ପ୍ରତିଶ୍ରୁତିରେ ରହିଗଲା ରେଳ ପ୍ରକଳ୍ପ । ଜିଲ୍ଳାବାସୀଙ୍କ ପାଇଁ ରେଳ ପାଲଟିଲା ସ୍ୱପ୍ନ । ଚୁକ୍ତିନାମାର ୪ ବର୍ଷ ପରେ ବି ମାଓ ଅଂଚଳରେ ଆରମ୍ଭ ହୋଇନି ପ୍ରକଳ୍ପ କାମ

240

କନକ ବ୍ୟୁରୋ: ପ୍ରତିଶ୍ରୁତିରେ ରହିଗଲା ରେଳ ପ୍ରକଳ୍ପ । ଜିଲ୍ଳାବାସୀଙ୍କ ପାଇଁ ପାଲଟିଲା ରେଳ ସ୍ୱପ୍ନ । ଭୋଟ ସମୟ ଆସିଲେ ନେତାଙ୍କୁ ମନେ ପଡ଼େ ମାଓ ଅଚଂଳର ବିକାଶ କଥା । ଆଉ ଭୋଟ ପାଇବା ଆଶାରେ ଅଜାଡ଼ୁଛନ୍ତି ପୁଳା ପୁଳା ପ୍ରତିଶୃତି । ହେଲେ ନେତାଙ୍କ ପ୍ରତିଶ୍ରୁତି କିଭଳି କାମ କରେ, ତାର ଏକ ଜ୍ୱଳନ୍ତ ଉଦାହରଣ ନବରଙ୍ଗପୁର, ଜୟପୁର ଓ ମାଲକାନଗରିକୁ ନେଇ ହୋଇଥିବା ରେଳ ପ୍ରକଳ୍ପ ।

ଘୋଷଣାରେ ଅଟକିଛି ମାଓ ଅଂଚଳରେ ରେଳ ପ୍ରୋଜେକ୍ଟ । ଚୁକ୍ତିନାମାର ୪ ବର୍ଷ ପରେ ଆରମ୍ଭ ହୋଇନି ପ୍ରକଳ୍ପ କାମ । ନବରଙ୍ଗପୁର, ଜୟପୁର ଓ ମାଲକାନଗରିକୁ ରେଳ ମାନଚିତ୍ରରେ ସ୍ଥାନ ଦେବା ପାଇଁ ୨୦୧୬ରେ ଚୁକ୍ତିନାମା କରିଥିଲେ କେନ୍ଦ୍ର ଓ ରାଜ୍ୟ ସରକାର । ୬ ବର୍ଷ ଭିତରେ ରେଳ ସଯୋଂଗୀକରଣ ପାଇଁ ପ୍ରସ୍ତୁତ ହୋଇଥିଲା ଡ଼ିପିଆର । ଜୟପୁର ଠାରୁ ନବରଗଂପୁର ୩୮ କିଲୋମିଟର ଓ ଜୟପୁରରୁ ମାଲକାନଗିରି ୧୩୦ କିଲୋମିଟର ରେଳ ଧାରଣା ବିଛାଯିବ । ରେଳ ଗଡିଲେ, ବ୍ୟବସାୟ ବଢ଼ିବ ଓ ଦାଦନ ହଟିବ । ଏଥିପାଇଁ ସର୍ଭେ ହେଲା, ସରକାରଙ୍କ ପକ୍ଷରୁ ଅନୁଦାନ ବି ଆସିଲା, କିନ୍ତୁ କର୍ମଚାରୀ ନଥିବାରୁ ଜମି ଅଧିଗ୍ରହଣ ହୋଇପାରୁନି କି ଘୋଷଣାର ୪ ବର୍ଷ ପରେ କାମ ହୋଇନି ।

ନବରଙ୍ଗପୁର ଠାରୁ ଜୟପୁର ପର୍ଯ୍ୟନ୍ତ ରେଳ ଲାଇନ ପାଇଁ କୋରାପୁଟ ଜିଲ୍ଳାର ୭୩୨ ଏକର ଓ ନବରଙ୍ଗପୁରର ୪୫ ଏକର ଜମି ଆବଶ୍ୟକ । ୫୦୦ କୋଟିର ଏହି ପ୍ରକଳ୍ପ ଭିତରେ ୪ଟି ଷ୍ଟେସନ ରହିଛି । ସେହିଭଳି ଜୟପୁର ଠାରୁ ମାଲକାନଗିରି ରେଳ ଧାରଣା ସହ ୧୦ଟି ଷ୍ଟେସନ ପାଇଁ ୧୨ଶହ କୋଟିର ବଜେଟ କରାଯାଇଛି । ଏହି ରେଳ ଲାଇନ୍ ପାଇଁ ସରକାରୀ ଜମିକୁ ଛାଡ଼ି ପ୍ରାୟ ୫୯୯ ଏକର ଘରୋଇ ଜମି ଆବଶ୍ୟକ । ଜମି ଅଧିଗ୍ରହଣ ବାବଦରେ ୨୦୧୮-୧୯ ବର୍ଷରେ ରାଜ୍ୟ ସରକାର ୪ କୋଟି ୯୯ ଲକ୍ଷ ଟଙ୍କା ଦେଇଛନ୍ତି । ନବ କୃଷ୍ନ ଚୌଧୁରି ନାମକ ଏକ ସାମାଜିକ ସଂସ୍ଥା ପ୍ରଭାବିତ ଗାଁ ଓ ସ୍ଥାନୀୟ ବାସିନ୍ଦାଙ୍କୁ ଚିହ୍ନଟ କରି ଜମି ଅଧିଗ୍ରହଣ ପାଇଁ ରାଜି କରାଇବାରେ ସହଯୋଗ କରିବାକୁ କୁହାଯାଇଛି । ଏଥିପାଇଁ ୨୦୧୮ ମସିହାରେ ସେହି ସଂସ୍ଥାକୁ ୧୭ କୋଟି ୮୫ ଲକ୍ଷ ଟଙ୍କା ୨୦୧୮ ମସିହାରେ ଦେଇଛନ୍ତି କିନ୍ତୁ ସେ ବି ଚୁପ ବସିଛି । ତେବେ ୩ଟି ଜିଲ୍ଳାରେ ରେଳ ପ୍ରକଳ୍ପ ପଦ୍ମ ଘୁଂଚି ଘୁଂଚି ଯାଉଥିବା ବେଳେ ଏହାକୁ ନେଇ କାଦୁଅ ଫିଙ୍ଗା ରାଜନୀତି ଆରମ୍ଭ କରିଛନ୍ତି ସ୍ଥାନୀୟ ଜନପ୍ରତିନିଧି ।