ଏବେ ଖୋଲିବନି ସ୍କୁଲ, କଲେଜ ! କେବେ ଖୋଲିବ, ନିଷ୍ପତ୍ତି ନେବେ ସରକାର

1,487

କନକ ବ୍ୟୁରୋ : ନୂଆବର୍ଷରୁ ସ୍କୁଲ, କଲେଜ ଖୋଲିବା ନେଇ ଚିନ୍ତା କରାଯାଉଛି ବୋଲି ଗଣଶିକ୍ଷା ମନ୍ତ୍ରୀ ଓ ଉଚ୍ଚଶିକ୍ଷା ସଚିବ କହିଥିବା ବେଳେ ଏହାକୁ ନାପସନ୍ଦ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ କହିଛନ୍ତି, ସମସ୍ତ ଦିଗରୁ ବିଚାର କରି ରାଜ୍ୟ ସରକାର ଏ ନେଇ ଉପଯୁକ୍ତ ନିଷ୍ପତି ନେବେ । କୋଭିଡ୍ ମୁକାବିଲାର ସମୀକ୍ଷା କରୁଥିବା ବେଳେ ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ।

କରୋନା ପାଇଁ ପ୍ରାୟ ୯ ମାସ ଧରି ବନ୍ଦ ଥିବା ସ୍କୁଲ ନୂଆ ବର୍ଷରୁ ଖୋଲିବା ନେଇ ଚିନ୍ତା କରାଯାଉଛି ବୋଲି ଗତକାଲି କହିଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ସେ କହିଥିଲେ, ଦଶମ ଓ ଦ୍ୱାଦଶ ଶ୍ରେଣୀ ପ୍ରଥମେ ଖୋଲିବାକୁ ପ୍ରାଥମିକତା ଦିଆଯିବ । ସେହିପରି ନୂଆବର୍ଷରୁ କଲେଜ ଖୋଲିବା ନେଇ ନିଷ୍ପତି ନିଆଯାଇପାରେ ବୋଲି ଉଚ୍ଚ ଶିକ୍ଷା ସଚିବ ଶାଶ୍ୱତ ମିଶ୍ର ସୂଚନା ଦେଇଥିଲେ । ଗଣଶିକ୍ଷା ମନ୍ତ୍ରୀ ଓ ଉଚ୍ଚଶିକ୍ଷା ସଚିବଙ୍କ ଏପରି ମନ୍ତବ୍ୟରେ ଖପ୍ପା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ଗତ ସଂଧ୍ୟାରେ ଭିଡିଓ କନଫରେନ୍ସିଂ ଜରିଆରେ କୋଭିଡ୍ ମୁକାବିଲାର ସମୀକ୍ଷା କରିଥିଲେ ମୁଖ୍ୟମନ୍ତ୍ରୀ ।

ରାଜ୍ୟର କୋଭିଡି ମୁକାବିଲାରେ ସନ୍ତୋଷ ପ୍ରକାଶ କରିବା ସହ ନବୀନ କହିଛନ୍ତି, ପୂଜା ସମୟରେ ସଂକ୍ରମଣ ବଢ଼ିବା ନେଇ ଯେଉଁ ଆଶଙ୍କା ଥିଲା, ତାହା ଦୂର ହୋଇଛି । ସେହିପରି ଶୀତ ଋତୁ ନେଇ ଯେଉଁ ଆଶଙ୍କା ଥିଲା, ତାହା ଦୂର ହେବ ବୋଲି ସେ ଆଶାପ୍ରକାଶ କରିଛନ୍ତି । ଟିକାକରଣ ନେଇ ରାଜ୍ୟର ପ୍ରସ୍ତୁତି ସଂପର୍କରେ ମଧ୍ୟ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଜିଲ୍ଲାପାଳ ଓ ବ୍ୟାଙ୍କ କର୍ତୃପକ୍ଷଙ୍କ ସହ ସମୀକ୍ଷା ବେଳେ ଜୀବିକା ଓ ଅର୍ଥନୈତିକ ଆହ୍ୱାନର ମୁକାବିଲା ଉପରେ ଜୋର ଦେଇଛନ୍ତି ନବୀନ ।