ଭାରତକୁ ଟିକା ମାଗିବାକୁ ଆତଙ୍କୀ ଦେଶ ପାକିସ୍ତାନକୁ ଲାଗୁଛିି ଲାଜ ? କରୋନା କାଳରେ ଲୋକଙ୍କ ଜୀବନ ପଛେ ବାଜିରେ ଲାଗିଥାଉ, କିନ୍ତୁ ଅହଙ୍କାରୀ ପାକିସ୍ତାନ ଭାରତକୁ ମାଗୁନି ଭ୍ୟାକସିନ୍ ।

497

କନକ ବ୍ୟୁରୋ : ଟିକା ପାଇଁ ନାହିଁ କି ଟଙ୍କା ? ନା ଭାରତକୁ ଟିକା ମାଗିବାକୁ ପାକିସ୍ତାନକୁ ଲାଗୁଛିି ଲାଜ ? ଭାରତକୁ ଭ୍ୟାକସିନ୍ ମାଗୁନି ପଡୋଶୀ ପାକିସ୍ତାନ ? କରୋନା ମହାମାରୀ ଭିତରେ ଯେତେବେଳେ ପୂରା ବିଶ୍ୱ ଅସହାୟ ହୋଇପଡିଥିଲା, ସେତେବେଳେ କରୋନା ଲଢ଼େଇରେ ଭୁତାଣୁକୁ ପରାସ୍ତ କରିବା ପାଇଁ ସଞ୍ଜୀବନି ସ୍ୱରୂପ ଭ୍ୟାକସିନକୁ ସାରା ବିଶ୍ୱବାସୀ ଚାହିଁ ରହିଥିଲେ । କେବେ ଭ୍ୟାକସିନ୍ ଆସିବ ଆଉ ମହାମାରୀରୁ ମୁକ୍ତି ମିଳିବ । ପାଖାପାଖି ୧୦ ମାସ ପରେ ଭାରତକୁ ବଡ ସଫଳତା ମିଳିଲା, ଏବଂ ଦୁଇ ଦୁଇଟି ଟିକାକୁ ଗ୍ରୀନ୍ ସିଗନାଲ୍ ମିଳିଲା । ଆଉ କରୋନା ଲଢେଇରେ ସାରା ବିଶ୍ୱରେ ନୂଆ ଆଶା ସଂଚାର ହେଲା ।

ଏହାରି ଭିତରେ ବିଦେଶୀ ରାଷ୍ଟ୍ରଙ୍କ ଅନୁରୋଧକ୍ରମେ କରୋନା ଟିକା ରପ୍ତାନୀ କରିଛି ଭାରତ । କିନ୍ତୁ ସୀମାକୁ ଲାଗି ରହିଥିବା ପଡୋଶୀ ଦେଶ ପାକିସ୍ତାନ ଏଯାଏଁ ଭାରତକୁ ଟିକା ମାଗିନାହିଁ । ଗୋଟିଏ ପଟେ ସଂକ୍ରମଣ ସମ୍ପୂର୍ଣ୍ଣ କମିନଥିବା ବେଳେ ପାକିସ୍ତାନରେ ପ୍ରତିଦିନ କରୋନାଜନିତ ମୃତ୍ୟୁ ମଧ୍ୟ ଘଟୁଛି । ଲୋକଙ୍କ ଜୀବନ ପଛେ ବାଜିରେ ଲାଗିଥାଉ, କିନ୍ତୁ ଅହଂକାରୀ ପାକିସ୍ତାନ ଭାରତକୁ ଏଯାଏଁ ଟିକା ମାଗୁନାହିଁ ।

କୁହାଯାଉଛି, ଭାରତକୁ ଟିକା ମାଗିବାକୁ କୁଆଡେ ଅହଙ୍କାରୀ ଆଉ ଆତଙ୍କୀ ଦେଶ ପାକିସ୍ତାନକୁ ଲାଜ ଲାଗୁଛି । ଲାଜ ଲାଗିବନି ବା କେମିତି । ବାରମ୍ବାର ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ ଏବଂ ଆତଙ୍କବାଦ ପାଇଁ ବିଶ୍ୱସ୍ତରରେ ମଧ୍ୟ ଲଜ୍ଜିତ ହୋଇସାରିଛି ପାକିସ୍ତାନ । ହେଲେ ବି ସୈତାନ ପାକିସ୍ତାନ ନିଜ ସ୍ୱଭାବରେ ପରିବର୍ତନ ଆଣୁନାହିଁ ।

୨୬, ୧୧ ମୁମ୍ବାଇ ଆକ୍ରମଣ ଠାରୁ ଆରମ୍ଭ କରି ପୁଲୱାମାରେ ଯବାନଙ୍କ ଗାଡି ଉପରେ ବିସ୍ଫୋରଣ । ଗୋଟିଏ ପରେ ଗୋଟିଏ ଆତଙ୍କବାଦ କାର୍ଯ୍ୟକଳାପର ଷଡଯନ୍ତ୍ର କରି ଭାରତ ଛାତିରେ ପାକିସ୍ତାନ ଯେଉଁ କ୍ଷତ ଭରିଛି, ତାକୁ କେବେ ବି ଭୁଲିବନି ଭାରତ । ପ୍ରତିବାଦରେ ଭାରତ ବି କଡା ଜବାବ ଦେଇଛି । ପ୍ରତି ଥର ଭାରତ ଠାରୁ ଠୋକର ଖାଇବା ପରେ ଏବେ ଆଉ କେଉଁ ମୁହଁରେ ବା ଭାରତକୁ ପାକିସ୍ତାନ ଟିକା ମାଗିବ ।

ସବୁବେଳେ ଶାନ୍ତିରେ ବିଶ୍ୱାସ କରୁଥିବା ଭାରତ କିନ୍ତୁ ମନରେ କାହା ପ୍ରତି ବିଦ୍ୱେଷ ମନୋଭାବ ରଖେନାହିଁ । ଆଉ ସେଇଥିପାଇଁ ତ ପ୍ରଥମ ପର୍ଯ୍ୟାୟରେ ବ୍ରାଜିଲ, ମରକ୍କୋ, ଦକ୍ଷିଣ ଆଫ୍ରିକା, ସାଉଦି ଆରବ, ବାଲାଂଦେଶ ଓ ମିୟାଁମାରକୁ ଟିକା ପଠାଇଛି ଭାରତ । ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ ଶ୍ରୀଲଙ୍କା ଓ ଆଫଗାନିସ୍ତାନକୁ ମଧ୍ୟ ଭାରତରେ ନିର୍ମିତ ଟିକା ପଠାଯିବାର ଅଛି ।

ଏହା ପୂର୍ବରୁ ଚଳିତ ସପ୍ତାହ ଆରମ୍ଭରେ ଭୂଟାନ, ମାଳଦ୍ୱୀପ, ବାଂଲାଦେଶ ଓ ନେପାଳକୁ ମାଗଣା କରୋନା ଟିକା ପଠାଇଛି ଭାରତ । ସାରା ବିଶ୍ୱରେ କରୋନା ମହାମାରୀ ବିରୋଧି ଲଢେଇରେ ଭାରତରେ ନିର୍ମିତ ଟିକାର ବ୍ୟବହାର କରାଯିବ ବୋଲି ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆଉ ଏହାକୁ ନଜରରେ ରଖି ପଡୋଶୀ ରାଷ୍ଟ୍ର ଗୁଡିକୁ କରୋନା ଟିକା ଯୋଗାଇ ଦିଆଯାଇଥିବା ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।