ମତଦାନରେ ସାମିଲ ହେଲେନି ୫ଟି ୱାର୍ଡ଼ର ମତଦାତା । ରାସ୍ତା ସମସ୍ୟାକୁ ନେଇ ଭୋଟ୍ ବର୍ଜନ କଲେ ତିର୍ତ୍ତୋଲ ହାଜିନଗର ୱାର୍ଡ଼ର ଭୋଟର

245

କନକ ବ୍ୟୁରୋ: ରାସ୍ତା ନାହିଁ ତ ଭୋଟ ନାହିଁ । ଉପନିର୍ବାଚନ ପାଇଁ ମତଦାନ ଚାଲିଥିବା ବେଳେ ତିର୍ତୋଲରେ ଆସିଲା ଏଭଳି ଅଭିଯୋଗ । କଟରା ପଂଚାୟତର ବେଗୁନିଆ ଗାଁର ୫ଟି ୱାର୍ଡ଼ ରାସ୍ତା ସମସ୍ୟା ନେଇ ଭୋଟ ବର୍ଜନ କରିବା ପାଇଁ ଚେତାବନୀ ଦେଇଥିଲେ । ଅନେକ ବୁଝାସୁଝା ପରେ ୪ଟି ୱାର୍ଡ଼ ମତଦାନ ଦେଉଥିବା ବେଳେ ୧୯ ନମ୍ବର ୱାର୍ଡ଼ ଜିଦରେ ଅଟଳ ରହିଛି । ହାଜିନଗର ୱାର୍ଡ଼ରେ ଏଯାଏଁ ମତଦାନ ହୋଇନାହିଁ । ରାସ୍ତା ନହେବା ପର୍ଯ୍ୟନ୍ତ ଭୋଟ ବର୍ଜନ କରିବେ ବୋଲି ଜିଦରେ ରହିଛନ୍ତି ଲୋକେ ।

ଗୋଟିଏ ପଟେ ଶାନ୍ତିଶୃଂଖଳାରେ ଚାଲିଛି ମତଦାନ ଆଉ ଗୋଟିଏ ପଟେ ନେତାଙ୍କ ପ୍ରତିଶ୍ରୁତିକୁ ନେଇ ଅସନ୍ତୋଷ ଜାହିର କରିଛନ୍ତି ଭୋଟର । ଗାଁର ସମସ୍ୟା ତଥା ଗାଁ ପାଇଁ ରାସ୍ତା ତିଆରି ନକଲେ ଭୋଟ୍ ଦେବୁ ନାହିଁ ବୋଲି ଚରମ ବାଣୀ ଶୁଣାଇଛନ୍ତି ହାଜିନଗର ଗାଁ ଲୋକେ ।

ଉପନିର୍ବାଚନ ପାଇଁ ଚାଲିଛି ମତଦାନ । ତିର୍ତୋଲରେ ୨ ଲକ୍ଷ ୩୯ ହଜାର ୧୫୩ ଜଣ ଭୋଟର ୩୭୩ ଟି ବୁଥରେ ମତଦାନ କରୁଛନ୍ତି । ସେହିପରି ବାଲେଶ୍ୱରରେ ୨ଲକ୍ଷ ୩୦ହଜାର ୨୯୭ ଜଣ ଭୋଟର ୩୪୬ଟି ବୁଥରେ ଭୋଟ ଦେଉଛନ୍ତି । କରୋନା କଟକଣା ଭିତରେ ଆରମ୍ଭ ହୋଇଛି ଭୋଟ ଗ୍ରହଣ । ମତଦାନ ସମୟରେ ଭୋଟରଙ୍କ ଧାଡି ମଧ୍ୟରେ ୬ ଫୁଟର ଦୂରତା । ମତଦାନ ଆଗରୁ ସମସ୍ତ ଭୋଟରଙ୍କ ଥର୍ମାଲ ସ୍କାନିଂ କରାଯାଉଛି । ଏହା ପରେ ହାତ ଧୋଇବା ବାଧ୍ୟତାମୂଳକ କରାଯାଇଛି । ପୋଲିଂ କର୍ମଚାରୀ ପିପିଇ କିଟ୍ ପିନ୍ଧି ପୁରା ପ୍ରକ୍ରିୟାରେ ସାମିଲ ହୋଇଛନ୍ତି । ସେହିପରି କରୋନା ପଜିଟିଭ୍ ବ୍ୟକ୍ତି ବି କରିପାରିବେ ମତଦାନ । ଯାହାର କରେନା ପଜିଟିଭ୍ ଥିବ, ସେମାନେ ପିପିଇ କିଟ୍ ପିନ୍ଧି ମତ ସାବ୍ୟସ୍ତ କରିପାରିବେ ।