କନକ ବ୍ୟୁରୋ: ସମୁଦ୍ର ଦେଖିନି ସାମୁଦ୍ରିକ ଥାନା ସ୍ପିଡବୋଟ । ଜଳପଥରେ ଘଟୁଥିବା ଅଘଟଣ ଓ ଅସାମାଜିକଙ୍କ କାର୍ଯ୍ୟକଳାପ ଉପରେ ନଜର ରଖିବା ସହିତ ବିରଳ ଅଲିଭ ରିଡଲେ କଇଁଛଙ୍କ ସୁରକ୍ଷା ପାଇଁ କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ସାମୁଦ୍ରିକ ଥାନାକୁ ଆସିଥିଲା ସ୍ପିଡ ବୋଟ । ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ୨୦୨୧ରେ ୫୫୦ ହର୍ସପାୱାର ବିଶିଷ୍ଟ ସ୍ପିଡବୋଟଟି ଯୋଗାଇ ଦିଆଯାଇଥିଲା । ଏହି ସ୍ପିଡ ବୋଟ ଜଳପଥରେ ଘଟୁଥିବା ଅସାମାଜିକ କାର୍ଯ୍ୟକଳାପ ଉପରେ ନଜର ରଖିବ କ’ଣ ଆଜକୁ ୭ମାସ ହେବ ସମୁଦ୍ର ଦେଖିନି । ବୋଟ ପାଇଁ ନିଯୁକ୍ତି ପାଇଥିବା ୫ଜଣ କର୍ମଚାରୀ ବସି ବସି ଦରମା ନେଉଥିବା ବେଳେ ୭ମାସ ହେଲା ସ୍ପିଡ ବୋଟ ପାଇଁ ସରକାର ତେଲ ଯୋଗାଇ ଦେଉନାହାଁନ୍ତି । ତେଲ ନଥିବାରୁ ୭ମାସ ହେଲା ସାମୁଦ୍ରିକ ଥାନାକୁ ଆସିଥିବା ସ୍ପିଡ ବୋଟଟି କେବଳ ସୋ’ପିସ୍ ପାଲଟିଛି ।

୨୦୧୪ରେ ତାଳଚୁଆ ଫାଣ୍ଡି ତାଳଚୁଆ ସାମୁଦ୍ରିକ ଥାନା ହୋଇଥିଲା । ସ୍ଥଳ ପଥରେ ୭ଟି ପଂଚାୟତ ସହିତ ଜଳପଥରେ ୧୪ ନଟିକାଲ ମାଇଲ ଯାଏଁ ନଜର ରଖିବାକୁ ସାମୁଦ୍ରିକ ଥାନା ପ୍ରତିଷ୍ଠା ହୋଇଥିଲା । ବିରଳ ଅଲିଭରିଡଲେ କଇଁଛଙ୍କ ପ୍ରଜନନ ଋତୁ ସମୟରେ ୧୫ ମାର୍ଚ୍ଚ ୨୦୨୧ ମସିହାରେ ମାନ୍ୟବର ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଏହି ସ୍ପିଡବୋଟ ଯୋଗାଇ ଦିଆଗଲା । ପାଟ୍ରୋଲିଂ ମଧ୍ୟ କଡାକଡି ହେଉଥିଲା । କଇଁଛଙ୍କ ମୃତ୍ୟୁ ସଂଖ୍ୟା ସମେତ ଜଳପଥରେ ଅପରାଧିକ କାର୍ଯ୍ୟକଳାପ ହ୍ରାସ ପାଇଥିଲା । ମାତ୍ର ଚଳିତବର୍ଷ କଇଁଛଋତୁ ଆରମ୍ଭ ପୂର୍ବରୁ ଆଜିଯାଏଁ ଏହି ବୋଟଟିକୁ ତେଲ ଯୋଗାଇ ଦିଆଯାଉନଥିବାରୁ ପାଟ୍ରୋଲିଂ ହୋଇପାରୁନି । ଯାହାଫଳରେ ଅନେକ କଇଁଛ ମୃତ୍ୟୁବରଣ କରୁଥିବାର ଦୃଶ୍ୟ ସାମ୍ନାକୁ ଆସୁଛି ।

ବୋଟରେ ନିଯୁକ୍ତି ପାଇଥିବା ୫ଜଣ କର୍ମଚାରୀ ବସି ବସି ଦରମା ନେଉଛନ୍ତି । ଏମାନଙ୍କ ପାଇଁ ରାଜକୋଷରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି । ମାତ୍ର ଯେଉଁ କାର୍ଯ୍ୟ ପାଇଁ ସ୍ପିଡ ବୋଟଟିକୁ ଅଣାଯାଇଥିଲା, ତାହା ସମ୍ପୂର୍ଣ୍ଣ ବିଫଳ ହୋଇଛି । ଏପରି ସ୍ଥିତିରେ ଅଲିଭ ରିଡଲେ କଇଁଛଙ୍କ ସମେତ ଉପକୂଳର ସୁରକ୍ଷା କିପରି ହେବ, ସେ ନେଇ ପରିବେଶବିତ୍ ମାନେ ପ୍ରଶ୍ନ ଉଠାଇଛନ୍ତି ।