ଆଜି ରାତିରୁ ଟ୍ୱିନ୍ ସିଟିରେ ପଡିବ ତାଲା । ଲକଡାଉନ ସମୟରେ ସହର ବାହାରକୁ ଯିବା-ଆସିବା ମନା । ବିନା କାରଣରେ ବାଇକ୍ ଧରି ବାହାରକୁ ବାହାରିବା ଉପରେ ଲାଗିଲା କଟକଣା । ନିୟମ ବେଖାତିର କଲେ ଦୃଢ କାର୍ଯ୍ୟାନୁଷ୍ଠାନ

1,076

କନକ ବ୍ୟୁରୋ: ଆଜି ରାତିରୁ ଲେଉଟିବ ଲକଡାଉନ । ଠିକ୍ ରାତି ୯ଟାରୁ ୪ ଜିଲ୍ଲାରେ ତାଲା ଝୁଲିବ । ତେବେ ଲକଡାଉନ ପୂର୍ବରୁ ଟ୍ୱିନ ସିଟି ପାଇଁ ସତର୍କ ଘଣ୍ଟି ବଜାଇଛନ୍ତି ସିପି । ପ୍ରେସମିଟ କରି ନିୟମ ଓ ଲକଡାଉନ ଗାଇଡଲାଇନ୍ ବାବଦରେ ଜଣାଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ଆଜିଠୁ ୩୧ ଜୁଲାଇ ଯାଏଁ ଲକଡାଉନ ଜାରି ରହିବାକୁ ଥିବା ବେଳେ ଏଥର ଲକଡାଉନ ପୂର୍ବପରି ଟିକେ କଡାକଡି ହେବ ବୋଲି ସ୍ପଷ୍ଟ କରିଛନ୍ତି ସିପି ।

ତେବେ ବଡ କଥା ହେଉଛି ଲକଡାଉନ ସମୟରେ ସହର ବାହାର ମନା । ଅଯଥାରେ କେହି ସହର ବାହାରକୁ ଯାଇ ପାରିବେନି କି ସହର ଭିତରକୁ ପ୍ରବେଶ କରିପାରିବେନି । କଟକ-ଭୁବନେଶ୍ୱରରେ ଏହି ନିୟମ ଲାଗୁ । ଟ୍ୱିନ ସିଟିର କୌଣସି ଲୋକ ନିଜ ସହର ଛାଡି ଅନ୍ୟ ସହରକୁ ଯାଆସ କରିପାରିବେନି । ଅର୍ଥାତ କଟକ ଲୋକ ଭୁବନେଶ୍ୱର ଯାଇପାରିବେନି କି ଭୁବନେଶ୍ୱର ଲୋକ କଟକ ଯାଇପାରିବେନି । ଅତି ଜରୁରୀ ଥିଲେ ପାସ୍ ନେଇ ଯାଆସ କରିହେବ ବୋଲି ସିପି ସ୍ପଷ୍ଟ କରିଛନ୍ତି ।

ସେପଟେ ଲକଡାଉନ ବେଳେ ପାଖ ଦୋକାନରୁ ଜିନିଷ କିଣାକିଣି କରିବାକୁ ପରାମର୍ଶ ଦେଇଛନ୍ତି ସିପି । ପାଖ ଦୋକାନକୁ ଚାଲିଚାଲି ଯାଇ ସାମଗ୍ରୀ କିଣନ୍ତୁ । ବାଇକରେ ଜମା ବାହାରନ୍ତୁ ନାହିଁ । ବାଇକରେ ଯାଇ ମାର୍କେଟରୁ କିଣାକିଣି କଲେ ବାଇକ୍ ଜବତ ହେବ । ବିନା କାମରେ ବାଇକ୍ ଧରି ବାହାରକୁ ବାହାରିବା ମନା । ନିୟମକୁ ବେଖାତିର କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଛନ୍ତି ପୋଲିସ କମିଶନର ।

ସେପଟେ ଶନି-ରବି ସଟଡାଉନ ଉଠିଲା ଟ୍ୱିନସିଟିରେ ସୋମରୁ ରବି ପୂରା ଲକଡାଉନ୍ । କେବଳ ଅତ୍ୟାବ୍ୟଶକୀୟ ସାମଗ୍ରୀ ଦୋକାନ ଖୋଲା ରହିବ । ସକାଳ ୬ରୁ ଦିନ ୧ଟା ଯାଏଁ ଖୋଲା ଗ୍ରୋସରୀ, ପନିପରିବା ଦୋକାନ । ସଟଡାଉନ୍ ସମୟରେ ଔଷଧ ଦୋକାନ ଖୋଲା ରହିବ । ଜରୁରୀକାଳୀନ ସେବାରେ କିଛି କଟକଣା ନାହିଁ । ବ୍ୟାଙ୍କ ଖୋଲିବ, କିନ୍ତୁ ମାତ୍ର ୨୫% କର୍ମଚାରୀରେ ଚାଲିବ ।

ଆଇକାର୍ଡ ଦେଖାଇଲେ ପୋଲିସ୍ ଛାଡ଼ିବ । ଜରୁରୀ ସେବାରେ ବାହାରକୁ ବାହାରୁଥିଲେ ଆଇକାର୍ଡ ସାଙ୍ଗରେ ଧରି ଆସନ୍ତୁ । ପାସର ଅପବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ଗଣମାଧ୍ୟ ପାଇଁ ପାସ୍ ବ୍ୟବସ୍ଥା ନାହିଁ । କିନ୍ତୁ ଯଦି କେହି ଗଣମାଧ୍ୟମ ନାଁରେ ନିୟମ ଭାଙ୍ଗିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପ୍ରେସମିଟ କରି ସୂଚନା ଦେଇଛନ୍ତି ସିପି ।