କେନ୍ଦ୍ର ମନ୍ତ୍ରିମଣ୍ଡଳରେ ନାହିଁ ପଶ୍ଚିମ ଓଡିଶାର ସ୍ଥାନ! ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ କଲେ ସମାଲୋଚନା, ବିଜେପି ବିଧାୟକ ଜୟନାରାୟଣ କହିଲେ ନିଜ ଦଳ କଥା ଚିନ୍ତା କରୁ ବିଜେଡି

281

କନକ ବ୍ୟୁରୋ : କେନ୍ଦ୍ର ନା ରାଜ୍ୟ କାହା ଫୋକସରେ ପଶ୍ଚିମ ଓଡ଼ିଶା । ରାଜ୍ୟରେ ନବୀନ ଓ କେନ୍ଦ୍ରରେ ମୋଦି ଦାୟିତ୍ୱ ନେବା ପରେ ରାଜନୀତିର ପ୍ରମୁଖ ପ୍ରସଙ୍ଗ ପାଲଟିଯାଇଛି, ପଶ୍ଚିମ ଓଡ଼ିଶାର ଉନ୍ନତି । ମୋଦି ମନ୍ତ୍ରୀ ମଣ୍ଡଳରେ ସ୍ଥାନ ପାଇ ନାହାଁନ୍ତି ପଶ୍ଚିମ ଓଡ଼ିଶାର ଜଣେ ହେଲେ ହେଲେ ବି ସାଂସଦ । ଏହାକୁ ନେଇ ସମାଲୋଚନା କରିଛନ୍ତି ଶ୍ରମ ମନ୍ତ୍ରୀ ଶୁସାନ୍ତ ସିଂ । ବାଣ ମାରିଛନ୍ତି-ନବୀନଙ୍କ ଫୋକସରେ  ରହିଛି ପଶ୍ଚିମାଚଂଳର ଉନ୍ନତି । ନବୀନ, ପଶ୍ଚିମ ଓଡ଼ିଶାରୁ ୬ ଜଣଙ୍କୁ ମନ୍ତ୍ରୀ କରିଥିବା ବେଳେ ମୋଦି ନିରାଶ କରିଛନ୍ତି ବୋଲି ଅଭିଯୋଗ କରିଛନ୍ତି ଶ୍ରମ ମନ୍ତ୍ରୀ ।

କେନ୍ଦ୍ରରେ ମୋଦି, ରାଜ୍ୟରେ ନବୀନ । ଏହି ଧାରାରେ ଆସିଥିଲା ପଶ୍ଚିମ ଓଡ଼ିଶାର ଜନମତ । ଯାହା ଫଳରେ ପଶ୍ଚିମ ଓଡ଼ିଶାର ୫ଟି ଯାକ ଲୋକସଭାରେ କ୍ଲିନ୍ ସୁଇପ୍ କରିଥିଲା ବିଜେପି । ଆଉ ବିଧାନସଭା କ୍ଷେତ୍ରଗୁଡ଼ିକରେ ସର୍ବାଧିକ ୨୨ଟି ଆସନ ପାଇଥିଲା ବିଜେଡି । ହେଲେ ମନ୍ତ୍ରିମଣ୍ଡଳ ଗଠନ ହେଲା ବେଳକୁ ମୋଦିଙ୍କ ନୂଆ ଟିମରେ ପଶ୍ଚିମ ଓଡ଼ିଶାର ଜଣେ ହେଲେ ନେତାଙ୍କୁ ମିଳିଲାନି ମନ୍ତ୍ରୀପଦ । ଅନ୍ୟପଟେ ନବୀନଙ୍କ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇଛନ୍ତି ପଶ୍ଚିମ ଓଡ଼ିଶାର ୬ ନେତା । ଯାହାକୁ ନେଇ ବିଜେପିକୁ ଟାର୍ଗେଟ୍ କରିଛି ବିଜେଡି ।

ପଶ୍ଚିମ ଓଡ଼ିଶାର ୫ଟି ଲୋକସଭା ଅଧିନରେ ଆସୁଥିବା ୩୫ଟି ବିଧାନସଭା ଆସନରୁ ବରଗଡ଼ର ୭ଟି ଆସନରେ ବିଜେଡି । କଳାହାଣ୍ଡିର ୭ ଆସନରୁ ୫ଟିରେ ବିଜେଡି, ଗୋଟିଏ ବିଜେପି । ସମ୍ବଲପୁରର ୭ଟିରୁ ବିଧାନସଭା ଆସନରୁ ୪ ବିଜେଡି, ୩ ବିଜେପି । ବଲାଙ୍ଗୀରର ୭ଟି ଆସନରୁ ୪ଟି ବିଜେଡି, ଗୋଟିଏ ବିଜେପି । ଏବଂ ସୁନ୍ଦରଗଡ଼ ଲୋକସଭାର ୭ଟି ବିଧାନସଭା ଆସନରେ ବିଜେଡି ୨ ଏବଂ ବିଜେପି ୩ଟି ଆସନରେ ବିଜୟୀ ହୋଇଛନ୍ତି । ଅର୍ଥାତ୍ ମୋଟ୍ ୩୫ ଆସନରୁ ବିଜେଡି ୨୨ ଏବଂ ବିଜେପି ୮ଟି ଆସନରେ ବିଜୟୀ ହୋଇଛନ୍ତି । ବଡ କଥା ହେଉଛି, ପଶ୍ଚିମ ଓଡ଼ିଶାରେ ବିଜେଡିକୁ ୨୨ଟି ଆସନ ମିଳିଥିବା ବେଳେ ମନ୍ତ୍ରୀ ପଦ ପାଇଛନ୍ତି ୬ ବିଧାୟକ । ୫ ଜଣଙ୍କୁ କ୍ୟାବିନେଟ୍ ଏବଂ ଜଣଙ୍କୁ ରାଷ୍ଟ୍ରପାହ୍ୟା ମନ୍ତ୍ରୀପଦ ମିଳିଛି । ।

ସୋନପୁର ବିଧାୟକ ନିରଞ୍ଜନ ପୂଜାରୀ : ଅର୍ଥମନ୍ତ୍ରୀ
ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା : ବାଣିଜ୍ୟ ପରିବହନ ମନ୍ତ୍ରୀ
ଭଟଲୀ ବିଧାୟକ ସୁଶାନ୍ତ ସିଂ : ଶ୍ରମ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ
ଝାରସୁଗୁଡ଼ା ବିଧାୟକ ନବ ଦାସ : ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ
ଟିଟିଲାଗଡ଼ ବିଧାୟିକା ଟୁକୁନି ସାହୁ : ମହିଳା ଓ ଶିଶୁ ବିଭାଗ ମନ୍ତ୍ରୀ
ଏବଂ ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ରଙ୍କୁ ରାଷ୍ଟ୍ରମନ୍ତ୍ରୀ ଭାବେ ଶକ୍ତି ବିଭାଗ ଏବଂ ଗୃହ ବିଭାଗର ଦାୟିତ୍ୱ ମିଳିଛି ।

ଏପଟେ ପଶ୍ଚିମ ଓଡ଼ିଶାର ୫ ଲୋକସଭାରୁ ବଲାଙ୍ଗିରରୁ ସଂଗୀତା ସିଂଦେଓ, ବରଗଡ଼ରୁ ସୁରେଶ ପୂଜାରୀ, ସୁନ୍ଦରଗଡ଼ରୁ ଜୁଏଲ୍ ଓରାମ, ସମ୍ବଲପୁରରୁ ନିତେଶ ଗଙ୍ଗଦେବ ଏବଂ କଳାହାଣ୍ଡିରୁ ବସନ୍ତ ପଣ୍ଡାଙ୍କ ଭଳି ନେତା ଜିତିଥିଲେ ବି ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ କାହାରିକୁ ସ୍ଥାନ ମିଳିନି । ଏହାକୁ ନେଇ ଏବେ ସରଗରମ ହୋଇଛି ପଶ୍ଚିମ ଓଡ଼ିଶା ରାଜନୀତି । ପଶ୍ଚିମ ଓଡିଶାରୁ ବିଜେପିର ୫ ସାଂସଦଙ୍କୁ ଲୋକେ ନିର୍ବାଚିତ କରିଥିଲେ ମଧ୍ୟ ମୋଦିଙ୍କ ମନ୍ତ୍ରିମଣ୍ଡଳରେ କାହାକୁ ସ୍ଥାନ ଦିଆଯାଇନାହିଁ । ଯାହା ଦର୍ଶାଉଛି ମୋଦିଙ୍କ ଫୋକସରେ ପଶ୍ଚିମ ଓଡିଶା ନାହିଁ ବୋଲି କହିଛନ୍ତି ସୁଶାନ୍ତ । ତେବେ ସୁଶାନ୍ତଙ୍କୁ କାଉଁଣ୍ଟର କରି ବିଜେପି ବିଧାୟକ ଜୟନାରାୟଣ ମିଶ୍ର କହିଛନ୍ତି, ସେ ଆମ ଦଳର ପରାମର୍ଶଦାତା ନୁହଁନ୍ତି ଯେ ତାଙ୍କ କଥା ଆମେ ଶୁଣିବୁ ।