କନକ ବ୍ୟୁରୋ : ବ୍ୟବସ୍ଥା ଉପରେ ବିଶ୍ୱାସ ରଖ, ଆଉ ସୋସିଆଲ ମିଡିଆରେ ସମାନ୍ତରାଳ ବିତର୍କ ଚଲାନ୍ତୁ ନାହିଁ । ପେଗାସସ୍ ଗୁଇନ୍ଦାଗିରି ମାମଲାରେ ଶୁଣାଣି ବେଳେ ସୁପ୍ରିମକୋର୍ଟ ଆବେଦନକାରୀଙ୍କୁ ଏପରି କିଛି କଥା କହିଛନ୍ତି । ସଲିସିଟର ଜେନେରାଲ ତୁଷାର ମେହେଟା ସରକାରଙ୍କ ପକ୍ଷ ରଖିଥିବା ବେଳେ ଆବେଦନକାରୀଙ୍କ ପକ୍ଷ ରଖିଥିଲେ ବରିଷ୍ଠ ଓକିଲ କପିଲ ସିବଲ । ଅଗଷ୍ଟ ୧୬ରେ ଏହି ମାମଲାର ଆଗାମୀ ଶୁଣାଣି ହେବ ।

Advertisment

କେନ୍ଦ୍ର ସରକାରଙ୍କ ଠାରୁ ନିର୍ଦ୍ଦେଶ ଆଣି ଅଧିକ ତଥ୍ୟ ରଖିବାକୁ ଶୁକ୍ରବାରର ସମୟ ମାଗିଥିଲେ ସରକାରୀ ଓକିଲ । ହେଲେ ଏହାକୁ ଅଗଷ୍ଟ ୧୬ ଯାଏଁ ଘୁଂଚାଇ ଦେଇଛନ୍ତି ମୁଖ୍ୟ ବିଚାରପତି । ପେଗାସସ୍ ଗୁଇନ୍ଦାଗିିରି ମାମଲାରେ ଏଡିଟର୍ସ ଗିଲ୍ଡ ଅଫ୍ ଇଣ୍ଡିଆ ଆବେଦନ କରିଥିବା ବେଳେ ଏହି ମାମଲାର ସ୍ୱତନ୍ତ୍ର ତଦନ୍ତ ଦାବି କରୁଛି । ଏହାପୂର୍ବରୁ ଅଗଷ୍ଟ ୫ରେ ଏହି ମାମଲାର ଶୁଣାଣି କରି ବିଚାରପତି କହିଥିଲେ ଯେ, ଗୁଇନ୍ଦାଗିରି ନେଇ ଆସିଥିବା ଅଭିଯୋଗ ଯଦି ସତ ହୁଏ, ତାହେଲେ ଏହା ସାଂଘାତିକ ।

ଇସ୍ରାଏଲ ଫାର୍ମ ଏନଏସଓର ସ୍ପାଏୱେୟାର ପେଗାସସ୍ ଭାରତରେ ଅନେକଙ୍କ ମୋବାଇଲ ଗୁଇନ୍ଦାଗିରି କରିଥିବା ଅଭିଯୋଗ ହୋଇଛି । ଭାରତରେ ପ୍ରାୟ ୩୦୦ ଜଣଙ୍କ ମୋବାଇଲ ଗୁଇନ୍ଦାଗିରି କରାଯାଇଥିବା ଏଥିରେ ଅଭିଯୋଗ ହୋଇଛି । ଏହି ବ୍ୟକ୍ତିମାନଙ୍କ ମଧ୍ୟରେ ନେତା, ସାମ୍ବାଦିକ ଓ ଶିଳ୍ପପତିଙ୍କ ନାଁ ଥିବା ସମ୍ନାକୁ ଆସିଥିଲା । ତେବେ କେନ୍ଦ୍ର ସରକାର ଏହି ଅଭିଯୋଗକୁ ଖଣ୍ଡନ କରିଆସୁଛନ୍ତି ।