କନକ ବ୍ୟୁରୋ : ୪ ଦିନ ହେଲା ରାଜ୍ୟରେ ମୌସୁମୀର ସ୍ଥିତି ଦୁର୍ବଳ ରହିଛି । ମୌସୁମୀ ଟ୍ରଫ୍‌ଲାଇନ୍‌ ଏବେ ଉତ୍ତରମୁହାଁ ହୋଇଥିବାରୁ ଆସନ୍ତା କିଛି ଦିନ ଧରି ମୌସୁମୀ ଦୁର୍ବଳ ରହିବା ସହ କାଁ ଭାଁ ବର୍ଷାର ସମ୍ଭାବନା ରହିଛି । ଫଳରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ରେକର୍ଡ ହୋଇଥିବା ୨୬.୪% ନିଅଣ୍ଟିଆ ବର୍ଷା ସ୍ଥିତି ଆଗକୁ ଆହୁରି ବଢ଼ିବାର ଆଶଙ୍କା ପ୍ରକାଶ ପାଇଛି । ଏଥିସହ ଚାଷ କାର୍ଯ୍ୟରେ ନାନା ଅସୁବିଧା ସୃଷ୍ଟି ହେବାର ସମ୍ଭାବନା ରହିଛି ।

Advertisment

ବିଶିଷ୍ଟ ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ଅଗଷ୍ଟ ୧୫ ତାରିଖ ଯାଏ ଓଡ଼ିଶା ଓ ସଂଲଗ୍ନ ଉତ୍ତର ବଙ୍ଗୋପସାଗରରେ ମୌସୁମୀ ଦୁର୍ବଳ ରହିବ । ସମ୍ଭବତଃ ଉପକୂଳ ଓଡ଼ିଶା କେନ୍ଦ୍ରୀୟ ଓ ଗଞ୍ଜାମ ସହିତ ଦକ୍ଷିଣ ଓଡ଼ିଶାର କେତେକ ଅଞ୍ଚଳରେ ଅଗଷ୍ଟ ୨୦ ତାରିଖ ପର୍ଯ୍ୟନ୍ତ ବିସ୍ତୃତ କିମ୍ବା ବିଶେଷ ବର୍ଷାର ସମ୍ଭାବନା କମ୍‌ । ଏହି ସମୟରେ ଲଘୁଚାପର କୌଣସି ସଙ୍କେତ ମିଳୁ ନାହିଁ । ଅଗଷ୍ଟ ପ୍ରଥମ ୬ ଦିନରେ ରାଜ୍ୟରେ ପ୍ରାୟ ୬୯ମିମି ବର୍ଷା ଆଶା କରାଯାଉଥିବା ବେଳେ ବର୍ତ୍ତମାନ ସୁଦ୍ଧା ମାତ୍ର ୧୫.୬ ମିମି ବର୍ଷା ହୋଇଛି । ଏହା ସ୍ବାଭାବିକଠାରୁ ପ୍ରାୟ ୭୭% କମ୍‌ । କୌଣସି ଜିଲ୍ଲାରେ ବି ସ୍ବାଭାବିକ ବର୍ଷା ହୋଇନାହିଁ । କୋରାପୁଟ ଜିଲ୍ଲାରେ ସର୍ବାଧିକ ୫୮.୬ ମିମି ବର୍ଷା ହୋଇଥିବା ବେଳେ ଝାରସୁଗୁଡ଼ାରେ ମାତ୍ର ୧.୪ ମିମି ବର୍ଷା ହୋଇଛି । ଜୁନ୍‌ ୧ରୁ ଅଗଷ୍ଟ ୬ ତାରିଖ ସୁଦ୍ଧା ରାଜ୍ୟରେ ୪୬୪ ମିମି ବର୍ଷା ବର୍ଷା ହୋଇଥିବା ବେଳେ ସ୍ବାଭାବିକ ଭାବେ ଏହି ସମୟ ମଧ୍ୟରେ ରାଜ୍ୟରେ ୬୩୦ ମିମି ବର୍ଷା ହୋଇଥାଏ। ଅର୍ଥାତ ରାଜ୍ୟରେ ଏବେ ସୁଦ୍ଧା ୨୬.୪% ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି ।

ଆକଳନ କରାଯାଉଛି ଯେ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଭଦ୍ରକ, ଖୋର୍ଦ୍ଧା, ଜଗତସିଂହପୁର ଓ ପୁରୀ ଜିଲ୍ଲାରେ ସମୁଦାୟ ହାରାହାରି ବର୍ଷା ୨୫ ମିମି ‌ରହିବ । ତା’ ପର ସପ୍ତାହରେ ଏହି ୪ଟି ଜିଲ୍ଲା ସମେତ ବାଲେଶ୍ବର, ଯାଜପୁର ଓ କଟକରେ ମଧ୍ୟ ଆଉ ୨୫ ମିମି ବର୍ଷା ହୋଇପାରେ। ଅର୍ଥାତ ଉପକୂଳ ଜିଲ୍ଲାମାନଙ୍କରେ ଆସନ୍ତା ୨ ସପ୍ତାହରେ ପ୍ରାୟ ୭୦% ନିଅଣ୍ଟିଆ ବର୍ଷାର ସଙ୍କେତ ମିଳୁଛି । ଉପକୂଳ ସଂଲଗ୍ନ ଜିଲ୍ଲାମାନଙ୍କରେ ମଧ୍ୟ ପ୍ରାୟ ୫୦% ନିଅଣ୍ଟିଆ ବର୍ଷା ହୋଇପାରେ। ଉତ୍ତର ଓଡ଼ିଶାର ଝାଡ଼ଖଣ୍ଡ ସୀମାନ୍ତ ଜିଲ୍ଲା, ଛତିଶଗଡ଼ ସୀମାନ୍ତ ଜିଲ୍ଲା ଓ ଅବିଭକ୍ତ କୋରାପୁଟ ଜିଲ୍ଲାରେ ଭଲ ବର୍ଷା ହେବାର ସମ୍ଭାବନା ରହିଛି । ନିଅଣ୍ଟିଆ ବର୍ଷା ଯୋଗୁଁ ଅନେକ ଜିଲ୍ଲାରେ ଧାନରୁଆ ବାଧାପ୍ରାପ୍ତ ହେବ । ଅଣଜଳସେଚିତ ଜିଲ୍ଲାରେ ରୁଆ ବେଉଷଣ ଆଗେଇବ ନାହିଁ । ଏପରିକି ତଳି ଘେରା ମଧ୍ୟ ନଷ୍ଟ ହେବାର ଯଥେଷ୍ଟ ସମ୍ଭାବନା ରହିଛି ।