ସିବିଏସଇ କର୍ତ୍ତୃପକ୍ଷଙ୍କ ବଡ ନିଷ୍ପତି ! ଛାତ୍ରଛାତ୍ରୀଙ୍କୁ ଆଶ୍ୱସ୍ତି, ହେବ ନାହିଁ ପୁନଃ ପରୀକ୍ଷା

46

କନକ ବ୍ୟୁରୋ: ସିବିଏସଇ କର୍ତ୍ତୃପକ୍ଷଙ୍କ ବଡ ନିଷ୍ପତି । ପ୍ରଶ୍ନ ପତ୍ର ଲିକ୍ ନେଇ ସୃଷ୍ଟି ହୋଇଥିବା ବିବାଦ ଯୋଗୁଁ ହେବାକୁ ଥିବା ଦଶମ ଶ୍ରେଣୀ ଗଣିତର ପୁନଃ ପରୀକ୍ଷା ହେବ ନାହିଁ ବୋଲି ସୂଚନା ମିଳିଛି । ପ୍ରଶ୍ନପତ୍ର ଲିକ୍ ହୋଇଥିବାରୁ ହରିୟାଣା ଓ ଦିଲ୍ଲୀରେ ଦଶମ ଶ୍ରେଣୀ ଗଣିତ ବିଷୟରେ ପରୀକ୍ଷା ହେବ ବୋଲି କୁହାଯାଉଥିଲା । ତେବେ ଆସନ୍ତା ୨୫ ତାରିଖରେ ହେବାକୁ ଥିବା ଯୁକ୍ତ ଦୁଇ ଅର୍ଥନୀତି ପରୀକ୍ଷା ହେବ । ଏହି ମାମଲାରେ ୨ଜଣ ଶିକ୍ଷକଙ୍କ ସହ ୩ଜଣଙ୍କୁ ପୂର୍ବରୁ ଗିରଫ କରିଛି ଦିଲ୍ଲୀ ପୋଲିସ୍ ।

ସୂଚନାଯୋଗ୍ୟ ଯେ, ମାର୍ଚ୍ଚ ମାସ ୨୮ ତାରିଖରେ ୧୦ମ ଶ୍ରେଣୀ ଗଣିତ ପରୀକ୍ଷା ହୋଇଥିଲା। ତେବେ ଏହି ଗଣିତ ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଚର୍ଚ୍ଚା ହୋଇଥିଲା। ଏ ସମ୍ପର୍କରେ ସିବିଏସଇ କର୍ତ୍ତୃପକ୍ଷ ଓ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ଅଧିକାରୀମାନେ ଆଲୋଚନାରେ ଏହି ନିଷ୍କର୍ଷରେ ପହଞ୍ଚିଥିଲେ ଯେ ଏହା( ପ୍ରଶ୍ନପତ୍ର ଲିକ୍) ଫଳାଫଳ ଉପରେ କିଛି ପ୍ରଭାବ ପକାଇବ ନାହିଁ ।

ତେବେ ଯେଉଁ ଛାତ୍ରଛାତ୍ରୀ ଏହି ଲିକ୍ ପଶ୍ନପତ୍ରରୁ ଫାଇଦା ନେଇଥିବେ ତାଙ୍କ ଉପରେ ନଜର ରଖିବାକୁ ମଧ୍ୟ ସିବିଏସଇ ନିଷ୍ପତ୍ତି ନେଇଛନ୍ତି। ଯେଉଁ ଛାତ୍ରଛାତ୍ରୀମାନେ ଇଣ୍ଟରନାଲ ପରୀକ୍ଷାରେ ଅତ୍ୟନ୍ତ ଖରାପ କରିଥିବେ ଓ ମୁଖ୍ୟ ପରୀକ୍ଷାରେ ଖୁବ୍ ଭଲ କରିଥିବେ ସେପରି ଛାତ୍ରଛାତ୍ରୀ ଖାତାକୁ ଅଲଗା ଭାବେ ଯାଞ୍ଚ କରାଯାଇ ଫଳାଫଳ ପ୍ରକାଶ ପାଇବ ବୋଲି ସିବିଏସଇର ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି।