କନକ ବ୍ୟୁରୋ : କରୋନା ଏବଂ ଲକ୍ଡାଉନ୍ କଟକଣା ଯୋଗୁଁ ଗଞ୍ଜାମ ଜିଲ୍ଲାରେ ଦାଦନ ଫେରନ୍ତା ଶ୍ରମିକଙ୍କ ଦୁଃଖ ଦ୍ୱିଗୁଣିତ ହୋଇଯାଇଛି। ଜୀବନଜୀବିକା ହରାଇ ସୁରକ୍ଷିତ ଭାବେ ନିଜ ଭିଟାମାଟିକୁ ଫେରିଛନ୍ତି ଜିଲ୍ଲାର ପ୍ରାୟ ୨ ଲକ୍ଷ ପ୍ରବାସୀ। ହେଲେ କେତୋଟି ଘଟଣାରେ ଅସୁସ୍ଥତାର ନିଦାନ କରା ନଯିବା ଏବଂ ସମୟୋଚିତ ଚିକିତ୍ସା ଅଭାବରୁ କିଏ ଆନୁଷଙ୍ଗିକ ସଙ୍ଗରୋଧ କେନ୍ଦ୍ରର ଚାରି କାନ୍ଥ ଭିତରେ ପ୍ରାଣ ହରାଇଛି ତ ଆଉ କାହାର ଜୀବନ ଘରୋଇ ସଙ୍ଗରୋଧରେ ଥିବା ସମୟରେ ଅକାଳରେ ଝଡ଼ି ପଡ଼ିଛି। ଗଞ୍ଜାମ ଜିଲ୍ଲାରେ ସଙ୍ଗରୋଧ କେନ୍ଦ୍ରରେ ରହି ଏବଂ ସଙ୍ଗରୋଧ କେନ୍ଦ୍ରରୁ ଫେରିବା ପରେ ଘରୋଇ ସଙ୍ଗରୋଧରେ ଥିବା ସମୟରେ ବିଭିନ୍ନ କାରଣରୁ ୧୧ ଜଣଙ୍କ ମୃତ୍ୟୁ ଘଟିଲାଣି। ଏହି ସମସ୍ୟା ଏକ ସଙ୍କଟଜନକ ସ୍ଥିତି ସୃଷ୍ଟି କରିଛି। ପ୍ରବାସୀଙ୍କ ମୃତ୍ୟୁ ପରେ ବେସାହାରା ପାଲଟି ଯାଇଥିବା ପରିବାରର ଦୁଃଖ ଶୁଣିବାକୁ ପ୍ରଶାସନ କି ସରକାର କେହି ନାହାନ୍ତି।
ସରକାରୀ ସହାୟତା ବି କିଛି ନାହିଁ। ଶେରଗଡ ବ୍ଲକ ନରେନ୍ଦ୍ର ପୁର କୁମ୍ଭାର ସାହିର ଭୀମସେନ ବେହେରା ସଙ୍ଗରୋଧ କେନ୍ଦ୍ରରୁ ଫେରି ଘରୋଇ ସଙ୍ଗରୋଧ ରହିଥିଲେ। ତାଙ୍କର ସ୍ୱାବ ନମୁନା ନେଗେଟିଭ୍ ଆସିଥିଲା। ଗତ ୫ଦିନ ତଳେ ହଠାତ୍ ଅସୁସ୍ଥ ହୋଇ ପଡ଼ିବାରୁ ଶୀତଳାପଲ୍ଲୀ କୋଭିଡ଼୍ -୧୯ ହସ୍ପିଟାଲକୁ ଅଣାଯାଇଥିଲା। ଗତକାଲି ତାଙ୍କର ମୃତ୍ୟୁ ଘଟିଛି। ଗଞ୍ଜାମ ଜିଲ୍ଲାର କେବଳ ଭୀମସେନ ନୁହନ୍ତି, ଗତ ମେ ମାସଠାରୁ ଇତି ମଧ୍ୟରେ ଆହୁରି ୧୦ଜଣଙ୍କ ଜୀବନ ଅକାଳରେ ଚାଲିଗଲାଣି।
ସେହିପରି ୮ତାରିଖରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ବଧିନୂଆପଲ୍ଲୀ ପଞ୍ଚାୟତର କେନ୍ଦୁବାଡ଼ି ଗ୍ରାମର ସଞ୍ଜୟ ଭୂୟାଁ(୩୫) ନାମକ ଯୁବକଙ୍କର ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ରରେ ମୃତ୍ୟୁ ଘଟିଥିଲା। ମଧୁସୂଦନ ଜେନାଙ୍କ ପୁଅ ସଞ୍ଜୟ ସୁରତରୁ ଫେରି ତୁଳସୀପର ପଞ୍ଚାୟତ କମଳାପଦର ସଙ୍ଗରୋଧ ଗୃହରେ ୧୪ଦିନିଆ ସଙ୍ଗରୋଧ ବିତାଇ ଘରକୁ ଫେରିଥିଲେ। ଏହାପରେ ଗତ ୧୦ ତାରିଖରେ ଦୁଇ ସୁରତ ଫେରନ୍ତା ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ ହୋଇଥିଲା। ଧରାକୋଟ ବ୍ଲକ୍ ବରଡ଼ବାଲି ସଙ୍ଗରୋଧ କେନ୍ଦ୍ରରେ ରାତି ୯ଟାରେ ଶିବରାମ ପ୍ରଧାନ (୫୫) ନାମକ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା। ସେହିପରି ସାନଖେମୁଣ୍ଡି ବ୍ଲକ୍ ଆଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ରରେ ସଙ୍ଗରୋଧ କେନ୍ଦ୍ର ଫେରନ୍ତା କଉଡ଼ିଆ ପଞ୍ଚାୟତ ବଉଳଘାଇ ଗ୍ରାମର ସୁଦୁରୁ ମଲ୍ଲିକ (୪୭)ଙ୍କ ମୃତ୍ୟୁ ଘଟିଥିଲା।
ସେ ସୁରତରୁ ଫେରି କଙ୍କୋରଡ଼ା ପଞ୍ଚାୟତର କରାଖଣ୍ଡି ପ୍ରାଥମିକ ବିଦ୍ୟାଳୟ ସରକାରୀ ସଙ୍ଗରୋଧ କେନ୍ଦ୍ରରେ ୧୪ ଦିନ ବିତାଇବା ପରେ ଘରେ ୭ଦିନିଆ ହୋମ୍ କ୍ୱାରେନଟାଇନ ଅବଧି ମଧ୍ୟ ଶେଷ କରିଥିଲେ। ଅନ୍ୟପକ୍ଷରେ ଗତ ୧୨ ତାରିଖରେ ଗଞ୍ଜାମ ଜିଲ୍ଲାରେ ୩ ଜଣ ସଙ୍ଗରୋଧ କେନ୍ଦ୍ର ଫେରନ୍ତାଙ୍କ ଘରେ ଥିବା ସମୟରେ ମୃତ୍ୟୁ ଘଟିଥିଲା। ମୃତକ ମାନେ ବେଲଗୁଣ୍ଠା ବ୍ଲକ୍ ସାନସାଦରା ଗ୍ରାମର ସନ୍ତୋଷ ବରାଡ଼ (୫୨) ଓ ବୁଗୁଡ଼ା ବ୍ଲକ୍ ବଣପଲ୍ଲୀ ଗ୍ରାମର ପ୍ରଭାକର ଗୌଡ଼ (୪୦)। ଅନ୍ୟ ଜଣେ ହେଲେ ପୁରୁଷୋତ୍ତମପୁର ବ୍ଲକ ଦେଉଳିପଲ୍ଲୀ ଗାଁର। ଏମାନେ ସମସ୍ତେ ସୁରତରୁ ଫେରି ସଙ୍ଗରୋଧ କେନ୍ଦ୍ରରେ ରହି ଘରକୁ ଫେରିଥିଲେ।