ଗ୍ଲୋବାଲ ଟେଣ୍ଡରରୁ ଓଡିଶାକୁ ଟିକା ମିଳିବା ନେଇ ବଢିଲା ସନ୍ଦେହ : ପ୍ରି-ବିଡରେ ସାମିଲ ହେଲେ ନାହିଁ ସେରମ ଓ ଭାରତ ବାୟୋଟେକ୍

280

କନକ ବ୍ୟୁରୋ : ଗ୍ଲୋବାଲ ଟେଣ୍ଡରରୁ ଓଡ଼ିଶାକୁ ବିଦେଶୀ କମ୍ପାନୀ କରୋନା ଟିକା ମିଳିବା ନେଇ ସନ୍ଦେହ ବଢିଛି । କେନ୍ଦ୍ର ମନ୍ତ୍ରୀ ଡ଼ାକ୍ତର ହର୍ଷବର୍ଦ୍ଧନଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଲେଖିଥିବା ଚିଠିରୁ ଏହି ସୁଚନା ମିଳିଛି । ମନ୍ତ୍ରୀ ଲେଖିଛନ୍ତି ରାଜ୍ୟର ଟିକା ଆବଶ୍ୟକତା ପୁରଣ କରିବାକୁ ଗ୍ଲୋବାଲ ଟେଣ୍ଡର ପାଇଁ ପ୍ରି-ବିଡ଼ ମିଟିଂ କରାଯାଇଥିଲା । ହେଲେ ଏଥିରେ ସାମିଲ ହୋଇନଥିଲେ ସେରମ୍ ଇନଷ୍ଟିଚ୍ୟୁଟ୍ ଓ ଭାରତ ବାୟୋଟେକ୍ । ରାଜ୍ୟର ଆବଶ୍ୟକତା ଅନୁଯାୟୀ ଏହି ଦୁଇ କମ୍ପାନୀ ଟିକା ଯୋଗାଇ ପାରୁନାହାଁନ୍ତି ।

ସେପଟେ ଗ୍ଲୋବାଲ ଟେଣ୍ଡର ଜରିଆରେ ଓଡ଼ିଶା ସରକାର ବିଦେଶୀ କମ୍ପାନୀ ଠାରୁ ଟିକା କିଣିବାକୁ ଚାହୁଁଛନ୍ତି । ହେଲେ ଅନ୍ୟ ରାଜ୍ୟରେ ହୋଇଥିବା ଗ୍ଲୋବାଲ ଟେଣ୍ଡରରେ କେହି ବିଦେଶୀ କମ୍ପାନୀ ରାଜ୍ୟକୁ ଟିକା ଯୋଗାଣ ପାଇଁ ରାଜି ହେଉନଥିବା ମିଡ଼ିଆ ରିପୋର୍ଟ ପ୍ରକାଶ ପାଇଛି । ମଡ଼ର୍ଣ୍ଣା ଓ ଫାଇଜର ଭଳି ବିଦେଶୀ କମ୍ପାନୀ କେବଳ କେନ୍ଦ୍ର ସରକାରଙ୍କ ସହ ଡ଼ିଲ କରିବାକୁ ଚାହୁଁଛନ୍ତି । ତେଣୁ ମନ୍ତ୍ରୀ ଚିଠିରେ ଲେଖିଛନ୍ତି କେନ୍ଦ୍ର ସରକାର ଏହି କମ୍ପାନୀ ଠାରୁ ଟିକା ଆଣି ରାଜ୍ୟକୁ ଯୋଗାଇ ଦିଅନ୍ତୁ । ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ ।