ପ୍ରଭାବ ପକାଉନି ଆକାଶଛୁଆଁ ପିଆଜ ଦର ! ପିଆଜ ପାଇଁ ସାରା ଦେଶ କାନ୍ଦୁଥିବା ବେଳେ ଏହି ଗାଁର ଲୋକଙ୍କୁ ପଡୁନି ଏହାର ପ୍ରଭାବ ,ଜାଣନ୍ତୁ କ’ଣ ରହିଛି ରହସ୍ୟ

2,050

ପିଆଜ ଦର ଯେଉଁଠି ସାରା ଦେଶକୁ କନ୍ଦାଉଛି, ସେଠି ପିଆଜକୁ ନେଇ ଏହି ଗାଁର ଲୋକେ ଏବେ ଅଚିନ୍ତାରେ । ବର୍ତ୍ତମାନ ଦେଶରେ ପିଆଜର ଦରକୁ ନେଇ ଗୃହିଣୀଙ୍କ ବଜେଟ ଖାଲି ହେବାରେ ଲାଗିଛି । ପିଆଜର ବ୍ୟବହାର ମଧ୍ୟ କମ୍ କରିଦେଇଛନ୍ତି ସାଧାରଣ ଲୋକ । କିନ୍ତୁ ବିହାରରେ ରହିଛି ଏକ ଏପରି ଗାଁ ଯେଉଁଠି ଏହାର କୌଣସି ପ୍ରଭାବ ପଡୁନାହିଁ । କାରଣ ଏଠି ଏଭଳି ପରମ୍ପରା ରହିଛି ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ଜହାନାବାଦ ଜିଲ୍ଲା ଠାରୁ ୩୦ କିମି ଦୂର ତ୍ରିଲୋକୀ ବିଗ୍ରହୀ ଗାଁରେ ପିଆଜକୁ ନେଇ କିଛି ସମସ୍ୟା ନାହିଁ । କାରଣ ପୁରା ଗାଁରେ କେହି ପିଆଜ ଖାଆନ୍ତି ନାହିଁ । ଏହି ଗାଁରେ ପାଖାପାଖି ୩୦ ରୁ ୩୫ ଟି ଘର ରହିଛି । ଏଠାରେ ଅଧିକାଂଶ ଲୋକ ଯାଦବ ଜାତିର ଅଟନ୍ତି । ଏହି ଘରର ଲୋକମାନେ ପିଆଜ ରସୁଣ ଖାଆନ୍ତି ନାହିଁ ।

ଗ୍ରାମର ଜଣେ ବୃଦ୍ଧଙ୍କ କହିବାନୁଯାୟୀ, ଏହାର କାରଣ ରସୁଣ ଓ ପିଆଜ ଦର ବୃଦ୍ଧି କାରଣରୁ ନୁହେଁ ବରଂ ଏଠିକାର ଲୋକ ବର୍ଷ ବର୍ଷ ଧରି ପିଆଜ, ରସୁଣ ଖାଆନ୍ତି ନାହିଁ । ଆମର ପୂର୍ବ ପୁରୁଷମାନେ ମଧ୍ୟ ପିଆଜ ରସୁଣ ଖାଉନଥିଲେ । ସେଥିପାଇଁ ଏହି ପରମ୍ପରା ଆଜି ଯାଏଁ ମଧ୍ୟ ଚାଲିଆସିଛି । ଠାକୁର ପୂଜା କରୁଥିବା କାରଣରୁ ସେମାନେ ପିଆଜରସୁଣ ଖାଆନ୍ତି ନାହିଁ ବୋଲି ଗାଁର ଲୋକ ମତ ଦେଇଛନ୍ତି । ଏଥି ସହିତ ଗାଁର ଅନ୍ୟ ଜଣେ ଲୋକ କହିଛନ୍ତି, ଗାଁରେ ଠାକୁରଙ୍କ ମନ୍ଦିର ରହିଛି । ସେଥିପାଇଁ ତାଙ୍କ ଗାଁ ଲୋକେ ପରମ୍ପରା ଅନୁଯାୟୀ ଏହାକୁ ପ୍ରଥା ଭାବେ ମାନିଆସିଛନ୍ତି । ତେବେ ୪୦-୪୫ ବର୍ଷ ପୂର୍ବେ ଜଣେ ବ୍ୟକ୍ତି ଏହି ନିୟମକୁ ଭାଙ୍ଗି ପିଆଜ ରସୁଣ ଖାଇଦେଇଥିଲେ ଯାହାଦ୍ୱାରା କୌଣସି ସମସ୍ୟାର ସମ୍ମୁଖିନ ହୋଇଥିଲେ ବୋଲି ଗାଁ ଲୋକ କହିଆସୁଛନ୍ତି । ସେହିଦିନଠାରୁ ଆଜି ଯାଏଁ ଗାଁର କେହି ଲୋକ ଏପରି ସାହାସ କରିନାହାନ୍ତି । ଗାଁରେ ଏହି ପରମ୍ପରା ପିଢି ପିଢି ଧରି ଚାଲି ଆସିଛି ବୋଲି ଗାଁ ସରପଞ୍ଚ କହିଛନ୍ତି । କିଛି ଲୋକ ଏହାକୁ ଅନ୍ଧବିଶ୍ୱାସ କହୁଥିଲେ ମଧ୍ୟ ଗାଁ ଲୋକ ଏହାକୁ ପରମ୍ପରା ବୋଲି ମାନି ଆସିଛନ୍ତି ।