ପାଣି ନାହିଁ ପଡିଆ ପଡିଛି ଜମି । ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ଅଭାବରୁ ପଛେଇ ଯାଇଛି ଖରିଫ ଚାଷ, ବାଲେଶ୍ୱର ବସ୍ତାରେ ଜଳିଗଲାଣି ଧାନ ତଳି, ଫାଟି ଆଁ କରିଛି ରୁଆ ବିଲ ।

135

କନକ ବ୍ୟୁରୋ: ବର୍ଷାର ଲୁଚକାଳି ଖେଳ ଚାଷୀଙ୍କ ମୁଣ୍ଡ ବିନ୍ଧାର କାରଣ ସାଜିଛି, ବର୍ଷ ଆରମ୍ଭରୁ ଠିକ ସମୟରେ ବର୍ଷା ହୋଇ ଥିବାରୁ ଆନନ୍ଦରେ ଚାଷୀ ଚାଷ କାମ ଆରମ୍ଭ କରିଥିଲା । ମାତ୍ର ତଳି ପକାଇ ସାରିବା ପରେ ରୁଆ ବେଳକୁ ବର୍ଷାର ଅର୍ନ୍ତଧ୍ୟାନ ଚାଷୀଙ୍କ ପାଇଁ କାଳ ହୋଇଛି । ତଳି ଶୁଖି ଯିବା ସହ କିଛି ରୁଆ ଜମି ବି ଫାଟି ଆଁ କରିଛି । ଯାହାକୁ ଦେଖି ମୁଣ୍ଡରେ ହାତ ଦେଇ ବସିଛନ୍ତି ଚାଷୀ ।

ଉତର ବାଲେଶ୍ୱରର ୮୦ ପ୍ରତିଶତ ଲୋକେ ଧାନ ଚାଷ ଉପରେ ନିର୍ଭର କରନ୍ତି । ଖରିଫ ଋତୁରେ ଧାନ ଚାଷ କରି ଏଠାକାର ଚାଷି ବର୍ଷର ଆହାର ଯୋଗାଡ କରିଥାନ୍ତି । ଚଳିତ ବର୍ଷ ଆରମ୍ଭରୁ ଭଲ ବର୍ଷା ହେବାରୁ ଧାନ ତଳି ପକାଇ ଚାଷ କାମ କରିଥିଲେ ଚାଷୀ । ଫସଲ ଭଲ ହେବ ବୋଲି ଆଶି ରଖିଥିଲେ । ହେଲେ ଧାନ ରୁଆ-ବେଉଶଣ ବେଳକୁ ବର୍ଷା ଉଭାନ ହୋଇଯିବାରୁ ଚାଷୀଙ୍କ ଚିନ୍ତା ବଢି ଯାଇଛି । ତଳି ଶୁଖିଯିବା ସହ କିଛି ରୁଆ ଜମିରେ ଗଛ ଝାଉଁଳି ଗଲାଣି । ଯଦି ସପ୍ତାହେ ମଧ୍ୟରେ ବର୍ଷା ନହୁଏ ତାହା ହେଲେ ଆଉ ଚାଷ ସମ୍ଭବ ନୁହେଁ ବୋଲି ଚାଷୀ କହିଛନ୍ତି ।

ବାଲେଶ୍ୱର ବସ୍ତା ବ୍ଲକରେ ୨୦,୨୦୦ ହେକ୍ଟର ଜମିରେ ଧାନ ଚାଷ ହୁଏ । ମାତ୍ର ଏବର୍ଷ ଅଭାବି ବର୍ଷା ଯୋଗୁଁ ପ୍ରାୟ ୬୦ ପ୍ରତିଶତ ଚାଷ ପ୍ରଭାବିତ ହୋଇଛି । ବସ୍ତାରେ ଆବଶ୍ୟକ ଠାରୁ ଖୁବ୍ କମ୍ ବର୍ଷା ହୋଇଛି । ପ୍ରତିବର୍ଷ ମେ’, ଜୁନ ଏବଂ ଜୁଲାଇ ମାସରେ ଏହି ଅଂଚଳରେ ୮୫୦ ମିଲିମିଟର ବର୍ଷା ହେଇଥାଏ । ହେଲେ ଏବର୍ଷ ୩ ମାସରେ ମାତ୍ର ୫୭୦ ରେକର୍ଡ କରାଯାଇଛି । ଅଭାବି ବର୍ଷା ଯୋଗୁଁ ବସ୍ତା ବ୍ଲକର ବରୁଣଗଡିଆ, ବ୍ରାହ୍ମୁଣଦା, ସଦାନନ୍ଦପୁର, ଦରଡା, ମୁକୁଳିଶି, କୁଳିଦା, ନଟାକଟା, ପତ୍ରଝଡା ପଂଚାୟତର ଚାଷୀ ପ୍ରଭାବିତ ହୋଇଛନ୍ତି । ବସ୍ତା ଦେଇ ବହି ଯାଇଥିବା ପ୍ରମୁଖ ନଦୀ ସୁବର୍ଣ୍ଣରେଖା ଏବଂ ଜଳକା ଶୁଖିଲା ପଡିଥିବାରୁ ଜଳ ସେଚନ ସମ୍ଭବ ନୁହେଁ ବୋଲି ଚାଷୀ ଅଭିଯୋଗ କରିଛନ୍ତି । ପାଣି ଅଭାବରୁ ତଳି ନଷ୍ଟ ହୋଇଯାଇଥିବା ବେଳେ ଏବେ ଯଦି ସରକାର ଚାଷୀମାନଙ୍କୁ ପୁଣି ଥରେ ସ୍ୱଳ୍ପ ସମୟରେ ଧାନ ବିହନ ଯୋଗାଇ ଦିଅନ୍ତି ତେବେ ଚାଷି ଚାଷ କରି ପରନ୍ତେ ବୋଲି କହିଛନ୍ତି ।