ନିର୍ବାଚନ ସମୟ ପାଖେଇବା ସହ ତେଜୁଛି ଗାଁ ରାଜନୀତି । ଗାଁର ସମସ୍ୟାକୁ ନେଇ ମେଳି ବାନ୍ଧୁଛନ୍ତି ଗ୍ରାମବାସୀ, ବିଭିନ୍ନ ସ୍ଥାନରେ ଭୋଟ ବର୍ଜନ ଚେତାବନୀ

79

କନକ ବ୍ୟୁରୋ : ଦୀର୍ଘ ଦିନର ସମସ୍ୟା ସମାଧାନ କରୁନଥିବା ନେତାଙ୍କୁ ଗାଁରେ ପୁରାଇ ଦେବେ ନାହିଁ ବୋଲି ନିଷ୍ପତି ନେଇଛନ୍ତି ନିରିହ ଗ୍ରାମବାସୀ । ରାସ୍ତା ନକଲେ ମତଦାନ କେନ୍ଦ୍ରକୁ ଯିବେ ନାହିଁ ଗାଁର ଜନତା । ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ପଣପଣା ପଂଚୟତ ନୂଆପଡ଼ା ଗାଁର ମୁଖ୍ୟ ସମସ୍ୟା ହେଉଛି ରାସ୍ତା । ଦୀର୍ଘ ଦିନ ହେଲା ରାସ୍ତା ମରାମତି ହେଉନାହିଁ । ଫଳରେ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାକୁ ନେଇ ଗାଁ ମହିଳାମାନେ ଏକାଠି ହୋଇ ଭୋଟ୍ ବର୍ଜନ ଚେତାବନୀ ଦେଇଛନ୍ତି ।

ସମାନ ନାରା ଶୁଣିବାକୁ ମିଳିଛି କଟକ ଜିଲ୍ଲା ସାଲେପୁରରୁ । ଏଠି ବି ଗାଁ ଲୋକ ନେଇଛନ୍ତି ଚରମ ନିଷ୍ପତି । ସେହି ଗୋଟିଏ କଥା, ରାସ୍ତା ନାହିଁ ତ ଭୋଟ୍ ନାହିଁ । ଏଭଳି ନାରା ଦେଇ ନେତା ଓ ପ୍ରଶାସନକୁ ଚେତାଇ ଦେଇଛନ୍ତି ସାଲେପୁର ବ୍ଲକ ବୋଧସରା ଗାଁର ବାସିନ୍ଦା । ଦୀର୍ଘ ଦିନ ହେଲା ଏହି ଗାଁର ଲୋକେ ରାସ୍ତା ପାଇଁ ଦାବି କରୁଥିବା ବେଳେ କେହି ଏମାନଙ୍କ ଦାବୀକୁ ନଜର ଦେଉନାହାନ୍ତି । କେବଳ ନିର୍ବାଚନ ବେଳେ ଆସି ଫମ୍ପା ପ୍ରତିଶ୍ରୁତି ଦେଇ ଯାଉଛନ୍ତି । ତେଣୁ ଏବେ ଆଉ ରାଜନେତାଙ୍କ କଥାରେ ଭଳି ଯିବାର ନାହିଁ, ଗାଁକୁ ଭଲ ରାସ୍ତା ନକଲେ ଭୋଟ୍ ବର୍ଜନ କରିବେ ବୋଲି କହିଛନ୍ତି ଗ୍ରାମବାସୀ ।

ନିର୍ବାଚନ ଆଗରୁ ଗାଁ ଲୋକଙ୍କ ଏଭଳି ଚେତାବନୀ ଉଭୟ ନେତା ଓ ପ୍ରଶାସନିକ ଅଧିକାରୀଙ୍କ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ । ତେଣୁ ବେଳ ଥାଉ ଥାଉ ଲୋକଙ୍କ ସମସ୍ୟାର ସମାଧାନ କରିବା ନିହାତି ଜରୁରୀ ।