ନା ଗାଁକୁ ମିଳିଛି କାମ, ନା ମାଆକୁ ମିଳିଲା ସମ୍ମାନ। ଆମ୍ବୁଲାନ୍ସ ପାଇବାକୁ ଚାଲିଛି କସରତ। ପାହାଡ, ପାଣି ପାରି ହେଲେ ମିଳିବ ମାତୃତ୍ୱ

453

କନକ ବ୍ୟୁରୋ: ପାହାଡ ଚଢି ପାଣି ପାରି ହେଲେ ମିଳିବ ମାତୃତ୍ୱ । ଗର୍ଭରେ ଥିବା ସନ୍ତାନ ଦେଖିବ ଦୁନିଆର ଆଲୋକ । ଏହି ଆଶା ରଖି ୫ କିଲୋମିଟର ପାହାଡିଆ ରାସ୍ତା ଚାଲି, ନଦୀରେ ପଶି ପାଣି ପାରି ହୋଇ, ଖଟିଆରେ ବୁହା ହୋଇ, ଆମ୍ବୁଲାନ୍ସ ପାଖରେ ପହଂଚିଲେ ଗର୍ଭବତୀ ମହିଳା । ଏଭଳି କିଛି ଚିତ୍ର ଆସିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅଂଚଳରୁ । ଯଦିଓ ଏହା କିଛି ନୂଆ ଘଟଣା ନୁହେଁ କିନ୍ତୁ ସରକାରଙ୍କ ଗାଁକୁ କାମ ମାଆକୁ ସମ୍ମାନ ନାରାର ବାସ୍ତବ ଚିତ୍ର ।

ଏମିତି କିଛି ଆଶା ନେଇ ପାହାଡ ଚଢି ନଦୀ ପାର୍ ହୋଇ କାଦୁଅ ପଚପଚ ରାସ୍ତାରେ ଖଟିଆରେ ବୁହା ହୋଇ ଡାକ୍ତରଖାନା ଅଭିମୁଖେ ବାହାରିଥିଲେ ଗର୍ଭବତୀ ମହିଳା । ପ୍ରାୟ ପାଂଚ କିଲୋମିଟର ଅତି ଖରାପ ରାସ୍ତା ଅତିକ୍ରମ କରି ଆମ୍ବୁଲାନ୍ସ ପାଖରେ ପହଂଚିଥିଲେ କୋରାପୁଟ ଦଶବନ୍ତପୁର ବ୍ଳକ ଡ଼ୁମ୍ବାଗୁଡ଼ା ଗାଁର ହର୍ଷମଣି ବିଷୋଇ । ଆମ୍ବୁଲାନ୍ସ ଯୋଗେ ହର୍ଷମଣିଙ୍କୁ ଡାକ୍ତରଖାନା ନିଆଯିବା ପରେ ସେ ସେଠାରେ ଏକ ସନ୍ତାନ ଜନ୍ମ ଦେଇଛନ୍ତି । କେବଳ ଗର୍ଭବତୀ ମହିଳା ନୁହେଁ, ଜର ରୋଗୀଙ୍କୁ ମଧ୍ୟ ଏମିତି ଖଟିଆରେ ବୋହି ଡାକ୍ତରଖାନାକୁ ନିଆଯାଇଥାଏ ।

ଦଶବନ୍ତପୁରରେ ଡାକ୍ତରଖାନା ଥିବା ବେଳେ କୋଲାବର ଶାଖା ନଦୀ ସେପଟେ ରହିଛି ଡ଼଼ୁମ୍ବାଗୁଡ଼ା, ହାତିମୁଣ୍ଡା, କାଳିଆମ୍ବ, ଡ଼େଙ୍ଗାଗୁଡ଼ା, ଫୁଣ୍ଡାଗୁଡ଼ା, ଭଣ୍ଡିସିଲି, ସଙ୍ଗାବାଡ଼, ଡ଼କ୍ରିସିଲି ଭଳି ୧୬ରୁ ଅଧିକ ଗାଁ । ପାହାଡ ଘେରି ରହିଥିବା ଏସବୁ ଅଂଚଳରେ ଗମନାଗମନ ପାଇଁ ସୁବିଧା ନାହିଁ ତେଣୁ ସବୁ ବେଳେ ଏମିତି ଅସୁବିଧାର ସମ୍ମୁଖନୀ ହୋଇଥାନ୍ତି ସ୍ଥାନୀୟ ବାସିନ୍ଦା ।