ସରକାର ! କରୋନା ଯୋଦ୍ଧାଙ୍କୁ ଭୁଲିଗଲ କି...? ସମ୍ମାନ ତ ଦୂରର କଥା ଜୁଇ ପାଇଁ ମିଳିଲାନି କାଠ, କୋକେଇ ପାଇଁ ମିଳିଲାନି କାନ୍ଧ... ଅଙ୍ଗନବାଡି କର୍ମୀଙ୍କ ମୃତ୍ୟୁ ପରେ ଶ୍ମଶାନର ଅଳିଆ ଗଦାରେ ମାଆ ଶବକୁ ରଖି ଏକାଏକା ଜଗିଲା ଅସହାୟ ଝିଅ । ବ୍ରହ୍ମପୁରରୁ ଆସିଲା କରୋନାର କରୁଣ ଦୃଶ୍ୟ

Advertisment
ସରକାର ! କରୋନା ଯୋଦ୍ଧାଙ୍କୁ ଭୁଲିଗଲ କି...? ସମ୍ମାନ ତ ଦୂରର କଥା ଜୁଇ ପାଇଁ ମିଳିଲାନି କାଠ, କୋକେଇ ପାଇଁ ମିଳିଲାନି କାନ୍ଧ... ଅଙ୍ଗନବାଡି କର୍ମୀଙ୍କ ମୃତ୍ୟୁ ପରେ ଶ୍ମଶାନର ଅଳିଆ ଗଦାରେ ମାଆ ଶବକୁ ରଖି ଏକାଏକା ଜଗିଲା ଅସହାୟ ଝିଅ । ବ୍ରହ୍ମପୁରରୁ ଆସିଲା କରୋନାର କରୁଣ ଦୃଶ୍ୟ

କନକ ବ୍ୟୁରୋ: ମର୍ଯ୍ୟାଦା ସହ ସରିବ କରୋନା ଯୋଦ୍ଧାଙ୍କ ଶେଷକୃତ୍ୟ । ଜାତୀୟ ଦିବସରେ ମର୍ଯ୍ୟାଦା ସହ କରାଯିବ ସମ୍ମାନିତ । ଗତ ଏପ୍ରିଲ ୨୧ ତାରିଖରେ ଯେତେବେଳେ ରାଜ୍ୟବାସୀଙ୍କୁ ଭିଡିଓ ବାର୍ତ୍ତା ଜରିଆରେ ସମ୍ବୋଧିତ କରିଥିଲେ କିଛି ଏଭଳି ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜୀବନକୁ ବାଜି ଲଗାଇ ସ୍ୱାସ୍ଥ୍ୟସେବାରେ ନିୟୋଜିତ ଥିବା ଡାକ୍ତର, ନର୍ସଙ୍କ ସମେତ ଆଶା ଦିଦି, ଅଙ୍ଗନବାଡି ଦିଦିଙ୍କ ପାଇଁ ଏକାଧିକ ଘୋଷଣା କରିଥିଲେ ।

