ମୋବାଇଲ ଟାୱାର ନାହିଁ ତ ଭୋଟ୍ ନାହିଁ । ଗାଁକୁ ନେଟୱର୍କ ଦାବିରେ ଭୋଟ୍ ବର୍ଜନ କଲେ ୫ଟି ପଞ୍ଚାୟତ

117

କନକ ବ୍ୟୁରୋ: ମୋବାଇଲ ଟାୱାର ନାହିଁ ତ ଭୋଟ୍ ନାହିଁ । ଗାଁକୁ ମୋବାଇଲ ନେଟୱର୍କ ଦାବିରେ ଭୋଟ ବର୍ଜନ କରିଛନ୍ତି ଦେଇଜ୍ଞଙ୍ଗ ଜିଲ୍ଲା ତିଲେଇବଣି ବ୍ଲକର ୫ଟି ପଞ୍ଚାୟତ । ଡିମିରିକୁଦା, ଗଣ୍ଡମ, ଝରାଗୋଗୁଆ, ପାରପୋଷି ଏବଂ ଝାରମୁଣ୍ଡା ଗାଁ ଲୋକ ଏଥର ପଞ୍ଚାୟତ ନିର୍ବାଚନରେ ଭୋଟେ ଦେବେନାହିଁ ବୋଲି ନିଷ୍ପତ୍ତି କରିଛନ୍ତି । ଫଳରେ ନାମାଙ୍କନ ଦାଖଲର ଶେଷ ଦିନରେ ମଧ୍ୟ କୌଣସି ପ୍ରାର୍ଥୀ ମାନାଙ୍କନ ପତ୍ର ଦାଖଲ କରିନାହାନ୍ତି । ଏପରିକି କୌଣସି ଆଶାୟୀ ଯେଭଳି ପ୍ରାର୍ଥିପତ୍ର ଦାଖଲ କରିନପାରିବେ, ସେଥିପାଇଁ ଗତ ୧୭ ତାରିଖରୁ ପଞ୍ଚାୟତବାସୀ ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଧାରଣରେ ବସିଥିଲେ । ତେବେ କେବଳ ଜିଲ୍ଲା ପରିଷଦ ପାଇଁ ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ନାମାଙ୍କନ କରିଥିବା ଜଣାପଡିଛି ।

କେନ୍ଦ୍ର ସରକାର ଦେଶବ୍ୟାପୀ ଡିଜିଟାଲ ଇଣ୍ଡିଆର ନାରା ଦେଉଥିଲେ ମଧ୍ୟ ଏହି ପଞ୍ଚାୟତଗୁଡିକର ଲୋକେ ମୋବାଇଲ ସେବା ପାଇପାରୁ ନାହାନ୍ତି । ତେଣୁ ଯେପର୍ଯ୍ୟନ୍ତ ମୋବାଇଲ ଟାୱାର ବସା ନ ହୋଇଛି ସେପର୍ଯ୍ୟନ୍ତ ଏମାନେ ତ୍ରିସ୍ତରୀୟ ପଞ୍ଚାୟତରେ ଭାଗ ନେବେ ନାହିଁ ବୋଲି ନିଷ୍ପତି କରିଛନ୍ତି । ସମାନ ଢଙ୍ଗରେ ପଞ୍ଚାୟତରେ ମୋବାଇଲ ନେଟୱାର୍କ ଓ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ଦାବି କରି ଭୋଟ ବର୍ଜନ ନିଷ୍ପତ୍ତି କରିଛନ୍ତି କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ଆଡାସିପଡା ପଞ୍ଚାୟତବାସୀ । ମିଳିତ ଭାବେ ଆଡାସିପଡା ପଞ୍ଚାୟତବାସୀ ଗଡିଛନ୍ତି ଜନ ସଚେତନ ମଞ୍ଚ । ଦାବି ସଂପର୍କରେ ପୂର୍ବରୁ ବହୁବାର ସେମାନେ କନ୍ଧମାଳ ଜିଲ୍ଲାପାଳଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦ କ୍ଷେପ ନିଆଯାଇ ନାହିଁ । ତେଣୁ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ୧୭ରୁ ୨୧ ତାରିଖ ଯାଏଁ ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡମେମ୍ବର ପଦବୀ ପାଇଁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଚାଲିଥିବା ବେଳେ କେହି ପ୍ରାର୍ଥୀ ନାମାଙ୍କନ କରିନାହାନ୍ତି । ଏନେଇ କନ୍ଧମାଳ ଜିଲ୍ଲାପାଳଙ୍କ କହିବା ହେଲା, ଭୋଟ ବର୍ଜ ନେଇ ତାଙ୍କ ପାଖରେ ଖବର ନାହିଁ । କିନ୍ତୁ ଜିଲ୍ଲା ପରିଷଦ ସଦସ୍ୟ ପାଇଁ ସେହି ଜୋନରୁ ନାମାଙ୍କନ ପତ୍ର ଦାଖଲ ହୋଇଥିବା କହିଛନ୍ତି ଜିଲ୍ଲାପାଳ ।