ଏଟିଏମରୁ ବାହାରୁନି ଟଙ୍କା, ଲୋକେ ହିନସ୍ତା! ଅର୍ଥମନ୍ତ୍ରୀ କହିଲେ, ଟଙ୍କାର ଅଭାବ ନାହିଁ

31

କନକ ବ୍ୟୁରୋ : ପୁଣି ବିମୁଦ୍ରାକରଣର କଥା ମନେପକାଇଦେଲା ଏଟିଏମ୍ । ଏବେ ସାରା ଦେଶରେ ଏହି ଅବସ୍ଥା । ଏଟିଏମରେ ଟଙ୍କା ନାହିଁ  । ଓଡିଶାରେ ମଧ୍ୟ ଏଟିଏମରୁ ଟଙ୍କା ଉଠାଇବା ପାଇଁ ହଟହଟା ହେବାକୁ ପଡୁଛି । ତେବେ ବିହାର, ମହାରାଷ୍ଟ୍ର, ଗୁଜରାଟ, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଭଳି ରାଜ୍ୟରେ ଏହି ସମସ୍ୟା ଉକ୍ରଟ ରୂପ ନେଇଛି । ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି, ଏହା ଏକ ସାମୟିକ ସମସ୍ୟା , ଖୁବଶୀଘ୍ର ଏହାର ସମାଧାନ ହୋଇଯିବ ।

ଆପଣ ଯଦି ଟଙ୍କା ଉଠାଇବା ପାଇଁ ଏଟିଏମ୍ କାଉଂଟର ଯାଉଛନ୍ତି, ତାହେଲେ ଆପଣଙ୍କୁ ନିରାଶ ହେବାକୁ ପଡ଼ିପାରେ । ଏମିତିକି ଟଙ୍କା ପାଇଁ ଆପଣଙ୍କୁ ଏକାଧିକ ଏଟିଏମ୍ ବି ବୁଲିବାକୁ ପଡ଼ିପାରେ । କାରଣ ଭୁବନେଶ୍ୱର ଅଧିକାଂଶ ଏଟିଏମରେ ଟଙ୍କା ନାହିଁ । କେଉଁଠି ଏଟିଏମ୍ କାମ କରୁନି, ତ ଆଉ କେଉଁଠି ଟଙ୍କା ନାହିଁ । ଦୁଇ ଦିନ ହେଲା ରାଜଧାନୀରେ ଏହି ଅବସ୍ଥା ।
ଏକାଧିକ ବ୍ୟାଙ୍କର ଏକାଧିକ ଏଟିଏମ୍ । ଆଜି ଦିନତମାମ୍ ରାଜଧାନୀର ବିଭିନ୍ନ ଏଟିଏମ୍ କାଉଂଟର ବୁଲି ସ୍ଥିତି ପରଖିଥିଲା କନକ ନ୍ୟୁଜ୍ ଟିମ୍ । ଆଉ ପ୍ରାୟ ସବୁ ଏଟିଏମରେ ଏକା ସ୍ଥିତି । ଯାହା ବିମୁଦ୍ରାକରଣର ସମୟ କଥାକୁ ମନେ ପକାଇ ଦେଉଥିଲା ।ହେଲେ ଓଡ଼ିଶାଠାରୁ ଆହୁରି ଉକ୍ରଟ ସ୍ଥିତି ଦେଖିବାକୁ ମିଳିଛି ଦେଶର ବିଭିନ୍ନ ପ୍ରାନ୍ତରେ । ବିଶେଷ କରି ବିହାର, ଗୁଜୁରାଟ, ମହାରାଷ୍ଟ୍ର, ଜମ୍ମୁ-କାଶ୍ମର ଏବଂ ଆନ୍ଧ୍ର ପ୍ରଦେଶରେ ସପ୍ତାହ ସପ୍ତାହ ଧରି ଏଟିଏମ୍ ଗୁଡ଼ିକରେ ଟଙ୍କା ନଥିବା ଲୋକ ଅଭିଯୋଗ କରିଛନ୍ତି ।

ଏପଟେ କିନ୍ତୁ ଟଙ୍କାର କୌଣସି ସଂକଟ ନଥିବା ଟ୍ୱିଟ୍ ଜରିଆରେ ସୂଚନା ଦେଇଛନ୍ତି-ଅର୍ଥମନ୍ତ୍ରୀ ଅରୁଣ ଜେଟଲି । ଅବଶ୍ୟକତାଠାରୁ ଅଧିକ ଟଙ୍କା ଉଠାଣ ଯୋଗୁଁ ଏହି ସ୍ଥିତି ଉପୁଜିଥିବା ସେ ସୂଚନା ଦେଇଛନ୍ତି । ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ କୁହାଯାଇଛି- ମାର୍ଚ୍ଚ ଏପ୍ରିଲ ମାସରେ ଏଭଳି ସଂକଟ ଦେଖା ଦେଇଥାଏ । ଗତବର୍ଷରେ ବି ସମାନ ପରିସ୍ଥିତି ସୃଷ୍ଟି ହୋଇଥିଲା । ରାଜ୍ୟ ରାଜ୍ୟ ମଧ୍ୟରେ ଟଙ୍କା ବିତରଣରେ ସମସ୍ୟା ଯୋଗୁଁ ସାମୟିକ ଭାବରେ ଏହି ସ୍ଥିତି ଉପୁଜିଛି । ବ୍ୟାଙ୍କ ଗୁଡ଼ିକରେ ଟଙ୍କାର କୌଣସି ସମସ୍ୟା ନାହିଁ, ଦିନେ ଦୁଇ ଦିନ ମଧ୍ୟରେ ଏହି ସଂକଟ ଟଳିଯିବ ।

ଆଉ ଏପଟେ ଏଟିଏମରୁ ଟଙ୍କା ନଉଠିବା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ । ଏନଡିଏ ଶାସନରେ ବ୍ୟାଙ୍କ ବ୍ୟବସ୍ଥା ସଂପୂର୍ଣ୍ଣ ଭୁଷୁଡି ପଡ଼ିଥିବା ଅଭିଯୋଗ କରିଛନ୍ତି ରାହୁଲ ଗାନ୍ଧୀ । ବିମୁଦ୍ରାକରଣ ପରେ ଯେଉଁ ସ୍ଥିତି ସୃଷ୍ଟି ହୋଇଥିଲା, ଉଣା ଅଧିକେ ସେହି ଭଳି ସ୍ଥିତି ସୃଷ୍ଟି ହୋଇଛି । ଆଉ ଏଭଳି ସ୍ଥିିତିର ମୁକାବିଲା ପାଇଁ ୫ଶହ ଟଙ୍କା ନୋଟ୍ ୫ଗୁଣା ଅଧିକ ଛାପିବାକୁ ନିଷ୍ପତି ନେଇଛନ୍ତି ସରକାର ।