‘କଂଗ୍ରେସ ବିନା ବିରୋଧୀ ମେଣ୍ଟ ସମ୍ଭବ ନୁହେଁ’ : ଶିବସେନା ସାଂସଦ ସଞ୍ଜୟ ରାଉତ

78

କନକ ବ୍ୟୁରୋ : କଂଗ୍ରେସ ବିନା ବିରୋଧୀ ମେଣ୍ଟ ସମ୍ଭବ ନୁହେଁ । ଶିବସେନା ସାଂସଦ ସଞ୍ଜୟ ରାଉତ ଏପରି କହିଛନ୍ତି । ମଙ୍ଗଳବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ସଞ୍ଜୟ ଭେଟି ଦୀର୍ଘ ସମୟ ଅନେକ ପ୍ରସଙ୍ଗରେ ଆଲୋଚନା କରିଥିଲୋ ଏହାପରେ ବିନା କଂଗ୍ରେସରେ ବିରୋଧୀ ମେଂଟ ସମ୍ଭବ ନୁହେଁ ବୋଲି କହିଥିଲେ । ତେବେ ବିରୋଧୀ ମେଂଟର ନେତୃତ୍ୱ କିଏ ନେବେ ସେ ନେଇ ଆଲୋଚନା ହେବା ଦରକାର ।

ସମସ୍ତଙ୍କୁ ଏକାଠି ହୋଇ ୨୦୨୪ରେ ବିଜେପି ନେତୃତ୍ବାଧୀନ ନ୍ୟାଶନାଲ ଡେମୋକ୍ରାଟିକ ଆଲାଏନ୍ସ ବା ଏନଡିଏକୁ କ୍ଷମତାରୁ ହଟାଇବାକୁ ହେବ ବୋଲି ରାଉତ କହିଛନ୍ତି । ନିକଟରେ ଟିଏମସି ସୁପ୍ରିମୋ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମୁମ୍ବାଇ ଗସ୍ତରେ ଯାଇଥିଲେ । ଏହି ସମୟରେ ଏନସିପି ସୁପ୍ରିମୋ ଶରଦ ପାୱାରଙ୍କୁ ସେ ଭେଟିିଥିଲେ । ଏହାପରେ ମମତା କହିଥିଲେ ୟୁନାଇଟେଡ୍ ପ୍ରୋଗ୍ରେସିଭ୍ ଆଲାଏନ୍ସ ବା ୟୁପିଏ କେଉଁଠି ଅଛି ବୋଲି କହି କଂଗ୍ରେସ ଆଉ ବିରୋଧୀ ମେଂଟର ନେତୃତ୍ୱ ନେଉ ନାହିଁ ବୋଲି କହିବାକୁ ପରୋକ୍ଷରେ କହିଥିଲେ ।

ଏପରି କହି ସେ ପରୋକ୍ଷରେ ଇସାରା ଦେଇଥିଲେ ଯେ ୨୦୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ସେ ବିରୋଧୀ ମେଂଟର ନେତୃତ୍ୱ ନେବାକୁ ଯାଉଛନ୍ତି । ମମତା ମୁମ୍ବାଇ ଗସ୍ତରେ ଥିବା ବେଳେ ଶରଦ ପାୱାରଙ୍କ ସମେତ ଶିବସେନା ନେତା ସଂଜୟ ରାଉତ ଏବଂ ଉଦ୍ଧବ ଠାକରେଙ୍କୁ ଭେଟିଥିଲେ । ସେହିପରି ରାହୁଲ ଗାନ୍ଧୀ ମଧ୍ୟ ଖୁବଶୀଘ୍ର ମୁମ୍ବାଇ ଗସ୍ତରେ ଆସିବେ ବୋଲି ସୂଚନା ରହିଛି । ମହାରାଷ୍ଟ୍ରରେ ସଞ୍ଜୟଙ୍କ ଦଳ ଶିବସେନା, ଏନିସିପି ଏବଂ କଂଗ୍ରେସ ସମର୍ଥନରେ ସରକାରର ନେତୃତ୍ୱ ନେଉଛି ।