ହୀରାକୁଦ ବିସ୍ଥାପିତଙ୍କୁ ସରକାରୀ ଧାନମଣ୍ଡି ମନା । ବିସ୍ଥାପନର ପ୍ରାୟ ୭୦ ବର୍ଷ ପରେ ବି ଝାରସୁଗୁଡାର ବିସ୍ଥାପିତଙ୍କୁ ମିଳିନି ଜମି ପଟ୍ଟା । ପଟା ନଥିବାରୁ ମଣ୍ଡିରେ ଧାନ ବିକିବାକୁ ମିଳୁନି ଅନୁମତି

134

କନକ ବ୍ୟୁରୋ : ହୀରାକୁଦ ନଦୀବନ୍ଧ ତିଆରି ହେବାର ପ୍ରାୟ ୭୦ ବର୍ଷ ପରେ ବି ସମସ୍ୟା ଘେରରେ ବିସ୍ଥାପିତ । ହୀରାକୁଦ ନଦୀବନ୍ଧ ପାଇଁ ଲୋକେ ଜମି ଦେଲେ, ଭିଟାମାଟି ଛାଡିଲେ, ବିସ୍ଥାପିତ ହେଲେ । ସବୁ ଦେବା ପରେ ସମସ୍ୟାରେ ଘାଂଟି ହେଉଛନ୍ତି ବିସ୍ଥାପିତ । ନିଜ ଉତ୍ପାଦିତ ଧାନକୁ ସରକାରୀ ମଣ୍ଡିରେ ବିକ୍ରି କରିପାରୁ ନାହାନ୍ତି । କାରଣ ସେମାନେ ବିସ୍ଥାୁପନ ବାବଦକୁ ପାଇଥିବା ଜମିର ପଟ୍ଟା ଏଯାଏଁ ପାଇ ନାହାନ୍ତି । ମଣ୍ଡିରେ ଧାନ ବିକ୍ରି ପାଇଁ ଅନୁମତି ମିଳୁନଥିବାରୁ ଦଲାଲ ହାତରେ କମ୍ ଦରରେ ଧାନ ଟେକି ଦେଉଛନ୍ତି ବିସ୍ଥାପିତ ଚାଷୀ ।

୧୯୫୫ରେ ହୀରାକୁଦ ନଦୀବନ୍ଧ ନିର୍ମାଣ ପାଇଁ ସରକାରଙ୍କୁ ଭିଟାମାଟି ଟେକି ଦେଇଛନ୍ତି ଝାରସୁଗୁଡା ଲଖନପୁର ବ୍ଲକର ୧୯ଟି ଗ୍ରାମବାସୀ । ବିଶ୍ୱର ସବୁଠାରୁ ବଡ଼ ମାଟିବନ୍ଧ ପାଇଁ ବିସ୍ଥାପିତ ହୋଇ ଅନ୍ୟତ୍ର ବସବାସ କରୁଥିବା ଗ୍ରାମବାସୀ ଆଜି ବି ବିସ୍ଥାପନର ସମସ୍ୟା ଭୋଗୁଛନ୍ତି । ଶହ ଶହ ବିସ୍ଥାପିତ ଚାଷୀ ସରକାରଙ୍କ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ ହୋଇ ପାରୁନାହାନ୍ତି । କାରଣ ପ୍ରାୟ ୬୦୦୦ ବିସ୍ଥାପିତ ଚାଷୀଙ୍କୁ ଜମି ପଟ୍ଟା ମିଳିନାହିଁ । ଫଳରେ ସେମାନେ ଦଲାଲ ସାହାଯ୍ୟରେ ୧୨୦୦ରୁ ୧୩୦୦ ଟଙ୍କାରେ ଧାନ ବିକିି କ୍ଷତି ସହୁଛନ୍ତି ।

ଝାରସୁଗୁଡା ଜିଲ୍ଲାରେ ୩୨ଟି ସମବାୟ ସମିତି ଜରିଆରେ ନଭେମ୍ବର ୨୫ରୁ ଖରିଫ ଧାନ କିଣା ପ୍ରକ୍ରିୟା ଜାରି ରହିଛି । ୪୧ଟି ଧାନ କ୍ରୟ କେନ୍ଦ୍ରରେ ଧାନ କିଣାବିକା ଚାଲିଛି । ପ୍ରଥମ ପର୍ଯ୍ୟାୟରେ ୫ଲକ୍ଷ ୫୮ହଜାର ୮୨୩ କ୍ୱିଂଟାଲ ଧାନ ସଂଗ୍ରହ କରିବାକୁ ଜିଲ୍ଲା ପ୍ରଶାସନ ଲକ୍ଷ୍ୟ ରଖିଛି । ତେବେ ହୀରାକୁଦ ନଦୀବନ୍ଧ ଦ୍ୱାରା ବିସ୍ଥାପିତ ହୋଇଥିବା ଅଣରାଜସ୍ୱ ଗ୍ରାମ ଗୁଡିକୁ ଏହି ଧାନ କିଣା ପ୍ରକ୍ରିୟାରୁ ବାଦ ଦିଆଯାଇଛି । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି । ଅନ୍ୟପଟେ ଏବାବଦରେ ସରକାରଙ୍କୁ ଜଣାଇଥିବା କହିଛନ୍ତି ଝାରସୁଗୁଡା ଜିଲ୍ଲାପାଳ ।

ଭିଟାମାଟି ସହ ସର୍ବସ୍ୱ ହରାଇ ହକ ପାଇବାରୁ ବଂଚିତ ହେଉଛନ୍ତି ହୀରାକୁଦ ବିସ୍ଥାପିତ । ଅନେକ ସମୟରେ ସରକାର ବିସ୍ଥାପିତଙ୍କ ସମସ୍ୟା ସମାଧାନ ପାଇଁ ନୀତି ନିୟମ କରିଛନ୍ତି । ୨୦୧୨ରେ ବିସ୍ଥାପିତଙ୍କ ସମସ୍ୟାର ସମାଧାନ ହୋଇଛି ବୋଲି ରାଜସ୍ୱ ବିଭାଗ ରିପୋର୍ଟ ପ୍ରଦାନ କରିଥିଲା । କିନ୍ତୁ ବାସ୍ତବରେ ଆଜି ଯାଏଁ ସମସ୍ୟାର ସମାଧାନ ହୋଇପାରିନାହିଁ ।