୨୮୭ବର୍ଷ ପରେ ପୁରୀରେ ହେବ ନାହିଁ ରଥଯାତ୍ରା । ସୁପ୍ରିମକୋର୍ଟ କହିଲେ, ଲୋକଙ୍କ ସୁରକ୍ଷା ପାଇଁ ନିଆଗଲା ନିଷ୍ପତ୍ତି, କ୍ଷମା କରିଦେବେ ଜଗନ୍ନାଥ ।

999

କନକ ବ୍ୟୁରୋ : ୨୮୭ ବର୍ଷ ପରେ ଚଳିତବର୍ଷ ମହାପ୍ରଭୁଙ୍କ ସବୁଠୁ ବଡ ପର୍ବ ରଥଯାତ୍ରା ହେବ ନାହିଁ । ରଥଯାତ୍ରା ଆୟୋଜନ ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ । ଓଡିଶା ବିକାଶ ପରିଷଦର ଆବେଦନର ଶୁଣାଣି କରି ପ୍ରଧାନ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ରଥଯାତ୍ରା ବନ୍ଦ ରଖିବାକୁ ରାୟ ଦେଇଛନ୍ତି ।

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି କହିଛନ୍ତି, କରୋନା ମହାମାରୀ ସମୟରେ ରଥଯାତ୍ରା ପାଇଁ ଅନୁମତି ଦେଲେ ଜଗନ୍ନାଥ କ୍ଷମା କରିବେ ନାହିଁ । ଜନତାଙ୍କ ନିରାପତା ଓ ସ୍ୱାସ୍ଥ୍ୟକୁ ଆଖିରେ ରଖି ଚଳିତବର୍ଷର ରଥଯାତ୍ରାକୁ ସ୍ଥଗିତ ରଖାଯାଇଛି । ସୁପ୍ରିମକୋର୍ଟଙ୍କ ରାୟ ପରେ ଆସନ୍ତା ୨୩ ତାରିଖରେ ଶ୍ରୀଜିଉଙ୍କ ରଥଯାତ୍ରା ଉପରେ ରୋକ ଲାଗିଛି । ଏଥିସହ ଓଡିଶାର କୌଣସି ସ୍ଥାନରେ ବି ରଥଯାତ୍ରା ଅୟୋଜନ ହୋଇପାରିବନି ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ।

ରଥଖଳାରେ ଯେତେବେଳେ ରଥ ନିର୍ମାଣ ଆରମ୍ଭ ହେଲା, ସେତେବେଳେ ରଥଯାତ୍ରା ହେବା ନେଇ ଏକ ନୂଆ ଆଶା ସୃଷ୍ଟି ହୋଇଥିଲା । ଆଉ ଯେତେବେଳେ ସ୍ନାନଯାତ୍ରାରେ ଟିଭି ପରଦାରେ ଭକ୍ତ ଶ୍ରୀଜିଉଙ୍କୁ ଦର୍ଶନ କଲେ, ସେତେବେଳେ ସମସ୍ତେ ଭାବିବା ଆରମ୍ଭ କରିଦେଲେ ଯେ ଚଳିତବର୍ଷ ବିନା ଭକ୍ତରେ ହୁଏତ ରଥଯାତ୍ରା ହୋଇଯିବ ।

ରଥଯାତ୍ରା ଉପରେ ଲାଗିଲା ରୋକ୍ । ଅନୁମତି ଦେଲେ ନାହିଁ ସୁପ୍ରିମକୋର୍ଟ । ରଥଯାତ୍ରା ନେଇ ସମସ୍ତଙ୍କ ନଜର ସୁପ୍ରିମକୋର୍ଟ ଉପରେ ଥିବାବେଳେ ପ୍ରଧାନ ବିଚାରପତି ରଥଯାତ୍ରା ଉପରେ ରୋକ ଲଗାଇଛନ୍ତି । ଏହାସହ ଦ୍ରୁତ ଗତିରେ ଆଗେଇ ଚାଲିଥିବା ରଥ କାମ ଅଟକି ଯାଇଛି ।

ପ୍ରଧାନ ବିଚାରପତି ଜଷ୍ଟିସ ଏସ ଏ ବୋବଡେ, ଜଷ୍ଟିସ ଦୀନେଶ ମାହେଶ୍ୱରୀ ଓ ଜଷ୍ଟିସ ଏ ଏସ ବୋପାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଚଳିତବର୍ଷ ରଥଯାତ୍ରା ନକରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଓଡିଶା ବିକାଶ ପରିଷଦର ଆବେଦନର ଶୁଣାଣି କରି ଏହି ରାୟ ଦେଇଛନ୍ତି ସୁପ୍ରିମକୋର୍ଟ ।

ନଜର ପକାନ୍ତୁ ରଥଯାତ୍ରା ବନ୍ଦ କରିବା ପାଇଁ ହୋଇଥିବା ଆବେଦନର ଣୁଣାଣି ବେଳେ ସର୍ବୋଚ୍ଚ ନ୍ୟାୟାଳୟରେ କଣ ସବୁ ଯୁକ୍ତି ସାମ୍ନାକୁ ଆସିଛି । ଓଡିଶା ବିକାଶ ପରିଷଦର ଓକିଲ ମୁକୁଲ ରୋହତଗି କହିଥିଲେ ରଥଯାତ୍ରା ପାଇଁ ୧୦ଲକ୍ଷ ଲୋକଙ୍କ ସମାବେଶକୁ ଅନୁମତି ଦିଆ ନଯାଉ । ଏହା ଦ୍ୱାରା କରୋନା ସଂକ୍ରମଣ ବଢିବାର ଆଶଙ୍କା ରହିଛି । ଏଥିରେ ସହମତି ପ୍ରକାଶ କରି ପ୍ରଧାନ ବିଚାରପତି କହିଥିଲେ, ଆମେ ଏହାକୁ ଅନୁମତି ଦେବୁ ନାହିଁ । ରଥଯାତ୍ରା କାର୍ଯ୍ୟ ଆଗକୁ ବଢିଲେ ମହାପ୍ରଭୁ ଶ୍ରୀଜଗନ୍ନାଥ ଆମକୁ କ୍ଷମା ଦେବେ ନାହିଁ । ଏହାରି ଭିତରେ ସଲିସିଟର ଜେନେରାଲ ତୁଷାର ମେହେଟା ଅନୁରୋଧ କରିଥିଲେ ଯେ, କୋର୍ଟ ରଥଯାତ୍ରା ଉପରେ ସମ୍ପୂର୍ଣ୍ଣ କଟକଣା ଲଗାନ୍ତୁ ନାହିଁ । ବିନା ଜନସମାବେଶରେ ଏକ ବିକଳ୍ପ ବ୍ୟବସ୍ଥାରେ ନୀତିକାନ୍ତି ପାଇଁ ଅନୁମତି ଦିଅନ୍ତୁ ।

ସବୁପକ୍ଷକୁ ଶୁଣିବା ପରେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କହିଥିଲେ, ଲୋକଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷାକୁ ଦୃଷ୍ଟିରେ ରଖି ରଥଯାତ୍ରା ଆୟୋଜନରୁ ନିବୃତ୍ତ ରୁହନ୍ତୁ । ଚଳିତବର୍ଷ ଓଡିଶାରେ ରଥଯାତ୍ରା ହୋଇପାରିବ ନାହିଁ । ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଥିବାରୁ ଶ୍ରୀଜଗନ୍ନାଥ ଆମକୁ କ୍ଷମା କରିବେ ।

କେବଳ ଶ୍ରୀକ୍ଷେତ୍ର ନୁହେଁ ଓଡିଶାର କୌଣସି ସ୍ଥାନରେ ବି ରଥଯାତ୍ରା ଆୟୋଜନ ହୋଇ ପାରିବ ନାହିଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଏଭଳି ନିଷ୍ପତ୍ତି ନିଆଯାଇଥିବାରୁ ଶ୍ରୀଜଗନ୍ନାଥ କ୍ଷମା କରିବେ ବୋଲି କହିଥିଲେ ପ୍ର୍ରଧାନ ବିଚାରପତି । ରଥଯାତ୍ରା ସହ ରଥଯାତ୍ରା ସମ୍ପର୍କୀତ କୌଣସି କାର୍ଯ୍ୟକ୍ରମ ନକରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଫଳରେ ଶହ ଶହ ବର୍ଷର ପରମ୍ପରାରେ ରୋକ ଲାଗିଛି ।