୨୩ ବୀମା କମ୍ପାନି ପାଖରେ ପଡି ରହିଛି ୧୫, ୧୬୭ କୋଟି ଟଙ୍କା । ନେବାକୁ ନାହାନ୍ତି କୌଣସି ଦାବିଦାର

88

ଦେଶର ୨୩ ବୀମା କମ୍ପାନି ନିକଟରେ ଥିବା ୧୫,୧୬୭ କୋଟି ଟଙ୍କାର କୌଣସି ଦାବିଦାର ନାହାନ୍ତି । ଏତେ ପରିମାଣର ଟଙ୍କାର କୌଣସି ଦାବିଦାର ନାହାନ୍ତି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଭାରତୀୟ ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ ଏଭଳି ଖାତାଧାରୀଙ୍କୁ ଚିହ୍ନଟ କରିବାକୁ ବୀମା କମ୍ପାନି ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାଛଡା ଚିହ୍ନଟ କରାଯାଇଥିବା ଖାତାଧାରକଙ୍କୁ ଟଙ୍କା ଫେରାଇବାକୁ ମଧ୍ୟ ବୀମା କମ୍ପାନି ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି । ବୀମା କମ୍ପାନି ଗୁଡିକ ଖାତାଧାରକଙ୍କ ସୁରକ୍ଷା ପାଇଁ ଗଠନ ହୋଇଥିବା ନିର୍ଦ୍ଦେଶକ ସ୍ତରୀୟ ସମିତିକୁ ଦାୟିତ୍ୱ ଦିଆଯାଇଛି ଯେ, ସେମାନେ ସମୟ ପୂର୍ବରୁ ଖାତାଧାରକଙ୍କୁ ସମସ୍ତ ଟଙ୍କା ଫେରସ୍ତ କରନ୍ତୁ । ଏହି ବୀମା ରାଶି ମଧ୍ୟରେ ଭାରତୀୟ ଜୀବନ ବୀମା ନିଗମ ବା ଏଲଆଇସି ପାଖରେ ୧୦,୫୦୯ କୋଟି ଟଙ୍କା ରହିଛି । ସେହିଭଳି ଅନ୍ୟ ଘରୋଇ ୨୨ଟି ବୀମା କମ୍ପାନି ପାଖରେ ୪, ୬୫୭ କୋଟି ଟଙ୍କା ରହିଛି ଯାହାର କୌଣସି ଦାବିଦାର ନାହାନ୍ତି ।

ଘରୋଇ ବୀମା କମ୍ପାନି ମଧ୍ୟରେ ଆଇସିଆଇସିଆଇ ବୀମା କମ୍ପାନି ପାଖରେ୮୦୭ କୋଟି, ରିଲାୟନ୍ସ ନିପ୍ପନ ଲାଇଫ ଇନସ୍ୟୁରାନ୍ସ ପାଖରେ ୬୯୬.୧୬ କୋଟି, ଏସବିଆଇ ଲାଇଫ ଇନସୁରାନ୍ସ ୬୭୮.୫୯ କୋଟି ଓ ଏଚଡିଏଫସି ଷ୍ଟାଣ୍ଡାର୍ଡ ଲାଇଫ ଇନସ୍ୟୁରାନ୍ସ ପାଖରେ ୬୫୯.୩ କୋଟି ଟଙ୍କା ରହିଛି । ଯାହାର କୌଣସି ଦାବିଦାର ନାହାନ୍ତି । ଭାରତୀୟ ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ ସମସ୍ତ ବୀମା କମ୍ପାନି ଗୁଡିକୁ ନିର୍ଦ୍ଦେଶ ଦେଇଛି ଯେ, ନିଜର ୱେବସାଇଟରେ ଏପରି ଏକ ସୁବିଧା ଉପଲବ୍ଧ କରାନ୍ତୁ । ଯାହାଦ୍ୱାରା ପଲିସିଧାରକ କିମ୍ବା ତାଙ୍କର ପରିବାରବର୍ଗ ଜାଣିପାରିବେ ଯେ, କମ୍ପାନି ପାଖରେ ତାଙ୍କର ବାକି ଟଙ୍କା ରହିଛି । ଖାତାଧାରକଙ୍କୁ ବୀମା କମ୍ପାନିର ୱେବସାଇଟରେ ନିଜର ପଲିସି ନମ୍ବର, ପ୍ୟାନ ନମ୍ବର, ନାମ, ଜନ୍ମ ତାରିଖ ଓ ଆଧାର ନମ୍ବର ଦେବାକୁ ପଡିବ । ଯାହାଦ୍ୱାରା କମ୍ପାନି ବୀମାଧାରକଙ୍କୁ କେତେ ଟଙ୍କା ଦେବାକୁ ବାକି ରହିଛି ତାହା ଜାଣିପାରିବେ । ଏହାଛଡା ପ୍ରତି ୬ ମାସରେ ଦାବିଦାର ନଥିବା ଟଙ୍କାର ସମସ୍ତ ତଥ୍ୟ ଦେବାକୁ ଭାରତୀୟ ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ ପକ୍ଷରୁ ସମସ୍ତ ବୀମା କମ୍ପାନି ଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି ।