କନକ ବ୍ୟୁରୋ: କରୋନା ଭାଇରସ୍ ପାଇଁ ଦେଶରେ ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ୍ ଲାଗୁ ହୋଇଛି । ଏହି ଚତୁର୍ଥ ପର୍ଯ୍ୟାୟ ଲକ୍ଡାଉନ୍ରେ ଅନେକ କିଛି ପରିବର୍ତ୍ତନ ଆସିଥିବା ବେଳେ କାର୍ଯ୍ୟକ୍ଷେତ୍ରକୁ ନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଏକ ନୂଆ ନିୟମାବଳୀ ଜାରି କରାଯାଇଛି । ଏହି ନିୟମାବଳୀ ମୁତାବକ, ଯଦି କୌଣସି କାର୍ଯ୍ୟକ୍ଷେତ୍ରରେ ବା କାର୍ଯ୍ୟାଳୟରେ ଜଣେ କିମ୍ବା ଦୁଇ ଜଣ କରୋନା ସଂକ୍ରମିତ ହୁଅନ୍ତି ତେବେ ପୂରା କାର୍ଯ୍ୟାଳୟକୁ ବନ୍ଦ କରିବାର କୌଣସି ଆବଶ୍ୟକତା ନାହିଁ ।
ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଯଦି କାର୍ଯ୍ୟ କ୍ଷେତ୍ରରେ କେହି କରୋନା ଆକ୍ରାନ୍ତ ମିଳନ୍ତି ତେବେ କାର୍ଯ୍ୟାଳୟକୁ ବିଶୋଧନ କରାଯିବ। ଯେପର୍ଯ୍ୟନ୍ତ କାର୍ଯ୍ୟାଳୟକୁ ବିଶୋଧନ କରା ନଯାଇଛି ଯେପର୍ଯ୍ୟନ୍ତ କର୍ମଚାରୀମାନେ ୱାର୍କ ଫ୍ରମ୍ ହୋମ୍(ଘରେ ରହି କାର୍ଯ୍ୟ) କରିବେ। ପୂରା କାର୍ଯ୍ୟାଳୟକୁ ବିଶୋଧନ କରାଗଲେ ଯାଇ କର୍ମଚାରୀଙ୍କୁ ପ୍ରବେଶ କରାଯିବ । କାର୍ଯ୍ୟକ୍ଷେତ୍ରରେ ଯଦି କେଉଁ କର୍ମଚାରୀଙ୍କ ଶରୀରରେ କରୋନା ଲକ୍ଷଣ ଦେଖିବାକୁ ମିଳୁଛି ତେବେ ତୁରନ୍ତ ହେଲ୍ପଲାଇନ୍ ନମ୍ବର ୧୦୭୫ରେ କଲ୍ କରିବାକୁ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।
ଗୃହ ମନ୍ତ୍ରାଳୟ କର୍ମଚାରୀମାନଙ୍କୁ ୧ ମିଟର୍ର ଶାରୀରିକ ଦୂରତ୍ବ ବଜାୟ ରଖିବାକୁ କହିଛନ୍ତି। ଫେସ୍ମାସ୍କ ପିନ୍ଧିବା, ୪୦ରୁ ୬୦ ସେକେଣ୍ଡ୍ ଯାଏଁ ହ୍ୟାଣ୍ଡ୍ୱାାସ୍ କରିବା, ଆଲ୍କହଲ ବେସଡ୍ ହ୍ୟାଣ୍ଡ୍ ସାନିଟାଇଜର୍ ବ୍ୟବହାର କରିବାକୁ ମଧ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଏହା ବ୍ୟତୀତ ଯେଉଁ କର୍ମଚାରୀମାନେ କଣ୍ଟେନମେଣ୍ଟ୍ ଜୋନ୍ର ସେମାନଙ୍କୁ ମନ୍ତ୍ରାଳୟ ୱାର୍କ ଫ୍ରମ୍ ହୋମ୍ କରିବାକୁ ନିର୍ଦ୍ଦେଶ ଦେଇଥିବା ଜାଣିବାକୁ ମିଳିଛି । କୌଣସି କାର୍ଯ୍ୟକ୍ଷେତ୍ରରେ ବା କାର୍ଯ୍ୟାଳୟରେ ଜଣେ କିମ୍ବା ଦୁଇ ଜଣ କରୋନା ସଂକ୍ରମିତ ହୁଅନ୍ତି ତେବେ ପୂରା କାର୍ଯ୍ୟାଳୟକୁ ବନ୍ଦ କରିବାର କୌଣସି ଆବଶ୍ୟକତା ନାହିଁ ।