ନୂଆ ଟିମ୍ ଗଢିଲେ ନରେନ୍ଦ୍ର ମୋଦୀ, ନିରାଶ ହେଲେ ଅପରାଜିତା, ବୈଜୟନ୍ତ !

4,153

କନକ ବ୍ୟୁରୋ : ନୂଆ ଟିମ ଗଢିଲେ ନରେନ୍ଦ୍ର ମୋଦୀ, ନିରାଶ ହେଲେ ଅପରାଜିତା ଓ ବୈଜୟନ୍ତ । ମୋଦିଙ୍କ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ସହ ଅପରାଜିତା ଓ ବୈଜୟନ୍ତଙ୍କ ମନ୍ତ୍ରୀପଦ ଆଶା ମଧ୍ୟ ମଉଳିଛି । ମୋଟ ୪୩ ଜଣ ମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ବୈଜୟନ୍ତ ଓ ଅପରାଜିତାଙ୍କୁ ନିରାଶ ହେବାକୁ ପଡିଛି ।ପୂର୍ବରୁ ରାଜ୍ୟ ବିଜେପିର ଏହି ଦୁଇ ହେଭିୱେଟ ନେତା ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବେ ବୋଲି ଜୋରଦାର ଚର୍ଚ୍ଚା ହେଉଥିଲା । ଏପରିକି କେଉଁ ମାପଦଣ୍ଡ ଆଧାରରେ ମନ୍ତ୍ରୀପଦ ମିଳିବ ସେନେଇ ମଧ୍ୟ ବିଭିନ୍ନ ମହଲରେ ଭିନ୍ନ ଭିନ୍ନ ଆଲୋଚନା ହେଉଥିଲା ।

ବିଜେଡିରୁ ବିଜେପିକୁ ଆସିଥିବା ବୈଜୟନ୍ତଙ୍କୁ ମନ୍ତ୍ରୀପଦ ରେସରେ ସବୁଠୁ ଆଗରେ ରଖାଯାଇଥିଲା । ଜାତୀୟ ଗଣମାଧ୍ୟମ ମଧ୍ୟ ବୈଜୟନ୍ତଙ୍କୁ ମନ୍ତ୍ରୀପଦ ମିଳିପାରେ ବୋଲି ଆକଳନ କରିଥିଲା । ବିଜେପିର ରାଷ୍ଟ୍ରୀୟ ଉପ-ସଭାପତି ଥିବା ବୈଜୟନ୍ତଙ୍କୁ ଆସାମ ସଫଳତା ପାଇଁ ପୁରସ୍କାରସ୍ୱରୂପ ମନ୍ତ୍ରୀପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଥିଲା । କାରଣ ଆସାମରେ ଦଳ ଅଦ୍ଭୁତପୂର୍ବ ସଫଳତା ପାଇବା ସହ ଲଗାତାର ଦୁଇ ଥର ଶାସନ କ୍ଷମତାକୁ ଫେରିଥିଲା ଓ ଏଠାରେ ପ୍ରଭାରୀ ଭାବେ ଦାୟିତ୍ୱ ତୁଲାଉଥିଲେ ବୈଜୟନ୍ତ । ତେଣୁ ବିଜୟର ଶ୍ରେୟ ବୈଜୟନ୍ତଙ୍କୁ ଦେଉଥିଲେ ତାଙ୍କର ସମର୍ଥକ । ଏହାବାଦ୍ ରାଜ୍ୟ ବିଜେପିର ସଙ୍ଗଠନକୁ ଆଗକୁ ନେବାକୁ ବୈଜୟନ୍ତଙ୍କୁ ମନ୍ତ୍ରୀପଦ ଦେବାର ଆବଶ୍ୟକତା ରହିଛି ବୋଲି ଦଳୀୟ ମହଲରେ ଶୁଣିବାକୁ ମିଳୁଥିଲା ।

ଏପରିକି କେନ୍ଦ୍ର ନେତୃତ୍ୱଙ୍କ ସହ ବୈଜୟନ୍ତଙ୍କର ଭଲ ସମ୍ପର୍କ ରହିଥିବାରୁ ତାଙ୍କୁ ମୋଦୀଙ୍କ ନୂଆ ଟିମରେ ନିଆଯାଇପାରେ ବୋଲି କିଛି ମହଲରେ ଶୁଣିବାକୁ ମିଳୁଥିଲା । କିନ୍ତୁ ମୋଦୀଙ୍କ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ଏହି ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଛି ।

ସେହିଭଳି ପ୍ରଶାସିକାରୁ ରାଜନେତା ହୋଇଥିବା ତଥା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ମୋଦୀଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ହେବା ନେଇ ରାଜ୍ୟରେ ଚର୍ଚ୍ଚା ବଢିଥିଲା । ଭୁବନେଶ୍ୱର ଭଳି ଗୁରୁତ୍ୱପୂର୍ଣ୍ଣ ଆସନ ଓ ବିଜେଡି ଗଡରେ ବିଜେପିକୁ ବିଜୟ ଭେଟି ଦେଇଥିବାରୁ ଅପରାଜିତାଙ୍କୁ ସୁଯୋଗ ମିଳିପାରେ ବୋଲି କୁହାଯାଉଥିଲା । ଏହାବାଦ୍ ଗତ କିଛି ଦିନ ହେବ ରାଜ୍ୟ ସରକାରଙ୍କ ପ୍ରତି ଅପରାଜିତା ଯେଉଁଭଳି କଠୋର ଆଭିମୁଖ୍ୟ ଦେଖାଉଥିଲେ ତାହାକୁ ନଜରରେ ରଖି ଅପରାଜିତାଙ୍କ ମନ୍ତ୍ରୀପଦ ମିଳିବ ବୋଲି ଅନୁଗତ ମାନେ ଆଶା ବାନ୍ଧି ବସିଥିଲେ । ଏପରିକି କେନ୍ଦ୍ରୀୟ ନେତୃତ୍ୱଙ୍କ ଗୁଡବୁକରେ ରହିବା ସହ ମହିଳା ହୋଇଥିବାରୁ ମନ୍ତ୍ରୀପଦ ମିଳିବାର ଯଥେଷ୍ଟ ଅଧିକ ସମ୍ଭାବନା ରହିଛି ବୋଲି ରାଜ୍ୟ ବିଜେପିରେ ଚର୍ଚ୍ଚା ଜୋର ଧରିଥିଲା । କିନ୍ତୁ ଦ୍ୱିତୀୟ ପାଳିର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ପରେ ଅପରାଜିତାଙ୍କୁ ମନ୍ତ୍ରୀପଦ ଆଶା ମଧ୍ୟ ମଉଳିଛି ।

ତେବେ ଓଡ଼ିଶାରୁ ୨ ନେତାଙ୍କୁ ମୋଦୀ ନିଜ ଟିମରେ ସାମିଲ କରିଛନ୍ତି । ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବଙ୍କୁ କ୍ୟାବିନେଟ ପାହ୍ୟା ଓ ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁଙ୍କୁ ରାଷ୍ଟ୍ରମନ୍ତ୍ରୀ ଭାବେ ମନ୍ତ୍ରୀମଣ୍ଡଳରେ ସ୍ଥାନ ଦେଇଛନ୍ତି ମୋଦୀ ।