କନକ ବ୍ୟୁରୋ: ଗାଁରୁ ସହର ସବୁଠି ମୋବାଇଲ ନେଟୱାର୍କ ଆବଶ୍ୟକ । ଅନଲାଇନ୍ ପାଠପଢାରୁ ଆରମ୍ଭ କରି ଆମ୍ବୁଲାନ୍ସ ଭଳି ଜରୁରୀ ସେବା ପାଇଁ ଫୋନ କରିବାକୁ ହେଲେ ମୋବାଇଲରେ ନେଟୱର୍କ ନିହାତି ଦରକାର । ଡିଜିଟାଲ ଇଣ୍ଡିଆର କଥା କୁହାଯାଉଥିବା ବେଳେ ସବୁ କାମ ଅନଲାଇନ୍ରେ କରାଯାଉଛି । ହେଲେ ଓଡିଶାର ଅନେକ ଗାଁରେ ଏବେ ବି ମୋବାଇଲ ନେଟୱାର୍କ ନାହିଁ । ଯାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲାରେ ।

Advertisment

ରାଜ୍ୟରେ କରୋନା କଟକଣା ଭିତରେ ଡିଜିଟାଲ ପ୍ରଚାର ପାଇଁ କହିଛନ୍ତି ନିର୍ବାଚନ କମିଶନର । ହେଲେ ନେଟୱର୍କ ନଥିବାରୁ କେମିତି ହେବ ଡିଜିଟାଲ ପ୍ରଚାର । ଏହାକୁ ନେଇ ଚିନ୍ତାରେ ପଡିଛନ୍ତି ନେତା । ହାଣ୍ଡିରୁ ଗୋଟିଏ ଭାତ ଚିପି, ଭାତ ହେଲାଣି କି ନାହିଁ ଜାଣିବା ଭଳି ଆପଣଙ୍କୁ ଗୋଟିଏ ଜିଲ୍ଲାର ଅସଲ ଚିତ୍ର ଦେଖାଉଛୁ । ରାୟଗଡା ବ୍ଲକର ଏକାଧିକ ପଂଚାୟତରେ ନେଟୱର୍କ ସମସ୍ୟା ରହିଛି । ମୋବାଇଲ ଟାୱାର ଟିଏ ନଥିବାରୁ ଏସବୁ ପଂଚାୟତରେ ଅନଲାଇନ କାମ ହୋଇପାରୁନାହିଁ । ରାୟଗଡା ବ୍ଲକ ପିପିଲିଗୁଡା ପଂଚାୟତର କିଛି ଯୁବକ ଏକ ନିର୍ଦ୍ଧିଷ୍ଟ ସ୍ଥାନରେ ମୋବାଇଲ ନେଟୱର୍କ ଥିବା ଆବିଷ୍କାର କରିଛନ୍ତି । ଆଉ ସେଥିପାଇଁ ଗାଁରୁ ବାହାରେ ନେଟୱର୍କ ପାଇବାକୁ ଏହି ନାଟ ।

ଦେବଗଡ ଜିଲ୍ଲା ତିଲେଇବଣିର ୫ଟି ପଂଚାୟତ ଓ କନ୍ଧମାଳ ଜିଲ୍ଲାର ଅଡାସିପଡା ପଂଚାୟତରେ ନେଟୱର୍କ ନଥିବାରୁ ଏଥର ନିର୍ବାଚନରେ କେହି ପ୍ରାର୍ଥୀପତ୍ର ଦାଖଲ କରିନାହାନ୍ତି । ପ୍ରଶାସନିକ ଅବହେଳାକୁ ଦାୟୀ କରି ଏକପ୍ରକାର ଭୋଟ୍ ବର୍ଜନ କରିଛନ୍ତି । ହେଲେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ରାଜ୍ୟର ୬ହଜାର ୯୯ଟି ଗାଁରେ ରହିଛି ଏହି ମୋବାଇଲ ନେଟୱର୍କ ସମସ୍ୟା । ଲୋକଙ୍କ ସବୁ ସମସ୍ୟାକୁ ଆଖି ବୁଜି ଦେଉଥିବା ରାଜନେତା ଏବେ ଚିନ୍ତାରେ ପଡିଯାଇଛନ୍ତି ।

ନେଟୱାର୍କ ନାହିଁ, ନେତାଙ୍କ ଚିନ୍ତା
- ରାଜ୍ୟର ୬ହଜାର ୯୯ଟି ଗାଁରେ ଲାଗୁନି ମୋବାଇଲ
- କନ୍ଧମାଳ ଜିଲ୍ଲାର ୧ହଜାର ୯୪ଟି ଗାଁରେ ନାହିଁ ମୋବାଇଲ ନେଟୱର୍କ
- ରାୟଗଡା ୯୬୬, କୋରାପୁଟର ୫୨୦ ଗାଁରେ ଲାଗୁନି ମୋବାଇଲ
- ପ୍ରଥମରୁ ଦଶମ ଶ୍ରେଣୀ ମଧ୍ୟରେ ୩୪% ପିଲା କରୁଛନ୍ତି ଅନଲାଇନ କ୍ଲାସ
- ଅର୍ଥାତ ୩୯ ଲକ୍ଷ ୬୦ହଜାର ପିଲା ପଢିପାରୁନାହାନ୍ତି ଅନଲାଇନ ପାଠ
- ଟ୍ରାଇର ତଥ୍ୟ ଅନୁସାରେ ୧କୋଟି ଲୋକଙ୍କର ନାହିଁ ମୋବାଇଲ ଫୋନ୍

ଦେବଗଡର ତିଲେଇବଣିରେ ୫ଟି ପଂଚାୟତ ଭୋଟ ବର୍ଜନ କରିବା ପରେ ସେଠାରେ ମୋବାଇଲ ଟାୱାର ବସାଇବାକୁ ରାଜ୍ୟ ସରକାର ନିଷ୍ପତି କରିଛନ୍ତି । କେନ୍ଦ୍ର ସରକାର ଟେଲିକମ୍ ସେବା ଯୋଗାଇ ଦେଉଥିବା ବେଳେ ଲୋକଙ୍କ ଦାବିକୁ ଦୃଷ୍ଟିରେ ରଖି ଏକ ଘରୋଇ କମ୍ପାନୀ ସହ ଆଲୋଚନା କରିଛି ସ୍ଥାନୀୟ ପ୍ରଶାସନ ।

ବିଭିନ୍ନ ସଂସ୍ଥାର ତଥ୍ୟ ଅନୁସାରେ ରାଜ୍ୟରେ ସ୍ମାର୍ଟ ଫୋନ, ମୋବାଇଲ ଟାୱାର ଏବଂ ଇଂଟରନେଟ ଭିତିଭୁମିର ଅଭାବ ରହିଛି । ଏପଟେ କରୋନା କଟକଣା ଯୋଗୁଁ ପଂଚାୟତ ନିର୍ବାଚନରେ ରାଲି ଓ ସଭା ସମିତିକୁ ବାରଣ କରାଯାଇଛି । ପ୍ରାର୍ଥୀଙ୍କ ସମେତ ୫ଜଣଙ୍କୁ ନେଇ ଡୋର ଟୁ ଡୋର କ୍ୟାମ୍ପେନ କରିବାକୁ ଅନୁମତି ରହିଛି । ବାକି ପ୍ରଚାର ଡିଜିଟାଲ ମୋଡରେ କରିବାକୁ କୁହାଯାଉଥିବା ବେଳେ ନେଟୱର୍କ ସମସ୍ୟା ବଡ ବାଧକ ହୋଇପାରେ ।