ଅବହେଳିତ ପଞ୍ଚାୟତରେ ମାଳମାଳ ପ୍ରାର୍ଥୀ । ଆଳି ବ୍ଲକର ବିଚ୍ଛିନ୍ନାଞ୍ଚଳ ଏକମାଣିଆ ପଞ୍ଚାୟତକୁ ଏଯାଏଁ ଯୋଡି ପାରିନି ସେତୁ

203

କନକ ବ୍ୟୁରୋ: ପଞ୍ଚାୟତକୁ ଚାରିପଟୁ ନଈ ଘେରି ରହିଛି । ପଞ୍ଚାୟତର ଚାରିପଟରେ ବ୍ରାହ୍ମଣୀ ଓ ତାର ଶାଖା ନଦୀ ହଂସୁଆ ଘେରି ରହିଛି । କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ଏକମାଣିଆ ପଞ୍ଚାୟତର ୪ହଜାର ଲୋକେ ଦୀପ ଭିତରେ ରହିଛନ୍ତି । ତେବେ ସ୍ୱାସ୍ଥ୍ୟ ସେବା ଠାରୁ ଆରମ୍ଭ କରି ଶିକ୍ଷା, ପାନୀୟଜଳ, ରାସ୍ତା ଘାଟ, ପରିମଳ ସବୁ କ୍ଷେତ୍ରରେ ଅବହେଳିତ ଏହି ପଞ୍ଚାୟତ । ଅନ୍ୟ ଦିନରେ ଏହି ଅବହେଳିତ ଗାଁର ମାଟି ମାଡୁନଥିବା ନେତା ଭୋଟ ବେଳେ ଆସନ୍ତି, ଭୋଟରଙ୍କୁ ପ୍ରତିଶ୍ରୁତି ଦିଅନ୍ତି ଆଉ ଭୋଟ ସରିଗଲା ପରେ ନେତା ପ୍ରତିଶ୍ରୁତିକୁ ଭୁଲି ଯାଆନ୍ତି । ଲୋକେ ପ୍ରତିଦିନ ସମସ୍ୟା ଭିତରେ ଜୁଝି ହୁଅନ୍ତି । ତେବେ ଚଳିତ ପଞ୍ଚାୟତ ନିର୍ବାଚନକୁ ନେଇ କଣ ଅଛି ଏହି ପଞ୍ଚାୟତବାସୀଙ୍କ ମୁଡ? କେଉଁ ଭଳି ନେତା ଚାହୁଛନ୍ତି ଜନତା, ତାର ସ୍ଥିତି ପରଖିବା ପାଇଁ ଦ୍ୱୀପାଞ୍ଚଳରେ ପହଁଚିଥିଲେ କନକ ନ୍ୟୁଜ୍ ପ୍ରତିନିଧି ।

ବିକାଶଠୁ ଅପହଞ୍ଚ ପଞ୍ଚାୟତରେ ମାଳମାଳ ପ୍ରାର୍ଥୀ । ଆଳି ବ୍ଲକର ଏକମାଣିଆ ପଞ୍ଚାୟତରେ ଚଳିତ ଥର ସରପଞ୍ଚ ଓ ସମିତି ସଭ୍ୟ ପଦ ପାଇଁ ୧୦ଜଣ ପ୍ରାର୍ôଥ ପ୍ରତିଦ୍ୱନ୍ଦିତା କରୁଛନ୍ତି ।
ଦିପ୍ତିମୟୀ କରଣଙ୍କ ସହ ବାସନ୍ତୀ ରାଉତ, ଅଲିଭା ବିଶ୍ୱାଳ, ରଞ୍ଜିତା ଜେନା ଓ ଲିପ୍ସା ପ୍ରିୟଦର୍ଶିନୀ ନାୟକ ସରପଞ୍ଚ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରୁଛନ୍ତି । କେବଳ ସରପଞ୍ଚ ନୁହେଁ, ସମିତି ସଭ୍ୟ ପଦ ପାଇଁ ମଧ୍ୟ ୫ ଜଣ ପ୍ରାର୍ଥୀ ହୋଇଛନ୍ତି ।

ତେବେ ଅବହେଳିତ ପଞ୍ଚାୟତରେ ମାଳମାଳ ପ୍ରାର୍ଥୀଙ୍କ ମଧ୍ୟରୁ ଭୋଟର କାହାକୁ ବାଛିବେ ତାକୁ ନେଇ ଦ୍ୱନ୍ଦ୍ୱରେ ପଡିଯାଇଛନ୍ତି । ତେବେ ଏକମାଣିଆ ପଞ୍ଚାୟତରେ ବିଜେଡି ଓ ବିଜେପି ସମର୍ଥିତ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ କଂଗ୍ରେସ ସମର୍ଥିତ ସରପଞ୍ଚ ପ୍ରାର୍ଥୀ ନାହାନ୍ତି । ତେଣୁ ସ୍ଥାନୀୟ କଂଗ୍ରେସ କର୍ମୀଙ୍କ ମନରେ କ୍ଷୋଭ ରହିଛି ।

ଆଳି ବ୍ଲକର ୧୧ଟି ୱାର୍ଡ, ୨ହଜାର ଭୋଟର ବିଶିଷ୍ଟ ଏହି ପଞ୍ଚାୟତକୁ ଚାରିପଟୁ ଘେରି ରହିଛି ବ୍ରାହ୍ମଣୀ ନଦୀ । ହୁଲି ଡଙ୍ଗାକୁ ଭରସା କରି ଜୀବନ ଜିଉଁଥିବା ଗ୍ରାମବାସୀ ଆଣ୍ଠୁଏ କାଦୁଅ ଓ ପାଣିରେ ପଶି ଯା’ଆସ କରନ୍ତି । ଏଠାକାର ଭୋଟର ପୋଲଟିଏ ପାଇଁ ଦାବି କରିଆସୁଥିବା ବେଳେ ନିର୍ବାଚନ ବେଳେ ପୋଲର ପ୍ରତିଶ୍ରୁତି ମିଳେ । କିନ୍ତୁ କିଛି କାର୍ଯ୍ୟକାରୀ ହେଉ ନାହିଁ ତେଣୁ ଆଜି ବି ବିଲ ହିଡ ଓ କାଦୁଅ ରାସ୍ତାରେ ଯିବା ଆସିବା କରନ୍ତି ଲୋକେ । ଲୋକଙ୍କ ଦୁର୍ଦ୍ଦଶା ଦିନକୁ ଦିନ ବଢିବା ଭଳି ପଞ୍ଚାୟତ ପ୍ରାର୍ଥୀଙ୍କ ସଂଖ୍ୟା ମଧ୍ୟ ବଢି ବଢି ଚାଲିଛି ।