିର୍ଦ୍ଦିଷ୍ଟ ମୂଲ୍ୟର ନୋଟ୍ ଛପା ପ୍ରସଙ୍ଗରେ ଉଭୟ କେନ୍ଦ୍ର ସରକାର ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ମିଶି ନିଷ୍ପତ୍ତି ନେଇଥାନ୍ତି । ଲୋକଙ୍କ ଚାହିଦାକୁ ଦେଖି ବିଚାର କରାଯାଏ । ୨୦୧୯-୨୦ ଏବଂ ୨୦୨୦-୨୧ ଅବଧି ୨ହଜାର ଟଙ୍କିଆ ନୋଟ୍ ଛାପିବାର ଆବଶ୍ୟକତା ଦେଖାଦେଇ ନଥିଲା । ତେଣୁ ଏହା ଛପା ବନ୍ଦ ରହିଥିଲା ।

୨୦୧୬ ନଭେମ୍ବର ୮ରେ ନୋଟ୍ ବନ୍ଦୀ ପରେ ସରକାର ଆବଶ୍ୟକତା ପୂରଣ ପାଇଁ ୨ହଜାର ଟଙ୍କିଆ ନୋଟ ପ୍ରଚଳନ କରିଥିଲେ । ଯାହା ଦ୍ବାରା ମୁଦ୍ରାର ଚାହିଦା ପୂରଣ ହୋଇଥିଲା । କିନ୍ତୁ ଖୁଚୁରା କାରବାରେ ଏହା ଅନେକ ସମସ୍ୟା ସୃଷ୍ଟି କରିଥିଲା । ଫଳରେ ୨୦୧୯ ଏପ୍ରିଲ ପରଠାରୁ କୌଣସି ନୂଆ ୨ହଜାର ଟଙ୍କିଆ ନୋଟ୍ ଛପାଯାଇ ନାହିଁ ।