କନକ ବ୍ୟୁରୋ : ଓଡ଼ିଶା କଂଗ୍ରେସକୁ ଏଆଇସିସିର ଅଣଦେଖା । କଂଗ୍ରେସ କାର୍ଯ୍ୟକାରିଣୀ କମିଟିରେ ନାହାନ୍ତି ଓଡ଼ିଶାର କୌଣସି ବି ନେତା । କେବଳ ୧୪ ଜଣିଆ ପ୍ରଭାରୀ ତାଲିକାରେ ଭକ୍ତ ଚରଣ ଦାସଙ୍କୁ ସ୍ଥାନ ଦିଆଯାଇଛି । ଯାହାକୁ ନେଇ ରାଜ୍ୟ କଂଗ୍ରେସରେ ଅସନ୍ତୋଷ ଦେଖିବାକୁ ମିଳିଛି ।

Advertisment

ଓଡ଼ିଶାକୁ ଏଆଇସିସି ସବୁବେଳେ ଉପେକ୍ଷିତ କରୁଥିବା ଅଭିଯୋଗ ଆଣିବା ସହ ଏନେଇ ରାହୁଲ ଗାନ୍ଧୀଙ୍କୁ ଚିଠି ଲେଖିବେ ବୋଲି କହିଛନ୍ତି ବିଧାୟକ ସୁରେଶ ରାଉତରାୟ । ଦିଲ୍ଲୀ ଯାଇ ଦୁଇ ତିନି ଜଣ ନେତାଙ୍କୁ ସ୍ଥାନ ଦେବା ପାଇଁ ମଲ୍ଲିକାର୍ଜୁନ ଖଡଗେଙ୍କୁ ପ୍ରସ୍ତାବ ଦେବେ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସେପଟେ କାର୍ଯ୍ୟକାରିଣୀ କମିଟିରେ ରହିବା ନେଇ ରେସରେ ନଥିଲେ ବୋଲି କହିଛନ୍ତି ବରିଷ୍ଠ ନେତା ନିରଞ୍ଜନ ପଟ୍ଟନାୟକ ।

ଗତକାଲି କଂଗ୍ରେସ କାର୍ଯ୍ୟକାରିଣୀ କମିଟି ଘୋଷଣା କରାଯାଇଛି । ଯେଉଁଥିରେ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ମନମୋହନ ସିଂହ, ଶଶୀ ଥରୁର ଓ ସଚିନ୍ ପାଇଲଟଙ୍କ ସହ ୩୯ ଜଣ ବରିଷ୍ଠ କଂଗ୍ରେସ ନେତା ସ୍ଥାନ ପାଇଛନ୍ତି । ସିଡବ୍ଲୁସିରେ ମୋଟ୍ ୮୪ ଜଣଙ୍କ ନାଁ ରହିଛି । ଏଥିରେ ସିଡବ୍ଲୁସି ସଦସ୍ୟ, ସ୍ଥାୟୀ ଆମନ୍ତ୍ରିତ, ବିଶେଷ ଆମନ୍ତ୍ରିତ ସଦସ୍ୟ ଏବଂ ପ୍ରଭାରୀଙ୍କ ନାଁ ରହିଛି । ତେବେ କାର୍ଯ୍ୟକାରୀ କମିଟିରେ ଓଡ଼ିଶାର କୌଣସି ନେତା ନରହିବା କେଉଁଠି ନା କେଉଁଠି ଦର୍ଶାଉଛି କଂଗ୍ରେସ ଫୋକସରେ ଓଡ଼ିଶା ନାହିଁ । ଆଗକୁ ଓଡ଼ିଶାରେ ବିଧାନସଭା ନିର୍ବାଚନ ରହିଛି । କିନ୍ତୁ କଂଗ୍ରେସ କାର୍ଯ୍ୟକାରୀ କମିଟିରେ ଓଡ଼ିଶାର କୌଣସି ନେତା ନ ରହିବା କର୍ମୀଙ୍କୁ ନିରୁତ୍ସାହିତ କରିଛି ।