ଲୋନ ମୋରାଟୋରିୟମ୍ କୁ ନେଇ ସୁପ୍ରିମକୋର୍ଟଙ୍କ ବଡ ଫଇସଲା । ଆଉ ବଢିବ ନାହିଁ ଲୋନ ମୋରାଟୋରିୟମ ଅବଧି

185

କନକ ବ୍ୟୁରୋ : କିଛିଦିନର ବ୍ୟବଧାନ ପରେ ସୁପ୍ରିମକୋର୍ଟ ଲୋନ ମୋରାଟୋରିୟମକୁ ନେଇ ରାୟ ପ୍ରକାଶ କରିଛନ୍ତି । ଏହି ରାୟରେ ସମସ୍ତ ପ୍ରକାର ରିହାତି ଛାଡ ନକରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ରାୟ ଆସିବା ପରେ ବ୍ୟାଙ୍କଗୁଡିକୁ ଆଶ୍ୱସ୍ତି ମିଳିଛି । ଅନ୍ୟପଟେ ପୁରା ରିହାତି ଛାଡ କରିବାକୁ କୋର୍ଟରେ ଆବେଦନ କରିଥିବା ବଡ ବଡ ଶିଳ୍ପପତି ଓ ରିଅଲ ଇଷ୍ଟେଟ୍ କମ୍ପାନୀଗୁଡିକୁ ଶକ୍ତ ଧକ୍କା ଲାଗିଛି । ଏହି ମାମଲାର ଶୁଣାଣି କରି ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ଆର. ଭୂଷଣ ରେଡ୍ଡୀ ଓ ଜଷ୍ଟିସ ଏମ,ଆର ଶାହା ଏଭଳି ନିର୍ଦ୍ଦେଶ ଦେଇଛନ୍ତି ।

ଏହି ନିର୍ଦ୍ଦେଶ ଦେବା ବେଳେ ଖଣ୍ଡପୀଠ କହିଛନ୍ତି କି କରୋନା ମହାମାରୀ ବେଳେ କେବଳ କମ୍ପାନୀ ମାନେ ନୁହନ୍ତି ସରକାର ବି ଅନେକ କ୍ଷତି ସହିଛନ୍ତି । ଏହାସହ ଅର୍ଥନୈତୀକ ପଲିସି ମାମଲାରେ କୋର୍ଟ କୌଣସି ହସ୍ତକ୍ଷେପ କରିବେ ନାହିଁ । ସରକାର ଓ ଆରବିଆଇ ଉପରେ ଚାପ ପକାଇବାରେ କୋର୍ଟର କୌଣସି ଅଧିକାର ନଥିବା କଥା କୁହାଯାଇଛି । ଅନ୍ୟପଟେ ଏହି ମାମଲାରେ ସରକାରଙ୍କ ତରଫରୁ କୋର୍ଟରେ ଏକ ଉଲ୍ଲେଖନାମା ଦିଆଯାଇଛି । ଯେଉଁଥିରେ କୁହାଯାଇଛି କି ସରକାର ମହାମାରୀ ବେଳେ ବିଭିନ୍ନ ସେକ୍ଟରରେ ପର୍ଯ୍ୟପ୍ତ ପରିମାଣର ରିହାତି ଦେଇଛନ୍ତି । ଆଉ ଅଧିକ ରିହାତି ଦେବା ସମ୍ଭବ ନୁହେଁ । କେନ୍ଦ୍ର ପକ୍ଷରୁ ଆହୁରି କୁହାଯାଇଛି ମଧ୍ୟମ ସେକ୍ଟରରେ ରିହାତି ପାଇଁ କୌଣସି ନିର୍ଦ୍ଦେଶନାମା ନାହିଁ ।

କହିରଖୁ କି ଗତବର୍ଷ ଆରବିଆଇ ଋଣ ପ୍ରଦାନକାରୀ ସଂସ୍ଥା ମାନଙ୍କୁ ମୋରିଟୋରିୟମ ନେଇ ସୂଚନା ଦେଇଥିଲେ । ଯାହାର ଅବଧି ଅଗଷ୍ଟ ୩୧ ଯାଏ ବୃଦ୍ଧି କରାଯାଇଥିଲା । ଏହାଦ୍ୱାରା ଲୋକ ମାନେ ମୋରାଟୋରିୟମ ଯୋଜନାରେ ଅନେକ ଲାଭ ଉଠାଇଛନ୍ତି । ହେଲେ ବାକିଥିବା ରାଶି ଉପରେ ବ୍ୟାଙ୍କ ଡବଲ ସୁଧ ମାଗୁଥିବା ନେଇ ପୁଣି ଅଭିଯୋଗ ହୋଇଥିଲା । ଏହି ମାମଲା କୋର୍ଟରେ ପହଂଚିବା ପରେ କୋର୍ଟ କେନ୍ଦ୍ର ସରକାରଙ୍କୁ ଜବାବ୍ ତଲବ ମଧ୍ୟ କରିଥିଲେ । ଜବାବରେ କେନ୍ଦ୍ର ସରକାର କହିଥିଲେ କି ୨ କୋଟି ଋଚ୍ଚର ବାକି ସୁଧ ଉପରେ ସୁଧ ଲାଗୁ ହେବନି । ସରକାରଙ୍କ ପ୍ରସ୍ତାବରେ ଥିବା ୨ କୋଟି ମଧ୍ୟରେ ଏମଏସଏମଇ ଲୋନ, ଶିକ୍ଷା ଲୋନ, କ୍ରେଡିଟ୍ କାର୍ଡ ବକେୟା, ବିଭିନ୍ନ ପ୍ରକାରର ଗାଡି ଲୋନ , ହୋମ୍ ଲୋନ ସହ ବ୍ୟକ୍ତିଗତ ଲୋନ ବି ସାମିଲ ରହିଛି । ଏସବୁର ସୁଧ ଖର୍ଚ୍ଚ ବାବଦରେ ପାଖା ପାଖି ୭ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି ବୋଲି କୁହାଯାଇଛି ।