ଅଜଣା ରୋଗରେ ଚୀନ ଛାନିଆ । ଆକ୍ରାନ୍ତ ହେଉଛନ୍ତି ଶିଶୁ

312

କନକ ବ୍ୟୁରୋ : ଚୀନରେ ପୁଣି ମାତିଲାଣି ଅଜଣା ରୋଗ । ଅଜଣା ରୋଗରେ ଆକ୍ରାନ୍ତ ହେଉଛନ୍ତି ସ୍କୁଲ ଯାଉଥିବା ଛୋଟ ଛୋଟ ପିଲା । ଏହି ରୋଗ ଏକ ରହସ୍ୟମୟ ନିମୋନିଆ ବୋଲି ସେଠାକାର ଡାକ୍ତର କହୁଛନ୍ତି । ଉତର-ପୂର୍ବ ବେଜିଂ ଏବଂ ଲିୟା-ଓନିଙ୍ଗ୍-ରେ ଏବେ ଡାକ୍ତରଖାନାରେ ଅଜଣା ନିମୋନିଆ ରୋଗରେ ଆକ୍ରନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ବିଶେଷ କରି ପିଲାଙ୍କ ଭିତରେ ଏହି ରୋଗ ଅଧିକ ଦେଖିବାକୁ ମିଳୁଛି । ରୋଗର ଲକ୍ଷଣ ଗୁଡିକ ନିମୋନିଆ ସହ ଅଧିକ ମେଳ ଖାଉଥିବା ଲକ୍ଷ୍ୟ କରାଯାଉଛି । ପିଲାଙ୍କ ପାଖରେ ଜ୍ୱର, କାଶ, ଥଣ୍ଡା, ନିଶ୍ୱାସ-ପ୍ରଶ୍ୱାସରେ ସମସ୍ୟା ଭଳି ଲକ୍ଷଣ ପରିଲକ୍ଷିତ ହେଉଛି । ଶୁଣନ୍ତୁ ଏନେଇ କ’ଣ କହୁଛନ୍ତି ସ୍ୱାସ୍ଥ୍ୟବିଶେଷଜ୍ଞ ।

ତେବେ କରୋନା ମହାମାରୀରେ ବି ଏହି ସବୁ ଲକ୍ଷଣ ଦେଖିବାକୁ ମିଳୁଥିଲା । ତେବେ ଏଥର କିନ୍ତୁ ଛୋଟ ପିଲା ଅଧିକ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳୁଛି । ପ୍ରଶ୍ନ ଉଠୁଛି ଏହା କୋଭିଡର ନୂଆ ରୂପ ନା ଚୀନରେ ଆଉ କେଉଁ ନୂଆ ଭାଇରସ ଆତଙ୍କ ଆରମ୍ଭ ହୋଇଛି । ଅନ୍ୟପଟେ ଊତର ଚୀନ ବିଶେଷ କରି ଅଜଣା ରୋଗରେ ଆକ୍ରାନ୍ତ ହେବାରେ ଲାଗିଛି । ଅଧିକାଂଶ ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି  ।

ସେପଟେ ଚୀନରେ ଏହି ଅଜଣା ଜ୍ୱରକୁ ନେଇ ଚିନ୍ତା ପ୍ରକଟ କରିଛି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ । ଅଜଣା ରୋଗ ଏବଂ ଏହା କେତେ ମାତ୍ରାରେ ବ୍ୟାପୁଛି ଏହାକୁ ନେଇ ଚୀନ୍କୁ ରିପୋର୍ଟ ମାଗିଛି ଡବ୍ଲୁଏଚ୍ଓ ।