କେମିତି କାମ କରୁଛି ସରକାରୀ ଘୋଷଣା? କରୋନା ଯୋଦ୍ଧାଙ୍କୁ ମିଳୁଛି କି ମର୍ଯ୍ୟାଦା? ବ୍ରହ୍ମପୁରରୁ ଆସିଥିବା ଏହି ଚିତ୍ର ଦେଖିଲେ ଆପଣ ଉତ୍ତର ପାଇଯିବେ । ଅଳିଆଗଦାରେ ମୃତଦେହଟିଏ ପଡ଼ିଛି ଏବଂ ପାଖରେ ଜଗି ରହିଛି ଜଣେ ଅସହାୟ ମହିଳା । ରାଷ୍ଟ୍ରୀୟ ମର୍ଯ୍ୟାଦା କଥାକୁ ଛାଡ଼ି ଦିଅନ୍ତୁ ସର୍ବନିମ୍ନ ମାନବୀୟ ସମ୍ମାନ ଟିକକ ମଧ୍ୟ ମିଳିନି । ମୃତଦେହର ଅନ୍ତିମ ସଂସ୍କାର ପାଇଁ କେହି ଆସିଲେ ନାହିଁ, ଫଳରେ ମଶାଣୀକୁ ଯିବା ପାଇଁ ଚାରି କାନ୍ଧ ବି ଜୁଟିଲାନି । ଏପରି କି ମୃତଦେହକୁ ଘରକୁ ନେବାକୁ ଦେଲେ ନାହିଁ ସଂପର୍କୀୟ ସାହିବାସୀ । ଆଉ ଏକାକି ମାଆର ମୃତଦେହ ପାଖରେ ବସି ବାହୁନି ବାହୁନି କାନ୍ଦୁଛି ଝିଅ । କରୋନା ଯୋଦ୍ଧାଙ୍କୁ ସମ୍ମାନ ତ ଦୂରର କଥା ଜୁଇ ପାଇଁ କାଠ, କୋକେଇ ପାଇଁ କାନ୍ଧ ମଧ୍ୟ ମିଳିଲା ନାହିଁ । ଏପରି ହୃଦୟ ବିଦାରକ ଦୃଶ୍ୟ ଦେଖିଲେ ହୁଏତ ବୁଝାପଡ଼ିବ ମଣିଷର ମାନବିକତା କେବଳ ମରିଯାଇନାହିଁ ବରଂ ସରକାର ତାଙ୍କ ଦାୟିତ୍ୱକୁ ମଧ୍ୟ ଭୁଲି ଯାଇଛନ୍ତି ।

ତେବେ ଏମିତି ଘଟଣା ସାମ୍ନାକୁ ଆସିବା ପରେ ପ୍ରଶ୍ନ ଉଠୁଛି କରୋନା ଯୋଦ୍ଧାଙ୍କ ଦାୟିତ୍ୱ ନେବ କିଏ? କାହିଁକି ଅଲୋଡ଼ା ହୋଇ ଗଲେ କରୋନା ଯୋଦ୍ଧା? ମୃତ ମହିଳା ଜଣକ ହେଉଛନ୍ତି ଗଂଜାମ ଜିଲ୍ଲା କୋଙ୍କରୋଡା ପଂଚାୟତର କରୋନା କାର୍ଯ୍ୟରେ ନିୟୋଜିତ ଥିବା ଅଙ୍ଗନୱାଡି ସୁପରଭାଇଜର ଅଶାନ୍ତି ପାତ୍ର । ଅଙ୍ଗନୱାଡି ସୁପରଭାଇଜରଙ୍କ ମୃତ୍ୟୁ କରୋନା କାରଣରୁ ହୋଇଥିବା ସନ୍ଦେହ କରି ପାଖପଡ଼ିଶା କେହି ପାଖକୁ ଆସିଲେନି । ଫଳରେ ମୃତ ମହିଳାଙ୍କ ଝିଅ ଏକାକୀ ଶବଟିକୁ ବ୍ରହ୍ମପୁର ଶ୍ରୀରାମନଗର ଶ୍ମଶାନକୁ ଆଣିଥିଲେ । ହେଲେ, କରିବେ କ’ଣ, ବୁଦ୍ଧି ନଦିଶିବାରୁ ବାଧ୍ୟ ହୋଇ ମୃତଦେହକୁ ଅଳିଆଗଦାରେ ମରଶରୀରକୁ ରଖି ସେମିତି ଗଜି ରହିଥିଲେ । ତେବେ ଧିରେଧିରେ ମଣିଷ ଦେହକୁ ସଂକ୍ରମଣ ବଢିଚାଲିଥିବା ବେଳେ ମନକୁ ମଧ୍ୟ ସେହି ପରିମାଣରେ ସନ୍ଦେହ ମାଡିମାଡି ଚାଲିଛି । ଆଉ ଶ୍ରଷ୍ଟାଙ୍କ ଶ୍ରେଷ୍ଠ ସୃଷ୍ଟି କୁହାଯାଉଥିବା ମଣିଷ ଧିରେଧିରେ ପଶୁ ଭଳି ଆଚରଣ କରୁଛି । ଯାହା ଏହି ଘଟଣାରୁ ସ୍ପଷ୍ଟ ପ୍ରମାଣିତ ହୋଇଗଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe