କନକ ବ୍ୟୁରୋ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନୂଆ କରି ଦାୟିତ୍ୱ ନେବା ପରେ ଆକ୍ସନ ମୋଡରେ ଅରବିନ୍ଦ ପାଢୀ। ଦାୟିତ୍ୱ ମିଳିବା ପରେ ପ୍ରଥମେ ସେ ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଆଉ ଏହାସହ ଶୃଙ୍ଖଳିତ ନୀତିକାନ୍ତି ପାଇଁ ସେବାୟତଙ୍କୁ ଚେତାବନୀ ଦେଇଛନ୍ତି ଶ୍ରୀମନ୍ଦିର ନୂଆ ମୁଖ୍ୟ ପ୍ରଶାସକ।
- ଆକ୍ସନରେ ନୂଆ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ
- ରଥ ଉପରକୁ ମୋବାଇଲ ମନା
ରଥଯାତ୍ରା ସରିନି, କିନ୍ତୁ ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇ ଅରବିନ୍ଦ ପାଢୀଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ନିଯୁକ୍ତି ଦେବା ଚର୍ଚ୍ଚାର ବିଷୟ ହୋଇଛି । ତେବେ ଏତେ ବଡ ଦାୟିତ୍ୱ ପାଇବା ପରେ ଅରବିନ୍ଦ ପାଢୀ ଆଡପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇ ଆକ୍ସନ ମୋଡକୁ ଆସିଛନ୍ତି । ଆଉ ଗଣମାଧ୍ୟମକୁ ବଡ ବୟାନ ବି ଦେଇଛନ୍ତି ।
ସେ କହିଛନ୍ତି, ରଥ ଉପରକୁ ମୋବାଇଲ ନେଲେ କାର୍ଯ୍ୟାନୁଷ୍ଠାନ ହେବ । ରଥ ଉପରେ ଫଟୋ ଓ ସେଲ୍ଫି ନେବା ଉପରେ କଟକଣା ଲାଗିବ । ଅଣ ସେବାୟତ ରଥ ଉପରକୁ ଯାଇପାରିବେ ନାହିଁ । କୌଣସି ପରିସ୍ଥିତିରେ ବିଶୃଙ୍ଖଳା ଆଚରଣକୁ ବରଦାସ୍ତ କରାଯିବ ନାହିଁ । ସେବାୟତ ମହାପ୍ରଭୁଙ୍କ ଆଗରେ ରହିବେ ନାହିଁ । ସବୁ ନିଯୋଗ ସହ ଆଲୋଚନା ହୋଇ ସମନ୍ୱୟ ରକ୍ଷା କରାଯିବ । ରତ୍ନଭଣ୍ଡାର ଖୋଲିବାବେଳେ ରାଜ୍ୟ ସରକାରଙ୍କ ଏସଓପିକୁ ପାଳନ କରାଯିବ ।
ତେବେ ନୂଆ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ପାଇଁ ଆଗକୁ ରହିଛି ଅନେକ ଚ୍ୟାଲେଞ୍ଜ । ରଥଯାତ୍ରା ମଝିରେ ମୁଖ୍ୟ ପ୍ରଶାସକ ପଦବୀ ପରିବର୍ତ୍ତନ ହୋଇଥିବାରୁ ତାଙ୍କ ପାଇଁ ଏହି ଦାୟିତ୍ୱ ଅଧିକ ଗୁରୁତ୍ୱପୂର୍ଣ୍ଣ ହେବ ।
ଆଗକୁ ଚ୍ୟାଲେଞ୍ଜ କଣ ?
- ବାହୁଡା, ସୁନାବେଶ, ଅଧରପଣା ଓ ନୀଳାଦ୍ରି ବିଜେ ନୀତିର ସୁପରିଚାଳନା
- ରତ୍ନଭଣ୍ଡାର ଖୋଲି ଗଣତି ମଣତି ଠିକ ଭାବେ କରିବା
- ଶ୍ରୀମନ୍ଦିର ପ୍ରଶାସନ, ପୁଲିସ, ସେବାୟତ ଓ ଜିଲ୍ଲା ପ୍ରଶାସନ ସହ ସମନ୍ୱୟ
- ଶ୍ରୀମନ୍ଦିରରେ ଅଧିକ ସଂସ୍କାରମୂଳକ ପଦକ୍ଷେପ ନେବା ନୂଆ ପ୍ରଶାସକଙ୍କ ପାଇଁ ଚ୍ୟାଲେଞ୍ଜ ହେବ
ସୂଚନାଯୋଗ୍ୟ ଯେ, ଅରବିନ୍ଦ ପାଢୀ ୨୦୧୨ରୁ ୨୦୧୫ ଯାଏଁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଥିଲେ । ଏହି ସମୟରେ ଅନେକ ସଂସ୍କାରମୂଳକ କାମ ହୋଇଥିଲା । ଏବେ ୯ ବର୍ଷ ପରେ ଦାୟିତ୍ୱ ନେଇଥିବାରୁ ଅରବିନ୍ଦ ପାଢୀଙ୍କ କାର୍ଯ୍ୟ ଉପରେ ସମସ୍ତଙ୍କ ନଜର ରହିଛି ।