କରୋନା ମହାମାରୀ ସମୟରେ ସରକାରଙ୍କ ବଡ ନିଷ୍ପତ୍ତି । ୨ ବର୍ଷ ଯାଏଁ ବାହାରିବନି ସରକାରୀ ଚାକିରି, ବିଦେଶ ଯାଇପାରିବେନି ସରକାରୀ ଅଧିକାରୀ ।

6,266

କନକ ବ୍ୟୁରୋ : କରୋନା ମହାମାରୀ ମୁକାବିଲା ଭିତରେ ରାଜ୍ୟ ସରକାର ଆଜି ବଡ ନିଷ୍ପତ୍ତି ନେଇଛନ୍ତି । କରୋନା ମୁକାବିଲା ପାଇଁ ଖର୍ଚ୍ଚକାଟ ଉପରେ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଆଉ ଏଥିପାଇଁ ଆଗାମୀ ୨ ବର୍ଷ ପର୍ଯ୍ୟନ୍ତ କୌଣସି ବିଭାଗରେ ନୂଆ ସରକାରୀ ପଦବୀ ସୃଷ୍ଟି ହେବନି ବୋଲି ନିଷ୍ପତ୍ତି ନିଆଯାଇଛି । କେବଳ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବ୍ୟତୀତ ଅନ୍ୟ କୌଣସି ବିଭାଗରେ ସରକାରୀ ପଦବୀ ସୃଷ୍ଟି କରାଯିବ ନାହିଁ । ଏନେଇ ସବୁ ବିଭାଗକୁ ଚିଠି ଲେଖିଛନ୍ତି ଅର୍ଥ ବିଭାଗ ସଚିବ ଅଶୋକ ମୀନା ।

ଏହାବାଦ୍ ସମସ୍ତ ସରକାରୀ ଅଧିକାରୀ ଓ ବିଭାଗ ପାଇଁ ଜାରି ହୋଇଛି ଗାଇଡଲାଇନ ।  ସରକାରୀ ଅଧିକାରୀଙ୍କ ପାଇଁ ଆସନ୍ତା ୨ ବର୍ଷ ଯାଏଁ କୌଣସି ନୂଆ ଗାଡି କିଣାଯିବ ନାହିଁ । ସରକାରୀ ଗସ୍ତ ଉପରେ ଲାଗିଲା କଟକଣା । ଦେଶ ବାହାରକୁ ସରକାରୀ ଅଧିକାରୀଙ୍କ ଗସ୍ତ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଇଲେ ସରକାର । ସେହିଭଳି ସରକାରୀ ଖର୍ଚ୍ଚରେ ବିଜିନେସ୍ କ୍ଲାସରେ ଗସ୍ତ କରିବାକୁ ମନା କରାଯାଇଥିବା ବେଳେ ଫାଷ୍ଟକ୍ଲାସ ଏସିରେ ମଧ୍ୟ ଗସ୍ତ କରିପାରିବେ ନାହିଁ ସରକାରୀ ଅଧିକାରୀ ।  ଏପରିକି କିଛି ନିର୍ଦ୍ଦିଷ୍ଟ ବାହାର ରାଜ୍ୟକୁ ଯାତ୍ରା କଲେ ହୋଟେଲରେ ରହିବା ଉପରେ ମଧ୍ୟ ଅଙ୍କୁଶ ଲଗାଯାଇଛି । ଉକ୍ତ ରାଜ୍ୟରେ ଥିବା ଓଡ଼ିଶା ଭବନରେ ରହିପାରିବେ ସରକାରୀ ଅଧିକାରୀ ।

ସେହିଭଳି  କନସଲଣ୍ଟାଣ୍ଟ କିମ୍ବା ଅବସରପ୍ରାପ୍ତ କର୍ମଚାରୀଙ୍କୁ ନିଯୁକ୍ତି ମିଳିବନି । ନୂଆ ଯୋଜନା ଉପରେ ମଧ୍ୟ କଟକଣା ଲଗାଇଲା ଅର୍ଥ ବିଭାଗ । ଆବଶ୍ୟକ ସ୍ଥଳେ ଜରୁରୀ ହେଲେ ନିଷ୍ପତ୍ତି ନିଆଯାଇପାରେ ବୋଲି  କୁହାଯାଇଛି ।