ରାଜ୍ୟର ସମସ୍ତ କରୋନା ସନ୍ଦିଗ୍ଧଙ୍କ ରିପୋର୍ଟ ନେଗେଟିଭ୍ । କରୋନାର ମୁକାବିଲା ପାଇଁ ୧୦ ସୂତ୍ରୀ ଦିଗ ଉପରେ ରାଜ୍ୟ ସରକାରଙ୍କ ଫୋକସ ।

990

କନକ ବ୍ୟୁରୋ : କରୋନା ଭୂତାଣୁ ପୂରା ଦେଶରେ ଆତଙ୍କ ଖେଳାଇଥିବା ବେଳେ ଭାରତରେ ୩୯ ଜଣ କରୋନା ସଂକ୍ରମିତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି । ତେବେ କରୋନାର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସର୍ତକତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି । ଏଭଳି ସ୍ଥିତିରେ କରୋନା ସତର୍କତା ପାଇଁ ୧୦ ସୂତ୍ରୀ ଦିଗ ଉପରେ ଫୋକସ କରିଛନ୍ତି ରାଜ୍ୟ ସରକାର । ଏପରିକି ରାଜ୍ୟର ବିଭିନ୍ନ ହସ୍ପିଟାଲରେ ଯେଉଁ ୧୦ କରୋନା ସନ୍ଦିଗ୍ଧ ଭର୍ତ୍ତି ହୋଇଥିଲେ ସେମାନଙ୍କ ରିପୋର୍ଟ ନେଗେଟିଭ ଆସିଥିବା ସ୍ପଷ୍ଟ କରିଛନ୍ତି ସ୍ୱାସ୍ଥ୍ୟ ସଚିବ । ଏପରିକି କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ଆର୍ୟଲାଣ୍ଡ ନାଗରିକଙ୍କ ରିପୋର୍ଟ ମଧ୍ୟ ନେଗେଟିଭ ଆସିଥିବା କହିଛନ୍ତି ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ଧଳ ।

ସେହିଭଳି ସୁସ୍ଥ ଲୋକଙ୍କୁ ମାସ୍କର କୌଣସି ଆବଶ୍ୟକତା ନାହିଁ । କେବଳ ରୋଗୀ, ସନ୍ଦିଗ୍ଧ ଓ ହସ୍ପିଟାଲ କର୍ମଚାରୀଙ୍କ ପାଇ ମାସ୍କ ଦରକାର । ଆତଙ୍କିତ ହେବାର କୌଣସି କାରଣ ନାହିଁ । କରୋନାର ମୁକାବିଲା ପାଇଁ ସରକାର ସମସ୍ତ ଦିଗ ଉପରେ ଧ୍ୟାନ ଦେଇଛନ୍ତି ବୋଲି ସ୍ୱାସ୍ଥ୍ୟ ସଚିବ ପ୍ରେସମିଟରେ କହିଛନ୍ତି । ଅନ୍ୟପଟେ ଏମସ ନିର୍ଦ୍ଦେଶିକା କହିଛନ୍ତି କରୋନାର ମୁକାବିଲା ପାଇଁ ଭୁବନେଶ୍ୱର ଏମ୍ସ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ଅଛି ।

ଏସବୁ ଭିତରେ କରୋନାକୁ ମୁକାବିଲା କରିବାକୁ ରାଜ୍ୟ ସରକାର ୧୦ ସୂତ୍ରୀ ଦିଗ ଉପରେ ମଧ୍ୟ ଫୋକସ କରିଛନ୍ତି ।
– ଯଦି ଆବଶ୍ୟକ ପଡେ ତାହେଲେ ମାସ୍ କ୍ୱାରେଣ୍ଟାଇନ ପାଇଁ ଜଟଣୀ, କଟକ, ବୁର୍ଲା ଓ ବ୍ରହ୍ମପୁରରେ ସ୍ଥାନ ଚିହ୍ନଟ ହୋଇଛି
– ସମସ୍ତ ଜିଲ୍ଲାପାଳଙ୍କୁ ଜିଲ୍ଲା ମନିଟରିଂ ମୁଖ୍ୟ ଭାବେ ମନୋନୀତ କରାଯାଇଛି
– କଣ କରିବା ଦରକାର , କଣ ନ କରିବା ଦରକାର ସେଇ ପ୍ରଚାର ପତ୍ର ଓଡିଆ ଓ ଇଂରାଜୀରେ ସମସ୍ତ ଦୈନିକ ଖବର କାଗଜରେ ସର୍କୁଲେଟ୍ କରାଯାଇଛି
– ସମସ୍ତ ସ୍କୁଲରେ ପରାମର୍ଶ ଦିଆ ସରିଛି
– ସମସ୍ତ ସରକାରୀ, ଘରୋଇ କର୍ପୋରେଟ୍ କାର୍ଯ୍ୟାଳୟରେ ଆଡଭାଇଜରି ଜାରି ସରିଛି
– ନମୁନା ଟେଷ୍ଚ ପାଇଁ district rapid response team ପ୍ରସ୍ତୁତ ରଖାଯାଇଛି
– ସ୍ଥାନୀୟ RMRCରେ ଟେଷ୍ଟିଂ ଫାସିଲିଟି ଆରମ୍ଭ ହୋଇ ଗଲାଣି
– ବିମାନ ବନ୍ଦର ଓ ଜଳ ବନ୍ଦରରେ ଯାତ୍ରୀଙ୍କୁ ସ୍କ୍ରିନିଂ କରାଯାଉଛି
– ସମସ୍ତ ମେଡିକାଲ କଲେଜ ଓ ହସପିଟାଲ୍ ସମେତ କ୍ୟାପିଟାଲ ହସପିଟାଲରେ ଆଇସୋଲେସନ୍ ୱାର୍ଡ ପ୍ରସ୍ତୁତ ରଖା ଯାଇଛି
– ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ ସମେତ ୩ଟି ଟେଲିଫୋନ୍ ନମ୍ବର ଜାରି କରାଯାଇଛି । ୩ଟି ନମ୍ବର ହେଲା : ୦୬୭୪-୨୩୯୦୪୬୬, ୯୪୩୯୯୯୪୮୫୭,୯୪୩୯୯୯୪୮୫୯ । ଏହି ନମ୍ବର ଗୁଡିକ ୨୪ ଘଣ୍ଟା କାର୍ଯ୍ୟକ୍ଷମ ରହିବ ।