କନକ ବ୍ୟୁରୋ: ଆଜି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ପୁରୀ ଶ୍ରୀମନ୍ଦିରକୁ ଛାଡ଼ି ରାଜ୍ୟର କୌଣସି ଜାଗାରେ ଆଜି ଗଡ଼ିବନି ରଥ। ଛୋଟ ହେଉ କି ବଡ଼, ଜଣେ ଟାଣୁ କି ୧୦ ଜଣ, କୌଣସି ପରିସ୍ଥିତିରେ ଏହି ଯାତ୍ରା ହୋଇ ପାରିବ ନାହିଁ। ସୁପ୍ରିମକୋର୍ଟ ଏଭଳି ଆଦେଶ ଦେବା ପରେ ତାକୁ ଅନୁପାଳନ କରିଛନ୍ତି ରାଜ୍ୟ ସରକାର । ରଥଯାତ୍ରା ଯେଭଳି ପୁରୀ ବ୍ୟତୀତ ଅନ୍ୟ କୌଣସି ଜାଗାରେ ନ ହେବ ତାହା ଉପରେ ନଜର ରଖିବା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ପରାମର୍ଶ ଦେଇଛନ୍ତି।
କୋର୍ଟଙ୍କ ଆଦେଶ କିଭଳି ପାଳନ ହେବ ନଜର ରଖିବା ସହ ଆବଶ୍ୟକ ପଡ଼ିଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି କୁହାଯାଇଛି। ତା’ ସହିତ ବିଭିନ୍ନ ଜଗନ୍ନାଥ ମନ୍ଦିରର ନିର୍ବାହୀ ଅଧିକାରୀ ବା ଟ୍ରଷ୍ଟ ବୋର୍ଡକୁ ମଧ୍ୟ ତାଗିଦ କରାଯାଇଛି। କୌଣସି ପରିସ୍ଥିତିରେ ରଥଯାତ୍ରା ତିଥିରେ ମନ୍ଦିର ପାଖରେ କେହି ଏକତ୍ର ହୋଇ ପାରିବେ ନାହିଁ। ରଥଯାତ୍ରାକୁ ନେଇ କୌଣସି ପ୍ରକାରର କାରବାର କରିପାରିବେ ନାହିଁ ତାହା ନିଶ୍ଚିତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟ, ପୁରୀ ଶ୍ରୀମନ୍ଦିରକୁ ଛାଡ଼ି ଦେଲେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୨ଶହରୁ ଊର୍ଦ୍ଧ୍ବ ଜଗନ୍ନାଥ ମନ୍ଦିର ରହିଛି ସମସ୍ତ ଜାଗାରେ ଏହି ରଥଯାତ୍ରା ହୁଏ। ହଜାର ହଜାର ଲୋକ ରୁଣ୍ଡ ହୋଇ ଏହି ଯାତ୍ରା ଉପଭୋଗ କରନ୍ତି। କୋଭିଡ୍ ମୁକାବିଲା ପାଇଁ ସୁପ୍ରିମକୋର୍ଟ କେବଳ ପୁରୀ ବ୍ୟତୀତ ଅନ୍ୟ କୌଣସି ଜାଗାରେ ରଥଯାତ୍ରା ପାଳନ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/06/RATHA-750x430-1.jpg)