ପାର୍କିଂ ନାଁରେ ଗ୍ରାହକଙ୍କୁ ଲୁଟି ପାରିବେନି ସପିଂ ମଲ୍! ଜାଣନ୍ତୁ ଭୁବନେଶ୍ବରରେ କେବେ ଲାଗୁ ହେବ ଏହି ନିୟମ?

Advertisment
ପାର୍କିଂ ନାଁରେ ଗ୍ରାହକଙ୍କୁ ଲୁଟି ପାରିବେନି ସପିଂ ମଲ୍! ଜାଣନ୍ତୁ ଭୁବନେଶ୍ବରରେ କେବେ ଲାଗୁ ହେବ ଏହି ନିୟମ?

କନକ ବ୍ୟୁରୋ:  ସପିଂ ମଲ୍, ସିନେମା ହଲ୍ ଆଦିରେ ଗ୍ରାହକଙ୍କଠାରୁ ପାର୍କିଂ ପାଇଁ ଫି’ ଆଦାୟ କରାଯାଇପାରିବନି। ଗାଡ଼ି ପାର୍କିଂ ପାଇଁ ମଲ୍, ସିନେମା ହଲ୍, ବ୍ୟବସାୟିକ ପ୍ରତିଷ୍ଠାନଗୁଡ଼ିକ ଆବଶ୍ୟକୀୟ ବ୍ୟବସ୍ଥା କରିବା ବାଧ୍ୟତାମୂଳକ ବୋଲି ଗୁଜୁରାଟ ହାଇକୋର୍ଟ ରାୟ ଦେଇଛନ୍ତି। ଏହାପରେ ଅହମ୍ମଦାବାଦରେ ବିଭିନ୍ନ ସପିଂ ମଲ୍, ମଲ୍ଟିପ୍ଲେକ୍ସରେ ପାର୍କିଂ ମାଗଣା ହୋଇଛି। ହେଲେ ଭୁବନେଶ୍ବରରେ ଏହା ଲାଗୁ ହୋଇପାରୁନି।

ସପିଂ ମଲ୍, ସିନେମା ହଲରେ ପାର୍କିଂ ଫି’ ଆଦାୟ ହେଉଥିବାରୁ ଲୋକମାନେ ବେଆଇନ ଭାବେ ରାସ୍ତାରେ ଗାଡ଼ି ପାର୍କିଂ କରୁଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି। ଏହାକୁ ନଜରରେ ରଖି ଅହମ୍ମଦାବାଦ କମିସନରେଟ୍ ପୁଲିସ ପକ୍ଷରୁ ସମସ୍ତ ସପିଂ ମଲ୍, ମଲ୍ଟିପ୍ଲେକ୍ସରେ ପାର୍କିଂ ଫି’ ଆଦାୟ ବେଆଇନ ଘୋଷଣା କରାଯାଇଥିଲା। କିନ୍ତୁ ବିଭିନ୍ନ ମଲ୍ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଏହାପରେ ହାଇକୋର୍ଟଙ୍କ ଏକ ବେଞ୍ଚ ମାମଲାର ଶୁଣାଣି କରି ପୁଲିସ ସପକ୍ଷରେ ରାୟ ଦେଇଛନ୍ତି। ବ୍ୟବସାୟିକ ପ୍ରତିଷ୍ଠାନ ବ୍ୟବସାୟ କରୁଥିବାରୁ ସେମାନେ ଗ୍ରାହକଙ୍କୁ ସେବା ଯୋଗାଉଛନ୍ତି। ତେଣୁ ପାର୍କିଂ ଫି’ ଆଦାୟ କରିପାରିବେନି ବୋଲି କୋର୍ଟ ରାୟ ଦେଇଛନ୍ତି।

କେବଳ ଅହମ୍ମଦାବାଦ ନୁହେଁ, ଦେଶର ସବୁ ସହରରେ ଏହି ସମସ୍ୟା। ଭୁବନେଶ୍ବରରେ ତ ଏହି ସମସ୍ୟା ଜଟିଳ ରୂପ ଧାରଣ କରିଛି। କେତେକ ସପିଂ ମଲ୍ ଚଢ଼ା ଦରରେ ପାର୍କିଂ ଫି’ ଆଦାୟ କରୁଥିବା ବେଳେ କେତେକ ପାର୍କିଂ ଅଞ୍ଚଳକୁ ଗୋଦାମରେ ପରିଣତ କରିଦେଇଛନ୍ତି। ଆଉ କିଛି ସ୍ଥାନରେ ପାର୍କିଂ ଅଞ୍ଚଳକୁ ଦୋକାନ ପାଇଁ ଭଡ଼ା ଦିଆଯାଇଛି। ଫଳରେ ଲୋକମାନେ ରାସ୍ତାରେ ଗାଡ଼ି ପାର୍କିଂ କରୁଛନ୍ତି। ହେଲେ ଏଠାରେ ନା କମିସନରେଟ୍ ପୁଲିସ ନା ବିଡିଏ ଓ ବିଏମ୍ସି କର୍ତ୍ତୃପକ୍ଷ କିଛି ପଦକ୍ଷେପ ନେଉଛନ୍ତି। ସପିଂ ମଲ୍, ମଲ୍ଟିପ୍ଲେକ୍ସ କର୍ତ୍ତୃପକ୍ଷଙ୍କ ସହ ପୁଲିସର ଭିତିରିଆ ସମ୍ପର୍କ ଥିବାରୁ ପୁଲିସ ବି ଏହି ବେଆଇନ ପାର୍କିଂ ଫି’କୁ ପ୍ରଶ୍ରୟ ଦେଉଛି। କେବଳ ଏତିକି ନୁହେଁ, ରାସ୍ତାରେ ଯେଉଁ ଅସମ୍ଭାଳ ଭିଡ଼ ପରିସ୍ଥିତି ସୃଷ୍ଟି ହେଉଛି, ତାକୁ ବି ନିୟନ୍ତ୍ରଣ କରିବାରେ ଫେଲ୍ ମାରିଛି।

