କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନର ଗଣତିକୁ ୧୨ ଘଂଟାରୁ କମ୍ ସମୟ ରହିଲା । ନିର୍ବାଚନ ଫଳାଫଳ କାହା ସପକ୍ଷରେ ଯିବ, କାହାକୁ ମିଳିବ ନିରାଶା, ତା’ ଉପରେ ତ ରହିବ ସମସ୍ତଙ୍କ ନଜର । କିନ୍ତୁ ଏହାରି ଭିତରେ ପୁଲିସ ବିଭାଗ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ରହିବ ଆଇନଶୃଙ୍ଖଳା ପରିସ୍ଥିତି । ବିଭିନ୍ନ ପର୍ଯ୍ୟାୟରେ ମତଦାନ ବେଳେ ଘଟିଥିବା ହିଂସାକୁ ଦୃଷ୍ଟିରେ ରଖି ଓଡ଼ିଶା ପୁଲିସ ବିଜୟ ଶୋଭାଯାତ୍ରା ଉପରେ କଟକଣା ଲଗାଇଛି ।

Advertisment

ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ଏଗଜିଟ୍ ପୋଲର ଆକଳନକୁ ନେଇ ଆରମ୍ଭ ହୋଇଛି କଳ୍ପନାଜଳ୍ପନା । ଏଗଜିଟ୍ ପୋଲରେ କିଏ ସରକାର ଗଢ଼ିବ, ସେ ନେଇ କିଛି ସ୍ପଷ୍ଟ ଚିତ୍ର ଆସିନାହିଁ । ଜୁନ୍ ୪ରେ ଭୋଟ୍ ଗଣତି ପରେ ସ୍ପଷ୍ଟ ହୋଇଯିବ, କାହାକୁ ମିଳିବ ବହୁମତ । ଗଣତି ପୂର୍ବରୁ ରାଜ୍ୟରେ ଆଇନଶୃଙ୍ଖଳାକୁ ନେଇ ସଜାଗ ହୋଇଛି ଓଡ଼ିଶା ପୁଲିସ । ନିର୍ବାଚନ ବେଳେ ଦେଖା ଦେଇଥିବା ହିଂସା ପରେ ଏବେ ଓଡ଼ିଶା ପୁଲିସ ଗଣତି ପାଇଁ ଲକ୍ଷ୍ମଣରେଖା ଟାଣିଛି । ଫଳାଫଳ ଘୋଷଣା ପରେ କୌଣସି ଦଳ ପୁଲିସର ବିନା ଅନୁମତିରେ ଶୋଭାଯାତ୍ରା କରିପାରିବ ନାହିଁ । ଏ ନେଇ ସୂଚନା ଦେଇଛନ୍ତି ପୁଲିସ ଡିଜି ଅରୁଣ ଷଡଙ୍ଗୀ ।

ରାଜ୍ୟରେ ୪ଟି ପର୍ଯ୍ୟାୟ ନିର୍ବାଚନ ବେଳେ ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିଲା ବ୍ୟାପକ ହିଂସା । ଖଲ୍ଲିକୋଟରେ ବିଜେପି କର୍ମୀଙ୍କୁ ହତ୍ୟା ହେଉ କି ପୋଲିଂ ବୁଥରେ ଉତେଜନା ଭଳି ଘଟଣା ସାମ୍ନାକୁ ଆସିଥିଲା । ତେବେ ଯେଉଁସବୁ ସ୍ଥାନରେ ହିଂସାକାଣ୍ଡ ଘଟିଛି, ସେଗୁଡିକ ଉପରେ ପୁଲିସ କୁଇକ୍ ଆକ୍ସନ ନେବା ସହ ତଦନ୍ତ ମଧ୍ୟ ଜାରି ରହିଛି । ଯେହେତୁ ମଙ୍ଗଳବାର ଫଳାଫଳ ଆସିବ, ତେଣୁ ହିଂସା ବା ଉତେଜନା ଘଟିବାର ଆଶଙ୍କାକୁ ଦୃଷ୍ଟିରେ ରଖି ବିଭିନ୍ନ ସ୍ଥାନରେ ସୁରକ୍ଷାକୁ କଡ଼ାକଡ଼ି କରିଛି ପୁଲିସ ।

ସେପଟେ ଏଥର ମାଓ ଅଂଚଳରେ ବିନା ହିଂସାରେ ନିର୍ବାଚନ ହୋଇଥିବା ସୂଚନା ଦେଇଛନ୍ତି ପୁଲିସ ଡିଜି । କହିଛନ୍ତି, ମାଓ ଅଂଚଳରେ ନିର୍ବାଚନ ଘୋଷଣାର ୪ ମାସ ପୂର୍ବରୁ ଆରମ୍ଭ ହୋଇଥିଲା ଅପରେସନ୍ । କିଛି ମାଓବାସୀ ଗିରଫ ହୋଇଥିବା ବେଳେ କିଛି ଆତ୍ମସମର୍ପଣ କରିଛନ୍ତି । ଏହାସହ ମାଓବାଦୀଙ୍କ ପ୍ରତିଟି ଗତିବିଧି ସହ ପ୍ରତି ବୁଥ ଉପରେ ରାଜ୍ୟ ପୁଲିସର ଗୁଇନ୍ଦା ବିଭାଗ ନଜର ରଖିଥିବା କହିଛନ୍ତି ପୁଲିସ ଡିଜି ।

ନିର୍ବାଚନ ବେଳେ ଆଇନଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା ପୁଲିସ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ । ତେଣୁ କିପରି ସବୁକିଛି ଶୃଙ୍ଖଳିତ ଭାବେ ଶେଷ ହେବ, ତା’ ଉପରେ ରହିଛି ପୂରା ନଜର ।