ଶବକୁ ଏ କି ସମ୍ମାନ? ଅଚଳ ହେଲାଣି ଫ୍ରିଜର,  ଚଟାଣରେ ମୂଷା ଓ ଚୁଚୁନ୍ଦ୍ରାଙ୍କ ମୁହଁରେ ମୃତଦେହ । କପଡା ଘୋଡାଇ ଦେଇ କାମ ଚଳାଉଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । 

Advertisment
ଶବକୁ ଏ କି ସମ୍ମାନ? ଅଚଳ ହେଲାଣି ଫ୍ରିଜର,  ଚଟାଣରେ ମୂଷା ଓ ଚୁଚୁନ୍ଦ୍ରାଙ୍କ ମୁହଁରେ ମୃତଦେହ । କପଡା ଘୋଡାଇ ଦେଇ କାମ ଚଳାଉଛନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । 

କନକ ବ୍ୟୁରୋ :  କୌଣସି ପରିସ୍ଥିତିରେ ବି ଶବକୁ ଅସମ୍ମାନିତ କରାଯିବ ନାହିଁ। ଶବ ସତ୍କାର ହେବା ପର୍ଯ୍ୟନ୍ତ ଯଥା ସମ୍ମାନ ଓ ମର୍ୟ୍ୟାଦା ଦିଆଯିବ। କିନ୍ତୁ ଏବେ ସବୁ ପ୍ରତିଶ୍ରୁତି ପାଣିର ଗାର ପାଲଟିଛି। ଶବ ସଂରକ୍ଷଣ ଗୃହରେ ଅସୁରକ୍ଷିତ ହୋଇପଡ଼ୁଛି ଶବ। ଫ୍ରିଜର୍‌ ଅଚଳ ହୋଇପଡ଼ିଥିବାରୁ ଚଟାଣରେ ଗଡ଼ାଇ ଦିଆଯାଉଛି ମୃତଦେହ। ଫଳରେ ରାତିରେ ଚୁଚୁନ୍ଦ୍ରା ଓ ମୂଷାଙ୍କ ମୁହଁରେ ଶବ ଖଣ୍ଡିଆଖାବରା ହୋଇପଡ଼ୁଛି। ଏଭଳି ଉଦବେଗର କଥା ଦେଖିବାକୁ ମିଳୁଛି କ୍ୟାପିଟାଲ ହସ୍ପିଟାଲ‌ରେ। ପ୍ରାଶାସନିକ ଅବହେଳାରୁ ଫ୍ରିଜର୍‌ ମରାମତି କରାଯାଉନାହିଁ ଓ ମୃତଦେହକୁ ଅସମ୍ମାନିତ କରାଯାଉଛି ବୋଲି ଅଭିଯୋଗ ହେଉଛି।

ମିଳିଥିବା ସୂଚନା ଅନୁସା‌ରେ, କ୍ୟାପିଟାଲ ହସ୍ପିଟାଲକୁ ପୂର୍ବରୁ ଦୈନିକ ୩/୪ଟି ମୃତଦେହ ଆସୁଥିଲା। କିନ୍ତୁ ଏବେ ଏହି ସଂଖ୍ୟା ତିନିଗୁଣା ବୃଦ୍ଧି ପାଇଛି। ଦିନକୁ ୧୦ରୁ ୧୫ଟି ମୃତଦେହ ଆସୁଛି। ଦୁଇବର୍ଷ ତଳେ ତିଆରି ହୋଇଥିବା ଶବ ସଂରକ୍ଷଣ ଗୃହରେ ୮ଟି ଫ୍ରିଜର୍‌ ଥିଲା। ତେଣୁ ଏକକାଳୀନ ୮ ମୃତଦେହ ରଖାଯାଇପାରୁଥିଲା। କିନ୍ତୁ ଏବେ ୪ଟି ଫ୍ରିଜର୍‌ ଖରାପ ହୋଇଯାଇଛି। ତେଣୁ ମାତ୍ର ୪ଟି ମୃତଦେହ ସାଇତିବା ସମ୍ଭବ ହେଉଛି। ଫଳରେ ଯେଉଁ ସମୟରେ ଏକାଥରକେ ୧୦/୧୨ଟି ମୃତଦେହ ଆସି ଯାଉଛି ଓ ବ୍ୟବଚ୍ଛେଦ କରାଇ ପରିବାର ଲୋକ ନେଇ ପାରୁନାହାନ୍ତି, ସେତେବେଳେ ସମସ୍ୟା ଉପୁଜୁଛି। ଫ୍ରିଜରରେ ସ୍ଥାନାଭାବ କାରଣରୁ ଶବଗୁଡ଼ିକୁ ଚଟାଣରେ ପକାଇ ରଖାଯାଉଛି। ମୃତଦେହକୁ କପଡ଼ାରେ ଘୋଡ଼ାଇ ରଖିଲେ ମଧ୍ୟ ରାତିରେ ଚୁଚୁନ୍ଦ୍ରାମାନେ ଖଣ୍ଡିଆଖାବରା କରି ପକାଉଛନ୍ତି।

