କନକ ବ୍ୟୁରୋ : ଆସନ୍ତାକାଲି ପୁରୀ ଐତିହ୍ୟ କରିଡରକୁ ନେଇ ପ୍ରକଳ୍ପ ବିରୋଧରେ ହେବାକୁ ଥିବା ପଦଯାତ୍ରାକୁ ଜିଲ୍ଲା ପ୍ରଶାସନ ଅନୁମତି ଦେବାକୁ ବାରଣ କରିଦେଇଛି । ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ ଅନୁମତି ଦେବାକୁ ମନା କରାଯାଇଛି । ସେପଟେ ସାଂସଦ ଅପରାଜିତା ଷଡଙ୍ଗୀ କହିଛନ୍ତି, ସେ କାଲି ପୁରୀ ଯିବେ ଓ ଜଗନ୍ନାଥଙ୍କୁ ଦର୍ଶନ କରିବେ ।
ବିବାଦ ଭିତରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଜୋରସୋରରେ ଆଗେଇ ଚାଲିଛି । ଏଠାରେ ହେଉଥିବା ଖନନ ଓ ନିର୍ମାଣ କାମକୁ ବେଆଇନ ଦର୍ଶାଇ ବୁଧବାର ଏକ ବିରାଟ ପଦଯାତ୍ରା ଆୟୋଜନ ହେବାର ଥିଲା । କିନ୍ତୁ ଶେଷ ମୁହୂର୍ତରେ ଏହାକୁ ସ୍ଥଗିତ ରଖାଯାଇଛି । ବିଭିନ୍ନ ସଂଗଠନ ପକ୍ଷରୁ ଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଯାଏଁ ଶାନ୍ତିପୂର୍ଣ୍ଣ ପଦଯାତ୍ରା ପାଇଁ ଯୋଜନା ଥିଲା । ପୋଲିସ ପ୍ରଶାସନ ଅନୁମତି ନଦେବାରୁ ପଦଯାତ୍ରା ବନ୍ଦ ରଖିବାକୁ ପଡିଲା ବୋଲି କହିଛନ୍ତି ଜଗନ୍ନାଥ ସେନାର ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ । ପଦଯାତ୍ରାକୁ ସେବାୟତ ଓ ଅନ୍ୟ କିଛି ଗୋଷ୍ଠୀ ବିରୋଧ କରିଥାନ୍ତେ । ତେଣୁ ଆଇନ ଶୃଂଖଳା ପରିସ୍ଥିତି ଉପୁଜିବା ଆଶଙ୍କା କରି ପଦଯାତ୍ରାକୁ ଅନୁମତି ଦେଇନାହିଁ ପ୍ରଶାସନ । କେବଳ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ବଂଚାଅ ଆନ୍ଦୋଳନର ଆବାହକ ବିନୟ ନୃସିଂହ ମହାପାତ୍ର ।
ଆରମ୍ଭରୁ ପ୍ରକଳ୍ପ ବିରୋଧୀ ଆନ୍ଦୋଳନକୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସମର୍ଥନ ରହିଆସିଥିବା ଚର୍ଚ୍ଚା ହେଉଛି । ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ଏହି ପଦଯାତ୍ରାରେ ସାମିଲ ହେଉଥିବା ନେଇ ସୋସିଆଲ ମିଡିଆରେ ପ୍ରଚାର ଚାଲିଛି । ଏବେ ପୁରୀ ଜିଲ୍ଲା ପ୍ରଶାସନର ଅନୁମତି ନମିଳିବାରୁ ସାଂସଦଙ୍କ ପରବର୍ତୀ ପଦକ୍ଷେପ କଣ ହେବ ତା ଉପରେ ସମସ୍ତଙ୍କ ନଜର ରହିଥିଲା । ଆଉ ବୁଧବାର ହେବାକୁ ଥିବା ପଦଯାତ୍ରା ସ୍ଥଗିତ ରହିଥିବା ନେଇ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଟ୍ୱିଟ କରିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । ବୁଧବାର ପୂର୍ବାହ୍ନରେ ସେ ପୁରୀ ଯାଉଥିବା କଥା ସ୍ପଷ୍ଟ କରିଛନ୍ତି । ତେବେ କେବଳ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିବାକୁ ଯାଉଥିବା କଥା ସୋସିଆଲ ମିଡିଆରେ ଲେଖିଛନ୍ତି ଅପରାଜିତା ।
ପୁରୀ ପରିକ୍ରମା ପ୍ରକଳ୍ପକୁ ନେଇ ଆରମ୍ଭରୁ ସରକାରଙ୍କ ଉପରେ ବର୍ଷୁଛନ୍ତି ଅପରାଜିତା । ଏଏସଆଇର ବିନା ଅନୁମତିରେ ରାଜ୍ୟ ସରକାର ବେଆଇନ ଭାବେ ଖନନ ଓ ନିର୍ମାଣ କରାଯାଉଥିବା ଅଭିଯୋଗ କରିଆସୁଛନ୍ତି ।