କରୋନା ପାଇଁ ଅନିଶ୍ଚିତତା ଘେରରେ ରଥଯାତ୍ରା: ଶଙ୍କରାଚାର୍ଯ୍ୟଙ୍କ ଉପରେ ନଜର; ଆଜି ସଂଧ୍ୟାରେ ଶଙ୍କରାଚାର୍ଯ୍ୟଙ୍କୁ ଭେଟିବେ ଗଜପତି; ଗୋବର୍ଦ୍ଧନ ପୀଠ ନେବ ଶେଷ ନିଷ୍ପତି

884

କନକ ବ୍ୟୁରୋ: କରୋନା ପାଇଁ  ଅନିଶ୍ଚିତତା ଘେରରେ ମହାପଭୁଙ୍କ ରଥଯାତ୍ରା । ଚଳିଚ ବର୍ଷ ଘୋଷଯାତ୍ରା ହେବ ନା ନାହିଁ ସେନେଇ ନିଷ୍ପତି ନେବେ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ । ଆଜି ସଂଧ୍ୟାରେ ଶଙ୍କରାଚାର୍ଯ୍ୟଙ୍କୁ ଭେଟିବେ ଗଜପତି ମହାରାଜ ଦିବ୍ୟସିଂହ ଦେଓ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଷନ କୁମାର । ରଥଯାତ୍ରା ସଂପର୍କରେ ଶେଷ ନିଷ୍ପତି ପାଇଁ ଗୋବର୍ଦ୍ଧନ ପୀଠର ନିଷ୍ପତି ଉପରେ ସାରା ରାଜ୍ୟର ନଜର ରହିଛି । ତେବେ ଶ୍ରୀଜିଉ ରତ୍ନବେଦୀରୁ ଓହ୍ଲାଇ ରଥକୁ ଆସିବେ ନା ନାହିଁ ସେନେଇ ଆଜି ହୁଏତ ନିଷ୍ପତି ଶୁଣାଇ ପାରନ୍ତି ଶଙ୍କରାଚାର୍ଯ୍ୟ ।

ସେପଟେ ରଥଯାତ୍ରାକୁ ନେଇ ଆଜି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲେ । ଯେଉଁଠି ଦୀର୍ଘ ସମୟ ଧରି ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ସୂଚନା ଅନୁସାରେ ଛତିଶାନିଯୋଗ କଟକଣା ସହ ରଥଯାତ୍ରା କରିବା ପାଇଁ ପ୍ରସ୍ତାବ ରଖିଥିଲା । କିନ୍ତୁ ଆଉ କିଛି ସଦସ୍ୟ ଯୁକ୍ତି ବାଢିଥିଲେ କଟକଣା ସହ ରଥଯାତ୍ରା କରାଗଲେ ମଧ୍ୟ ଦର୍ଶକଙ୍କୁ ବାରଣ କରିହେବ ନାହିଁ । ତେଣୁ ଆଦୌ ମହାପ୍ରଭୁଙ୍କୁ ଦେଉଳ ବାହାରକୁ ନଆଣିବା ପାଇଁ କିଛି ସଦସ୍ୟ ଯୁକ୍ତି ବାଢିଥିଲେ ବୋଲି ସୂଚନା ମିଳିଛି ।

ଅନ୍ୟପଟେ, ବୈଠକ ପରେ ଆନୁଷ୍ଠାନିକ ଭାବେ ସୂଚନା ଦେଇ ପରିଚାଳନା କମିଟି ସଦସ୍ୟ ରଘୁନାଥ ମହାପାତ୍ର କହିଛନ୍ତି ଯେ, ଆଜି ସଂଧ୍ୟାରେ ଶଙ୍କରାଚାର୍ଯ୍ୟଙ୍କୁ ଭେଟିବେ ଗଜପତି ମହାରାଜ ଦିବ୍ୟସିଂହ ଦେଓ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କିଷନ କୁମାର ।