କନକ ବ୍ୟୁରୋ : ଆଗକୁ ଆଉ ଚାଷ ପାଇଁ ସମୟ ନାହିଁ। ବିଲରେ ପାଣି ନାହିଁ। ଖରିଫ ଚାଷ ହେବ କେମିତି? ଚାଷକୁ ନେଇ ଚିନ୍ତାରେ ବାମରା ବ୍ଲକ ୯ଟି ପଂଚାୟତର ଚାଷୀ। ଶ୍ରାବଣ ଶେଷରେ ପହଂଚିଲାଣି, ହେଲେ ଏ ପର୍ୟ୍ୟନ୍ତ ଚାଷ କାମ ଆରମ୍ଭ ହୋଇନି। ବର୍ଷା କାଁ ଭାଁ କେମିତି କେତେବେଳେ ହୋଇଥିବା ବେଳେ ଜମି ହଳ କରି ପାଣି ଅପେକ୍ଷାରେ ଚାଷୀ। ବର୍ଷା ନହେବାରୁ ତଳି ସବୁ ପାଚି ଗଲାଣି। ଯେଉଁ ତଳି ୨୦ ଦିନ ଭିତରେ ରୁଆ ହେବା କଥା, ଦୁଇ ମାସ ହେଲା ରୁଆ ହୋଇନାହିଁ ।
ବାମରା ବ୍ଲକର ରବଗା, କିନାବଗା, ସଗରା, କୁଟାରିମାଲ, ବାଉଁଶଲଗା, ଗଡ଼ପୋଷ, ଗୋବିନ୍ଦପୁର, ପିଣ୍ଡାପଥର, ଉଚକାପାଟ ଭଳି ପଂଚାୟତରେ ସ୍ଥିତି ଅଣାୟତ ହୋଇଛି। ଆଗକୁ ବର୍ଷା ହେଲେ ବି ଆଉ କିଛି କରିବା ସମ୍ଭବ ନୁହେଁ। ତଥାପି ଯେଉଁଠି ଟିକିଏ ପାଣିର ସୁବିଧା ଅଛି ସେଇଠି କିଛି କିଛି ଚାଷ କରିଥିବା ଦୁଖଃର ସହିତ କହିଛନ୍ତି ଚାଷୀ। ନିଅଂଟିଆ ବର୍ଷାକୁ ସ୍ୱୀକାର କରିବା ସହିତ ଆଗାମୀ ୭ ଦିନ ଭିତରେ ବର୍ଷା ନହେଲେ ସ୍ଥିତି ସଂଗୀନ ହେବ ବୋଲି କହିଛନ୍ତି ଭାରପ୍ରାପ୍ତ କୃଷିଜିଲ୍ଲା ଅଧିକାରୀ ।
ବର୍ତମାନ ସ୍ଥିତିକୁ ଦେଖିଲେ, ଯାହା ଜଣାପଡୁଢି, ବର୍ଷା ଜଳ ଉପରେ ନିର୍ଭର କରୁଥିବା ବାମରା ବ୍ଲକର ଅନେକ ପଂଚାୟତ ଏକ ବଡ ବିପର୍ୟ୍ୟୟର ସାମ୍ନା କରିବାକୁ ବାଧ୍ୟ ହେବ, ଏଥିରେ ଦ୍ୱିମତ ନାହିଁ।