କନକ ବ୍ୟୁରୋ : ରାସ୍ତା ନଥିବାରୁ ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ । ଫଳରେ ପ୍ରସୂତି ୨ କିଲୋମିଟର ଚାଲି ଚାଲି ଯିବା ସହ ୩ ନାଳ ପାର ହେବା ପରେ ଆମ୍ବୁଲାନ୍ସ ନିକଟରେ ପହଞ୍ଚିଥିଲେ । କେନ୍ଦୁଝର ହରିଚନ୍ଦନପୁର ବ୍ଲକର ଦୁର୍ଗମ କହ୍ନେଇଗୋଳା ଗାଁର କଞ୍ଚାନଙ୍କୁ ହରିଚନ୍ଦନପୁର ଡାକ୍ତରଖାନାକୁ ଆସିବା ପାଇଁ ୨କିଲୋମିଟର ଚାଲିବା ସହ ୩ଟି ନାଳ ପାର ହେବାକୁ ପଡିଛି । ଏହାପରେ ପ୍ରସୂତି ଜଣକ ଆମ୍ବୁଲାନ୍ସ ନିକଟରେ ପହଞ୍ଚିଥିଲେ ।
ରାଣୀପଦାରୁ ନୋଲ ଗାଁଦେଇ କହ୍ନେଇଗୋଳାର ଦୂରତା ପ୍ରାୟ ୪କିଲୋମିଟର । ଏବଂ ରାଣୀପଦାରୁ ସରେଇ ଦେଇ କହ୍ନେଇଗୋଳାର ଦୂରତା ପ୍ରାୟ ୨କିଲୋମିଟର । ଉଭୟ ମାଟି ରାସ୍ତା ଏବଂ ଗାଁକୁ ଯିବାକୁ ହେଲେ ଛୋଟ ଛୋଟ ନାଳ ଅତିକ୍ରମ କରିବାକୁ ପଡେ । ବର୍ଷା ଦିନରେ କହ୍ନେଇଗୋଳା ଗାଁକୁ ଗାଡି ମୋଟର ଯାଇ ପାରେନାହିଁ । ଫଳର ପ୍ରସୂତିଙ୍କୁ ଆମ୍ବୁଲାନ୍ସ ନିକଟରେ ପହଞ୍ଚିବା ପାଇଁ ବେଶ କଷ୍ଟ କରିବାକୁ ପଡିଥିଲା । କହ୍ନେଇଗୋଳା ଗାଁରୁ ପ୍ରାୟ ୨କିଲୋମିଟର ଚାଲି ଚାଲି ଆସିବା ପରେ ରାଣୀପଦା ଗାଁରେ ପହଞ୍ଚିଥିଲେ । ପରେ ୩ଟି ନାଳ ଅତିକ୍ରମ କରିଥିଲେ ।
ପ୍ରଥମ ଦୁଇଟି ନାଳରେ କମ ପାଣି ଥିବା ବେଳେ ତୃତୀୟ ନାଳରେ ପ୍ରାୟ ୩ଫୁଟ ଉଚ୍ଚର ପାଣି ଚାଲୁଥିଲା । ଗର୍ଭବତୀ କଞ୍ଚାନଙ୍କୁ ଧରି ଆଶାକର୍ମୀ ଓ ତାଙ୍କ ସ୍ୱାମୀ ନାଳ ଅତିକ୍ରମ କରାଇଥିଲେ । ଏହାପରେ ଆମ୍ବୁଲାନ୍ସରେ ହରିଚନ୍ଦନପୁର ଡାକ୍ତରଖାନାରେ ପହଞ୍ଚିଥିଲେ । ତେବେ ସବୁଦିନିଆ ରାସ୍ତା ନିର୍ମାଣ ପାଇଁ ବାରମ୍ବାର ଦାବି ହେଉଥିଲେ ବି ଏଯାଏଁ କୌଣସି ସୁବିଧା ହୋଇପାରୁନାହିଁ । ଫଳରେ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି ।