ଦ୍ୱିତୀୟ ରାଜ୍ୟଭାଷା ଭାବେ ଓଡ଼ିଆକୁ ଉଚ୍ଛେଦ : ଝାଡଖଣ୍ଡ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ

144

କନକ ବ୍ୟୁରୋ : ଝାଡ଼ଖଣ୍ଡ ସରକାର ଓଡ଼ିଆ ଭାଷାକୁ ଦ୍ୱିତୀୟ ଭାଷା ମାନ୍ୟତାରୁ ହଟାଇବାକୁ ନିଷ୍ପତ୍ତି ନେଇଛନ୍ତିି । ଯାହାକୁ ନେଇ ଝାଡ଼ଖଣ୍ଡରେ ବିରୋଧ ଆରମ୍ଭ ହୋଇଯାଇଛି । ଆଜି ଝାଡ଼ଖଣ୍ଡର ସଢେଇଖଳା, ଖରସୁଆଁ, ସିଂହଭୂମ ଆଦି ଅଂଚଳରେ ଶତାଧିକ ଲୋକ ସରକାରଙ୍କ ଏହି ନିଷ୍ପତ୍ତିକୁ ବିରୋଧ କରିବା ସହ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି । ଉତ୍କଳ ମଣି ଗୋପବନ୍ଧୁ ଦାସଙ୍କ ଫଟୋରେ ଫୁଲମାଳ ଦେଇ ଲୋକେ ବିକ୍ଷୋଭ କରୁଥିବା ଦେଖିବାକୁ ମିଳିଛି । ୨୦୧୧ରେ ଝାଡ଼ଖଣ୍ଡ ସରକାର ଓଡ଼ିଆ ଭାଷାକୁ ଦ୍ୱିତୀୟ ଭାଷାର ମାନ୍ୟତା ପ୍ରଦାନ କରିଥିଲେ । କିନ୍ତୁ ୨୦୨୧-୨୨ ଶିକ୍ଷା ବର୍ଷରୁ ଝାଡ଼ଖଣ୍ଡ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ଓଡ଼ିଆ ଭାଷାକୁ ଉଚ୍ଛେଦ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାକୁ ବିରୋଧ କରି ଆଜି ସଢେଇଖଳା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଓଡ଼ିଆ ଭାଷାଭାଷୀ ଲୋକ ବିକ୍ଷୋଭ କରିଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ ୨୦୧୧ ମସିହାରେ ଝାଡ଼ଖଣ୍ଡ ସରକାର ଓଡ଼ିଆ ସମେତ ୪ ଟି ଆଞ୍ଚଳିକ ଭାଷାକୁ ଦ୍ବିତୀୟ ସରକାରୀ ଭାଷାର ମାନ୍ୟତା ଦେଇଥିଲେ। ଅନ୍ୟ ୩ଟି ଭାଷା ହେଉଛି, ସାନ୍ତାଳୀ, ବଙ୍ଗଳା ଓ ଉର୍ଦ୍ଦୁ। ସରକାରଙ୍କ ଏହି ନିଷ୍ପତ୍ତିକୁ ସେତେବେଳେ ସେଠାକାର ଓଡ଼ିଆ ଭାଷାଭାଷୀ କେବଳ ସ୍ବାଗତ କରିନଥିଲେ ଓଡ଼ିଶାରେ ମଧ୍ୟ ଖୁସିର ଲହରୀ ଖେଳିଯାଇଥିଲା। ତେ‌ବେ, ଏହାର ଠିକ୍‌ ୧୦ ବର୍ଷ ପରେ ବର୍ତ୍ତମାନର ସରକାରଙ୍କ ନିଷ୍ପତ୍ତି ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ସାନ୍ତାଳୀ, ବଙ୍ଗଳା ଓ ଉର୍ଦ୍ଦୁର ମାନ୍ୟତା ପ୍ରତ୍ୟାହାର ହୋଇନଥିବାବେଳେ ଓଡ଼ିଆକୁ ଦ୍ବିତୀୟ ଭାଷାର ମାନ୍ୟତା ପ୍ରତ୍ୟାହାର କରାଯାଇଛି।