publive-imageବହୁ ସମୟରେ ହସ୍ପିଟାଲକୁ ଶବ ଅଣାଯାଉଥିବା ବେଳେ ବାଟରେ ରୋଗୀର ମୃତ୍ୟୁ ଘଟୁଛି। ହସ୍ପିଟାଲରେ ରୋଗୀକୁ ରିସିଭ୍‌ ଡେଡ୍‌ ଘୋଷଣା କରାଯାଉଛି। ସେମିତି ଚିକିତ୍ସାଧୀନ ଅବସ୍ଥାରେ କିଛି ରୋଗୀଙ୍କର ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରୁ କେତେକଙ୍କର କରୋନା ଲକ୍ଷଣ ମଧ୍ୟ ରହୁଛି। ତେଣୁ ପରୀକ୍ଷା ପରେ ଶବ ବ୍ୟବଚ୍ଛେଦ କରିବାକୁ ପଡ଼ୁଛି। ଏତେ ସଂଖ୍ୟାରେ ମୃତଦେହ ଆସୁଥିବାରୁ ଶବ ବ୍ୟବଚ୍ଛେଦ ମଧ୍ୟ ବିଳମ୍ବ ହେଉଛି ଓ ଶବ ସଂରକ୍ଷଣ ଗୃହରେ ଶବ ଅସମ୍ମାନିତ ହେଉଛି। ଫଳରେ ଅଯଥାରେ ଶବ ସତ୍କାର ମଧ୍ୟ ବିଳମ୍ବିତ ହେଉଛି। ଅଚଳ ହୋଇ ପଡିଥିବା ୪ଫ୍ରିଜର୍‌ କାମ କରୁଥିଲେ, ସମସ୍ୟା କିଛିଟା ଦୂର ହୋଇପାରନ୍ତା। ମାତ୍ର ହସ୍ପିଟାଲ ପ୍ରଶାସନ ଏ ଦିଗରେ ଅବହେଳା କରୁଥିବା ଅଭିଯୋଗ ହେଉଛି। ନୂଆ ଫ୍ରିଜର୍‌ ଲଗାଇବା ପାଇଁ ଦାବି ହୋଇଛି। ଏ ସମ୍ପର୍କରେ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଏଲ.ଡି ସାହୁ କହିଛନ୍ତି ଯେ ଅଚଳ ଫ୍ରିଜରକୁ ମରାମତି କରିବା ଲାଗି ସମ୍ପୃକ୍ତ ସଂସ୍ଥାକୁ ଖବର ଦିଆଯାଇଛି। କିନ୍ତୁ କେବେ ମରାମତି ହେବ ଓ ଏହାର ରକ୍ଷଣାବେକ୍ଷଣ ଦାୟିତ୍ବ ନେଇଥିବା ସଂସ୍ଥାକୁ କିଭଳି ନିର୍ଦ୍ଦେଶ ଦିଆଯାଇଛି ବୋଲି ପ୍ରଶ୍ନକୁ ସେ ଏଡ଼ାଇ ଯାଇଥିଲେ।

ଏହି ପ୍ରସଙ୍ଗରେ ଅଧିକ ସମସ୍ୟା ସୃଷ୍ଟି କରୁଛି ହସ୍ପିଟାଲକୁ ଆସୁଥିବା ଅଚିହ୍ନା ଶବ। ରାସ୍ତାରୁ ଉଦ୍ଧାର ହେଉଥିବା ଅପରିଚିତ ଶବ ଓ ଦୁର୍ଘଟଣାରେ ଆହତ ହୋଇ ହସ୍ପିଟାଲକୁ ଆସିବା ପରେ ମୃତ ଘୋଷିତ ହେଉଥିବା ବ୍ୟକ୍ତିଙ୍କ ଶବ ବେଶି ସମସ୍ୟାର କାରଣ ହେଉଛି। ଅପରିଚିତ ମୃତଦେହ ଚିହ୍ନଟ ହେବା ପର୍ଯ୍ୟନ୍ତ ପୁଲିସ ମୃତଦେହକୁ ଶବ ସଂରକ୍ଷଣ ଗୃହରେ ରଖୁଛି। ବିଶେଷକରି ଏଭଳି ମୃତଦେହକୁ ୭୨ ଘଣ୍ଟାରୁ ଅଧିକ ସମୟ ରଖିବାକୁ ପଡ଼ୁଛି। ଏମିତିକି କେତେକ କ୍ଷେତ୍ରରେ ପରିଚୟ ପାଇବା ପାଇଁ ପୁଲିସକୁ ଅଧିକ ଦିନ ମୃତଦେହକୁ ସାଇତିବାକୁ ପଡ଼େ। ରାଜଧାନୀର ବହୁଚର୍ଚ୍ଚିତ ନାବାଳକ ପୁଅଙ୍କ ହାତରେ ମା’ ବିନୋଦିନୀ ମିଶ୍ରଙ୍କ ହତ୍ୟା ମାମଲାରେ ପୁଲିସ ୭ ଦିନ ପର୍ଯ୍ୟନ୍ତ ଶବ ସାଇତି ରଖିଥିଲା। ତେଣୁ ସେଗୁଡ଼ିକୁ ଆଗ ଫ୍ରିଜରରେ ରଖିବାକୁ ପଡ଼ିଥାଏ। ଫଳରେ ଅନ୍ୟ ଶବଗୁଡ଼ିକୁ ଚଟାଣରେ ରଖିବାକୁ ପଡ଼ୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe