କରୋନା କାଳରେ କେନ୍ଦୁଝରରେ ସରକାରୀ ବାବୁଙ୍କ ମନମାନି । ମାସ ମାସ ହେବ ଗରିବ ଲୋକଙ୍କୁ ରାସନ ମିଳୁନି, ବୃଦ୍ଧ ଓ ବୃଦ୍ଧାଙ୍କୁ ମିଳୁନି ଭତ୍ତା । 

172

କନକ ବ୍ୟୁରୋ : ଗୋଟିଏ ପଟେ କରୋନାର ପ୍ରକୋପରେ ଗରିବ ଖଟିଖିଆ ପେଟ ପାଇଁ ସଂଘର୍ଷ କରୁଛନ୍ତି, ଅନ୍ୟପଟେ ସେମାନଙ୍କ ଭୋକ ମେଣ୍ଟାଇବାକୁ ସରକାର ରାସନ ଏବଂ ଭତ୍ତା ଯୋଗାଣ ଉପରେ ଗୁରୁତ୍ୱ ଦେଉଛନ୍ତି ।  କିନ୍ତୁ ବିଭାଗୀୟ ଅଧିକାରୀଙ୍କ ମନମୁଖୀ କାମ ଯୋଗୁଁ ମାସ ମାସ ଧରି ରାସନ ନପାଇ ଭୋକରେ ଆଉଟୁ ପାଉଟୁ ହେଉଛନ୍ତି ହିତାଧିକାରୀ । ଏପରି ଅଭିଯୋଗ ଆସିଛି କେନ୍ଦୁଝର ହରିଚନ୍ଦନପୁର ବ୍ଲକ ଅଞ୍ଚଳରୁ ।

କେନ୍ଦୁଝର ହରିଚନ୍ଦୁର ବ୍ଲକର ଆଦିବାସୀ ଅଧ୍ୟୁଷିତ ତେନ୍ତୁଳିପଶ ପଂଚାୟତର ୧୫ଟି ଗାଁରେ ୬ହଜାରରୁ ଲୋକ ବସବାସ କରନ୍ତି । ପ୍ରାୟ ସମସ୍ତେ ଗରିବ ଓ ଦିନ ମଜୁରିଆ । କରୋନା ଯୋଗୁଁ କାମ ଧନ୍ଦା ମିଳୁନି, ଏତିକି ବେଳେ ସରକାରଙ୍କ ପକ୍ଷରୁ ମିଳୁଥିବା ରାସନ ଓ ଭତ୍ତାରେ ଏମାନଙ୍କ ପେଟ ପୁରେ । କିନ୍ତୁ  ବିଡମ୍ବନରା ବିଷୟ ଦୀର୍ଘ ତିନି ମାସରୁ ଉଦ୍ଧ୍ୱର୍ ହେବ ପଂଚାୟତର ହିତାଧିକାରୀଙ୍କୁ ରାସନ ମିଳୁନାହିଁ କି ବୃଦ୍ଧ, ବୃଦ୍ଧା ଏବଂ ବିଧବାଙ୍କୁ  ଭତ୍ତା । ଫଳରେ ଓଳିଏ ଖାଇଲେ ଓଳିଏ ଉପାସରେ ରହିବାକୁ ପଡୁଛି ।

ଆଦିବାସୀଙ୍କ ଅଭିଯୋଗ ନେଇ ଆମ ପ୍ରତିନିଧି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ । ଆମ ପ୍ରତିନିଧିଙ୍କ ଠାରୁ ସବୁ ଶୁଣିବା ପରେ ଘଟଣାର ତଦନ୍ତ କରି ଯଥାଶୀଘ୍ର ଭତ୍ତା ଏବଂ ରାସନ ସାମଗ୍ରୀ ଯୋଗାଇ ଦିଆହେବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ତେବେ ଗ୍ରାମ ଉନ୍ନୟନ ପ୍ରକଳ୍ପ ଅଧିକାରୀଙ୍କ ହସ୍ତକ୍ଷେପ ପରେ କେବେ ହିତାଧିକାରୀଙ୍କୁ ମିଳୁଛି ସେମାନଙ୍କ ହକ୍ ତାହା ଆଗାମୀ ଦିନରେ ହିଁ ସ୍ପଷ୍ଟ ହେବ ।