ଏନେଇ ପୁଲିସ କମିସନର୍ ସତ୍ୟଜିତ ମହାନ୍ତି କହିଛନ୍ତି, ଗୁଜୁରାଟ ହାଇକୋର୍ଟ ସପିଂ ମଲ୍, ମଲ୍ଟିପ୍ଲେକ୍ସରେ ହେଉଥିବା ବେଆଇନ ପାର୍କିଂ ଫି’ ଆଦାୟ ନେଇ କ’ଣ ରାୟ ଦେଇଛନ୍ତି, ମୁଁ ପଢ଼ିନି। କିନ୍ତୁ ଯଦି ବିଡିଏ, ବିଏମ୍ସିର ଏନେଇ କିଛି ନିୟମ ଥିବ ବା ପୁଲିସ କିଛି କାର୍ଯ୍ୟାନୁଷ୍ଠାନ କରିବାର ନିୟମ ଥିବ, ସେନେଇ ଆମେ ଆଲୋଚନା କରି ପଦକ୍ଷେପ ନେବୁ।

ବିଡିଏର ନିୟମ ଅନୁଯାୟୀ, ରାଜଧାନୀରେ ସପିଂ ମଲ୍ ନିର୍ମାଣ ସମୟରେ ବିଡିଏରେ ଯେତେବେଳେ ପ୍ଲାନ୍ ପାଇଁ ସଂସ୍ଥା/ ବ୍ୟକ୍ତିଙ୍କ ପକ୍ଷରୁ ଆବେଦନ କରାଯାଉଛି, ସେଥିରେ ପାର୍କିଂ ପାଇଁ ମୋଟ୍ ନିର୍ମାଣର ୫୦% ଜାଗା ଛାଡ଼ିବାକୁ କୁହାଯାଉଛି। ବ୍ୟବସାୟିକ ପ୍ରତିଷ୍ଠାନକୁ ସାଧାରଣ ଲୋକ ଆସିବାକୁ ଥିବାରୁ ସେମାନଙ୍କୁ ସେବା ଯୋଗାଇବା ପାଇଁ ଏବଂ ଅଗ୍ନିଶମ ସୁରକ୍ଷା ବ୍ୟବସ୍ଥା ଦୃଷ୍ଟିରୁ ଏହାକୁ କରାଯାଇଛି। ତେଣୁ ବିଡିଏ ଉକ୍ତ କୋଠା ନିର୍ମାଣର ଫ୍ଲୋର୍ ଏରିଆ ରେସିଓ (ଏଫ୍ଏଆର୍) ପାଇଁ ଯେଉଁ ଦେୟ ନିଏ, ସେଥିରେ ପାର୍କିଂ ପାଇଁ ନିର୍ମାଣ ହୋଇଥିବା ଅଞ୍ଚଳର ଏଫ୍ଏଆର୍ ବାବଦକୁ ଫି’ ନିଏ ନାହିଁ। ଏପରିକି ଏହା ଅତିରିକ୍ତ ଏଫ୍ଏଆର୍ ହିସାବରେ ଗଣତି ହୁଏ। ବିଡିଏ ସାଧାରଣ ଲୋକଙ୍କ ସୁବିଧା ପାଇଁ ରାସ୍ତାରେ ବେଆଇନ ପାର୍କିଂ ନହେବା ପାଇଁ ସପିଂ ମଲ୍ଗୁଡ଼ିକୁ ଲକ୍ଷଲକ୍ଷ ଟଙ୍କା ରାଜସ୍ବ ଛାଡ଼ କରୁଥିବା ବେଳେ ଅଧିକ ନିର୍ମାଣ କରିବାକୁ ନିୟମ କରିଛି। କିନ୍ତୁ ସପିଂ ମଲ୍ କର୍ତ୍ତୃପକ୍ଷ ବିଡିଏକୁ ଠକିବା ସହ ଲୋକଙ୍କୁ ବି ଲୁଟୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe