କରୋନା ମୁକ୍ତ ଗାଁ…ଯେଉଁଠି ଆଜି ଯାଏଁ କେହି ଜଣେ ବି ହୋଇନାହାନ୍ତି ସଂକ୍ରମିତ । ଗାଁରେ ରହିଛି ନିଜସ୍ୱ ଆଇନ୍ ବ୍ୟବସ୍ଥା, ବାହାର ଲୋକଙ୍କୁ ପ୍ରବେଶ ମନା ।

501

କନକ ବ୍ୟୁରୋ : କରୋନା ଭାଇରସର ଦ୍ୱିତୀୟ ଲହର ସଂକ୍ରମଣ ସାରା ଦେଶବାସୀଙ୍କ ପାଇଁ କଷ୍ଟର କାରଣ ସାଜିଥିବା ବେଳେ, ମହାମାରୀରେ ଲକ୍ଷ ଲକ୍ଷ ଲୋକଙ୍କର ମୃତ୍ୟୁ ହେଲାଣି । ସହରଠୁ ଆରମ୍ଭ କରି ଗାଁର ଗଳିକନ୍ଦି ଯାଏଁ, ସଂକ୍ରମଣ ବଢୁଛି, ଆଉ ଲୋକଙ୍କ ଜୀବନ ଯାଉଛି । କିନ୍ତୁ ଆଜି ଆମେ ଆପଣଙ୍କୁ ଭାରତର ସେମିତି ଏକ ଗାଁ ବିଷୟରେ କହିବୁ, ଯେଉଁଠି ଏପର୍ଯ୍ୟନ୍ତ ଜଣେ ହେଲେ ବି କରୋନା ପଜିଟିଭ୍ ଚିହ୍ନଟ ହୋଇନାହାନ୍ତି ।

କରୋନା ମୁକ୍ତ ଗାଁ । ଯେଉଁ ଗାଁକୁ ଆଜି ଯାଏଁ ବି ଛୁଁଇପାରିନି କରୋନା । ଆଉ ସେହି ଗାଁ ହେଉଛି, ହିମାଚଳପ୍ରଦେଶର ମଲାଣା । ପାଖାପାଖି ୨,୩୫୦ ଜଣ ଅଧିବାସୀ ଥିବା ଏହି ଗାଁ ହେଉଛି, ହିମାଚଳପ୍ରଦେଶ କୁଲ୍ଲୁର ସବୁଠୁ ବଡ ଗାଁ । ତେବେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ଏହି ଗାଁ ଜଣେ ହେଲେ ବି କେହି ଆଜି ଯାଏଁ କରୋନାରେ ସଂକ୍ରମିତ ହୋଇନାହାନ୍ତି । ତେବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ, ସାରା ଦେଶକୁ କରୋନା କଲବଲ କରୁଥିବା ବେଳେ କେମିତି ବର୍ତିଯାଇଛି ଏହି ଗାଁ ।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଏହି ଗାଁକୁ ବାହାର ଲୋକଙ୍କ ପ୍ରବେଶ ଉପରେ କଡା କଟକଣା ଜାରିକରାଯାଇଛି । ଅର୍ଥାତ ବାହାରୁ କୌଣସି ବି ଲୋକ ଏହି ଗାଁ ଭିତରକୁ ପ୍ରବେଶ କରିପାରିବେ ନାହିଁ । ଏହି ଗାଁର ନିଜସ୍ୱ ଆଇନ ବ୍ୟବସ୍ଥା ରହିଛି । ଆଉ ଯେଉଁଥିପାଇଁ ପାଖାପାଖି ଦେଢ ବର୍ଷ ହେଲାଣି, କରୋନା କାୟାମେଲାଇ ଚାଲିଥିବା ବେଳେ. ଏହି ବଡ ଗାଁରେ ଜଣେ କେହି ବି କରୋନାରେ ଆକ୍ରାନ୍ତ ହୋଇନାହାନ୍ତି ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଗାଁରେ ଆଉ କିଛି ଦିନ ପରେ ଟିକାକରଣ ହେବ । କୌଣସି ଗ୍ରାମବାସୀ ଏଯାଏଁ ସଂକ୍ରମିତ ହୋଇନଥିଲେ ବି, ପରସ୍ଥିତି ସାଂଘାତିକ ହେଉଥିବାରୁ, ଟିକା ନେବାକୁ ସମସ୍ତେ ରାଜି ହୋଇଛନ୍ତି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସ୍ୱତନ୍ତ୍ର କ୍ୟାମ୍ପ କରାଯାଇ, ଲୋକଙ୍କୁ ଟୀକା ଦିଆଯିବ ।

ତେବେ ଏହି ଗାଁରେ ସରକାରଙ୍କ ଶାସନ ଚାଲେନାହିଁ, ଏଠି ଚାଲେ ଲୋକେ ଦେବତା ମାନୁଥିବା ଜମଲୁ ଜମଦଗ୍ନି ଋଷିଙ୍କ ଶାସନ । ଏହି ଗାଁରେ କେହି କିଛି ଅପରାଧ କଲେ, ଆଇନ୍ ତାକୁ ଦଣ୍ଡିତ କରେନାହିଁ । ଦଣ୍ଡ ଦିଅନ୍ତି ଦେବତା ଜମଲୁ । ତେବେ ଏଠାକାର ପରମ୍ପରା, ରୀତିନୀତି ଏବଂ ଆଇନ ବ୍ୟବସ୍ଥା ପାଇଁ ଏହି ଗାଁକୁ ଦୁନିଆର ସବୁଠୁ ପୂରାତନ ଲୋକତନ୍ତ୍ର ବୋଲି ମଧ୍ୟ କୁହାଯାଏ ।