କୋଭିଡ୍ କଟକଣାରେ ବିନା ଭକ୍ତରେ ଅନୁଷ୍ଠିତ ହେବ ଚନ୍ଦନ ଯାତ୍ରା : ନୀତି ସଂପୃକ୍ତ ସେବକଙ୍କ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ

115

କନକ ବ୍ୟୁରୋ : କୋଭିଡ୍‌ ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତବର୍ଷ ମହାପ୍ରଭୁଙ୍କ ପ୍ରସିଦ୍ଧ ଚନ୍ଦନଯାତ୍ରାକୁ କଟକଣା ଭିତରେ କରିବାକୁ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ। ଏଥିପାଇଁ ନରେନ୍ଦ୍ର ପୁଷ୍କରିଣୀର ଚତୁଃପାର୍ଶ୍ବରେ ୨୧ ଦିନ ଧରି ୧୪୪ ଧାରା ଜାରି କରିବାକୁ ନିଷ୍ପତ୍ତି ହୋଇଛି। ସେହିଭଳି ସୀମିତ ସଂଖ୍ୟକ ସେବକରେ ନୀତିକାନ୍ତି ସଂପାଦନ ହେବ ।

ନୀତି ସଂପୃକ୍ତ ସେବକଙ୍କୁ କୋଭିଡ୍‌ ନେଗେଟିଭ୍‌ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି । ଏଥିପାଇଁ ସମସ୍ତଙ୍କ ଆର୍‌ଟିପିସିଆର୍‌ ଟେଷ୍ଟ କରାଯିବ। ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ହେଉଛି, ରାତି ୯ଟା ପୂର୍ବରୁ ମହାପ୍ରଭୁ ଚାପ ଖେଳି ଶ୍ରୀମନ୍ଦିରେ ପହଞ୍ଚିବେ । ଆବଶ୍ୟକସ୍ଥଳେ ରାତି ଚାପକୁ ବନ୍ଦ କରି ପ୍ରତୀକାତ୍ମକ ନୀତିକାନ୍ତି ସଂପାଦନ କରି ମହାପ୍ରଭୁଙ୍କ ବାହୁଡ଼ା ବିଜେ ନୀତି ସଂପନ୍ନ ହେବ। ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ବେଳେ ବି ୧୪୪ ଧାରା ଜାରି କରିବାକୁ ନିଷ୍ପତ୍ତି ହୋଇଛି ।

ଗତକାଲି ଚନ୍ଦନଯାତ୍ରା ଉପରେ ଗଜପତି ମହାରାଜଙ୍କ ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରିଷନ୍‌ କୁମାରଙ୍କ ଅଧ୍ୟକ୍ଷତାରେ ଛତିଶା ନିଯୋଗ ବୈଠକ ବସିଥିଲା । ଜିଲ୍ଲାପାଳ ସମର୍ଥ ବର୍ମା, ଆରକ୍ଷୀ ଅଧୀକ୍ଷକ ଡ. କେ. ବିଶାଲ ସିଂହ, ଉପଜିଲ୍ଲାପାଳ ଭବତାରଣ ସାହୁ, ଶ୍ରୀମନ୍ଦିର ନୀତି ପ୍ରଶାସନ ଜିତେନ୍ଦ୍ର କୁମାର ସାହୁ, ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନାଙ୍କ ସମେତ ବିଭିନ୍ନ ନିଯୋଗର ସଭାପତି, ସଂପାଦକ ଓ ବରିଷ୍ଠ ସେବାୟତମାନେ ଉପସ୍ଥିତ ଥିଲେ।