ନରାଜରେ ବଢୁଛି ମହାନଦୀ ପାଣି : ବର୍ତ୍ତମାନ ରାଜ୍ୟରେ ବନ୍ୟା ସ୍ଥିତି ନଥିବା କହିଲେ ଜଳସମ୍ପଦ ବିଭାଗ ଯନ୍ତ୍ରୀ

ମୋଟ ୧୨ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟା ଜଳ; ଅପରାହ୍ନରେ ଖୋଲିବ ଆଉ ୮ଟି ଗେଟ୍, ବିପଦ ସଂକେତ ଉପରେ ଜଳକା, ବୈତରଣୀ

81

କନକ ବ୍ୟୁରୋ : ଗତ ୨୪ ଘଣ୍ଟାରେ ରାଜ୍ୟରେ ବର୍ଷା ହୋଇନି । ତେଣୁ ରାଜ୍ୟରେ ବିଶେଷ ଭାବରେ ବନ୍ୟା ଆଶଙ୍କା ନାହିଁ । ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ ସାମଲ ଆଜି ଏହା କହିଛନ୍ତି । ସେ କହିଛନ୍ତି ଯେଉଁଠି ଜଳସ୍ତର ଅଧିକ ଥିଲା କିଛି ସ୍ଥାନରେ ସ୍ଥିର ଅଛି ଓ କିଛି ସ୍ଥାନରେ  କମିଛି । ବୈତରଣୀ, ଆଖୁଆପଦା, ଜେନାପୁର, ଇନ୍ଦୁପୁର, ମଥାନୀରେ ଜଳସ୍ତର କମୁଛି । ବ୍ରାହ୍ମଣୀ,ଆଖୁଆପଡ଼ାରେ ବି ଜଳସ୍ତର କମୁଛି । ଜଳକାରେ  ବିପଦ ସଂକେତ  ଉପରେ ଥିଲେ ବି ବିପଦ ନାହିଁ କାରଣ ଉପର ମୁଣ୍ଡରେ ବର୍ଷା ନାହିଁ ।  କେବଳ ତଳିଆ ଅଂଚଳରେ ଜଳମଗ୍ନ ରହିଛି । ଜଳ ସଠିକ ଭାବେ ନିଷ୍କାସନ ହେଉନଥିବାରୁ ଆସୁବିଧା ହେଉଛି । କୌଣସି ସ୍ଥାନରେ ବି  ନଦୀ ଜଳବନ୍ଧ  ଅତିକ୍ରମ କରିନି । ହୀରାକୁଦରେ ଗତକାଲି ୬ ଟି ଗେଟ ଖୋଲାଥିଲା ଆଜି ୬ ଟି ଖୋଲିଛି । ଉପର ମୁଣ୍ଡରେ ବର୍ଷା ହେବା ଯୋଗୁଁ ଖୋଲାଯାଇଛି । ଆବଶ୍ୟକ ସ୍ଥଳେ ପର୍ଯ୍ୟାୟକ୍ରମେ ଅଧିକ ଗେଟ ଖୋଲାଯିବ ।

ବର୍ତ୍ତମାନ ହୀରାକୁଦ ରେ ୬୨୮.୩ ଫୁଟ ଜଳସ୍ତର ରହିଛି । ହୀରାକୁଦ କୁ ୨ ଲକ୍ଷ ୯୮ କ୍ୟୁସେକ  ହଜାର ଜଳ ପ୍ରବେଶ କରୁଛି  । ୧୨ ଗେଟ ଖୋଲାଯିବା ପରେ ୨ ଲକ୍ଷ ୩୦ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି । ଗତକାଲି ରାତିରେ ମୁଣ୍ଡୁଲିରେ ୫ ଲକ୍ଷ ୫୪ ହଜାର କ୍ୟୁସେକ ଅତିକ୍ରମ କରିଛି।ବର୍ତ୍ତମାନ  ୬ ଲକ୍ଷ ୪୦ ହଜାର ଅତିକ୍ରମ  କରୁଛି। ୧୨ ଟି ଗେଟ ଖୋଲାଯିବା ପରେ  ଏବେ ଯେଉଁ ପାଣି ଆସୁଛି ମୁଣ୍ଡଳୀରେ ପହଁଚିବା ପରେ ମୁଣ୍ଡଳୀରେ ୭ ଲକ୍ଷ କ୍ୟୁସେକ ଭିତରେ  ରହିବ। କୌଣସି  ଠାରେ ବନ୍ୟା ଆଶଂକା  ନାହିଁ । ଯାଜପୁର ରେ ଛୋଟ ଘାଇ ହୋଇଛି । ଆଗାମୀ ଲଘୁଚାପ ବର୍ଷା ହେଲେ ବି ମହାନଦୀ, ବୈତରଣୀ ରେ କିଛି ସମସ୍ୟା ନାହିଁ । ଆସନ୍ତା ୨୦ ରେ ପୂର୍ଣ୍ଣିମା ଥିବାରୁ ସମୁଦ୍ରକୁ ପାଣି ଯିବା ସାମାନ୍ୟ କମିବ ବୋଲି ଶ୍ରୀସାମଲ  କହିଛନ୍ତି ।