ସାହିନବାଗ ଧାରଣାକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । କହିଲେ, ସାର୍ବଜନୀନ ସ୍ଥାନକୁ କେହି ଅନିଶ୍ଚିତ କାଳ ଯାଏଁ କରିପାରିବେ ନାହିଁ କବଜା ।

142

କନକ ବ୍ୟୁରୋ: ଦିଲ୍ଲୀରେ ସିଏଏ ବିରୋଧରେ ସାହିନବାଗରେ ହୋଇଥିବା ବିକ୍ଷୋଭ ପ୍ରଦର୍ଶନକୁ ନେଇ ସୁପ୍ରିମକୋର୍ଟ ବଡ ରାୟ ଦେଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ରାୟ ଦେଇ କହିଛନ୍ତି, କୌଣସି ବ୍ୟକ୍ତି ବା ସମୂହ ସାର୍ବଜନୀନ ସ୍ଥାନକୁ ଅବରୋଧ କରିପାରିବେ ନାହିଁ । ସର୍ବସାଧାରଣ ସ୍ଥଳକୁ ଅନିଶ୍ଚିତ କାଳ ଯାଏଁ କବଜା କରାଯାଇ ପାରିବ ନାହିଁ । ଖଣ୍ଡପୀଠ କହିଛନ୍ତି ବିରୋଧ ପ୍ରଦର୍ଶନ କରିବା ଅଧିକାର ତା ସ୍ଥାନରେ ଅଛି, ହେଲେ ଅଗ୍ରେଂଜ ଶାସନ ସମୟର କାର୍ଯ୍ୟକଳାପ ଏବେ କରିବା ଉଚିତ ନୁହେଁ ।

ବିରୋଧ ପ୍ରଦର୍ଶନ କରିବା ସମୟରେ ପବ୍ଲିକ ପ୍ଲେସ ବା ରାସ୍ତାକୁ ଅନିଶ୍ଚିତ କାଳ ଯାଏଁ ଅବରୋଧ କରାଯାଇ ପାରିବ ନାହିଁ । ସାର୍ବଜନୀନ ସ୍ଥାନରେ ବିରୋଧ ପ୍ରଦର୍ଶନ ଲୋକଙ୍କ ଅଧିକାରର ହନନ । ତେଣୁ ଏପରି ରାସ୍ତାରୋକକୁ ପ୍ରଶାସନିକ ଅଧିକାରୀ ହଟାଇବା ଉଚିତ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଏହା ବି ସତ ଯେ ସାର୍ବଜନିକ ବୈଠକ ଉପରେ ପ୍ରତିବନ୍ଧକ ଲଗାଇ ହେବ ନାହିଁ । ହେଲେ ତାହା ଏକ ନିର୍ଦ୍ଧିଷ୍ଟ ଅଂଚଳରେ ହେବା ଉଚିତ ।

ଖଣ୍ଡପୀଠ କହିଛନ୍ତି, ସମ୍ବିଧାନ ବିରୋଧ କରିବାକୁ ଅଧିକାର ଦେଇଛି ସତ, ହେଲେ ଏହାକୁ କର୍ତବ୍ୟ ସହ ବି ଯୋଡି ଦେଖିବା ଉଚିତ । ଉଲ୍ଲେଖ ଯୋଗ୍ୟ ସିଏଏ ବିରୋଧର ଶାହିନବାଗରେ ଶହେରୁ ଅଧିକ ଦିନ ଯାଏଁ ଧାରଣା ଦିଆଯାଇଥିଲା । କରୋନା ଭୂତାଣୁ ଯୋଗୁଁ ଦିଲ୍ଲୀରେ ୧୪୪ ଧାରା ଲାଗୁ ହେବା ପରେ ପୁଲିସ ବଳପୂୂର୍ବକ ଆନ୍ଦୋଳନକାରୀଙ୍କୁ ରାସ୍ତା ଉପରୁ ହଟାଇ ଦେଇଥିଲା । ଶାହିନବାଗର ଧାରଣା ଯୋଗୁଁ ଏକାଧିକ ରାସ୍ତାକୁ ବନ୍ଦ କରାଯିବାରୁ ସାଧାରଣ ଜନଜୀବନ ପ୍ରଭାବିତ ହୋଇଥିଲା ।