ବିଚିତ୍ର ନିୟମ: ଡଟଫେଷ୍ଟ ଓ ବିଶ୍ୱକପ୍ ହକି ପାଇଁ ସବୁ ମାଫ୍, ଖଣ୍ଡଗିରି ମେଳାରେ କୋଭିଡ୍ ନିୟମ ମାନିବା ପାଇଁ ବିଏମସିର ତାଗିଦ୍

205

କନକ ବ୍ୟୁରୋ: ଭୁବନେଶ୍ୱରରେ ଚାଲିଛି ବିଶ୍ୱପକ୍ ହକି ଓ ଡଟ୍ଫେଷ୍ଟରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ । ପ୍ରତିଦିନ ସଂଧ୍ୟାରେ କଳିଙ୍ଗ ଷ୍ଟାଡିୟମରୁ ଆରମ୍ଭ କରି ଇଡକୋ ପ୍ରଦର୍ଶନୀ ପଡିଆରେ ଜମୁଛି ପ୍ରବଳ ଗହଳି । ପାଖାପାଖି ବସୁଛନ୍ତି ଦର୍ଶକ, ଫୁଡକୋର୍ଟରେ ଅସମ୍ଭବ ଭିଡ । ଓଲି ଲ୍ୟାଣ୍ଡର ମଜା ନେବାକୁ ରାଜଧାନୀବାସିନ୍ଦାଙ୍କ ଭିତରେ ପ୍ରବଳ ଆଗ୍ରହ । ଏହାରି ଭିତରେ ଆଗକୁ ଆୟୋଜନ ହେଉଛି ଖଣ୍ଡଗିରି ମେଳା । ଦୁଇଦିନ ପରେ ଖଣ୍ଡଗିରି ମାଘ ମେଳା ସାଙ୍ଗକୁ ୩୦ରୁ ଆରମ୍ଭ ହୋଇଯିବ ଯାତ୍ରା । ଏଥିପାଇଁ ଭୁବନେଶ୍ୱର ଖଣ୍ଡଗିରିକୁ ସାଧୁ ସନ୍ଥଙ୍କ ଆଗମନ ଆରମ୍ଭ ହୋଇଗଲାଣି । ହେଲେ ଖଣ୍ଡଗିରି ଯାତ୍ରା ପାଇଁ ଭୁବନେଶ୍ୱର ମହାନଗର ନିଗମ ଜାରି କରିଥିବା ଏସଓପି ଏବେ ବଡ ଦ୍ୱନ୍ଦ୍ୱ ସୃଷ୍ଟି କରିଛି । ଏଥିରେ ଏକଜିଷ୍ଟିଂ କୋଭିଡ ପ୍ରଟୋକଲ ଅର୍ଥାତ ପ୍ରଚଳିତ କୋଭିଡ୍ କଟକଣା ମାନି ଯାତ୍ରା କରିବାକୁ କୁହାଯାଇଛି ।

ଖଣ୍ଡଗିରି ଯାତ୍ରା ପାଇଁ ବିଏମସି ଏସ୍ଓପି
– ରାଜ୍ୟ ସରକାରଙ୍କ ପକ୍ଷରୁ ଜାରି କୋଭିଡ୍ ମାର୍ଗଦର୍ଶିକା ପାଳନ କରିବେ ଯାତ୍ରାପାର୍ଟି
– କର୍ମଚାରୀ, ସଦସ୍ୟ ଓ ସ୍ୱେଚ୍ଛାସେବୀ ସମସ୍ତେ କୋଭିଡ୍ ଟିକା ନେଇଥିବେ
– ପ୍ରବେଶ ପଥରେ ଦର୍ଶକଙ୍କ ପାଇଁ ହ୍ୟାଣ୍ଡ ସାନିଟାଇଜର ବ୍ୟବସ୍ଥା କରିବେ ଆୟୋଜକ
– କରୋନା ନିୟମ ମାନି ଦର୍ଶକଙ୍କ ପାଇଁ ଦୁଇଟି ସିଟ୍ ମଧ୍ୟରେ ବ୍ୟବଧାନ ରହିବ

ରାଜ୍ୟ ସରକାରଙ୍କ ପ୍ରଚଳିତ କୋଭିଡ କଟକଣା କଥା ଏସଓପିରେ ଉଲ୍ଲେଖ ଥିବାରୁ ଏହା ବିରାଟ ଦ୍ୱନ୍ଦ୍ୱ ସୃଷ୍ଟି କରିଛି । କାରଣ ସରକାର ଗତ ନଭେମ୍ବର ମାସରୁ କୋଭିଡ କଟକଣା ହଟାଇ ଦେଇଛନ୍ତି । ତେଣୁ ସାମାଜିକ ଦୂରତା, ମାସ୍କ ଓ ହ୍ୟାଣ୍ଡ ସାନିଟାଇଜର ବ୍ୟବହାର ଭଳି ନିୟମ କେହି ମାନୁ ନାହାନ୍ତି । ହକି ବିଶ୍ୱକପ୍ ଆୟୋଜନ ବେଳେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ର ଆୟୋଜନ କରି ଦର୍ଶକଙ୍କୁ ବିଶ୍ୱସ୍ତରୀୟ ଅନୁଭୂତି ଦେବାପାଇଁ ସରକାର ଚାହୁଁଥିବାବେଳେ, ଖଣ୍ଡଗିରି ଯାତ୍ରା ପାଇଁ ବିଏମସିର କଟକଣା ସମସ୍ତଙ୍କୁ ଆଚମ୍ବିତ କରିଛି ।

ରାଜଧାନୀ ଡଟ୍ଫେଷ୍ଟରେ ବଡବଡ ହୋଟେଲ, ଷ୍ଟଲ ଖୋଲି ଖାଦ୍ୟ ମେଳା କରୁଥିବାବେଳେ ୨ବର୍ଷ ପରେ ହେଉଥିବା ଖଣ୍ଡଗିରି ମେଳା ଉପରେ ଦାଉ ସାଧିଛି ବିଏମସି । ଭଲ ବେପାର ଆଶାରେ ଅନାଇ ରହିଛନ୍ତି ବେଲୁନ ବିକାଳି, ଗୁପଚୁପ ଓ ଦହିବରା ବିକ୍ରି କରୁଥିବା ଛୋଟ ଛୋଟ ବ୍ୟବସାୟୀ । ହେଲେ ରାଜ୍ୟରେ କରୋନା ସ୍ଥିତି ସ୍ୱାଭାବିକ ରହିଥିବାବେଳେ ବିଏମସି ଅଯଥା ଡରାଉଥିବା ସେମାନେ ଅଭିଯୋଗ କରିଛନ୍ତି ।

ଗୋଟିଏ ଭୁବନେଶ୍ୱରରେ ଦୁଇଟି ନିୟମକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ହକିରେ ୨୦ ହଜାରରୁ ଅଧିକ ଏକାଠି ହୋଇ ଖେଳ ଦେଖୁଛନ୍ତି । ଡଟ୍ଫେଷ୍ଟରେ ଗହଳି ନକହିବା ଭଲ । ଖାଦ୍ୟ ମେଳାରେ ପାଦ ପକାଇବାକୁ ଜାଗା ନାହିଁ । ଏପରି ସ୍ଥିତିରେ ଖଣ୍ଡଗିରି ମେଳା ପାଇଁ ବିଏମସି କାହିଁକି ଏଭଳି ମନଇଛା ଏସଓପି ଜାରି କରିଛି ବୋଲି ପ୍ରଶ୍ନ ଉଠାଇଛନ୍ତି ସାଧାରଣ ଲୋକ ।